ଛେଣ୍ଡିପଦା: ଛେଣ୍ଡିପଦା ଥାନା କୁକୁରପେଟା ପଞ୍ଚାୟତ ଫୁଲଝରୀ ଗାଁର ଏକ ପରିତ୍ୟକ୍ତ କୂଅରୁ ଆଜି ଦୁଇଟି ମୃତ ଓ ଦୁଇଟି ଜୀବିତ ବଳଦ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳ-ଛେଣ୍ଡିପଦା ରାସ୍ତା କଡ଼ରେ ଗାଁର ଗଗନ ବାଘଙ୍କ ଘରଠାରୁ ପ୍ରାୟ ୫ ଶହ ମିଟର ଦୂର ତାଙ୍କ ତଇଳାରେ ଏକ ଖୋଲାକୂଅ ଅଛି। ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି କୂଅରେ ପଘା ଲାଗିଥିବା ୪ ବଳଦ ପଡ଼ିଥିବା ଆଜି ଗ୍ରାମବାସୀ ଦେଖିଥିଲେ। ଖବର ପାଇ ଛେଣ୍ଡିପଦା ଦମକଳ ବାହିନୀ ପହଞ୍ଚି ଜେସିବି ମେସିନ ଦ୍ୱାରା ବଳଦ ୪ଟି ବାହାର କରିଥିଲେ। ଦେଢ଼ ଘଣ୍ଟା ଲାଗି ୧୫ ଫୁଟ ଗଭୀରତାରୁ ବଳଦ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଟି ମରିଯାଇଥିଲେ। ବଳଦର ମାଲିକ କିଏ ଜଣାପଡ଼ି ନାହିଁ। ଗତକାଲି ରାତିରେ ହୁଏତ ଗୋରୁ ବେପାରୀ ଦୁଇଟି ଲେଖାଏଁ ବଳଦ ପଘାରେ ବାନ୍ଧି ଚଲାଇ ଚଲାଇ ନେଉଥିଲେ। ଅଜାଣତରେ ଗୋରୁ ୪ଟି ଏହି କୂଅରେ ପଡ଼ିଯାଇଥିବା ସଂଦେହ କରାଯାଉଛି। ଦୁଇଟି ବଳଦ ଉପରେ ଅନ୍ୟ ଦୁଇଟି ଚାପି ହୋଇଯିବାରୁ ତଳେ ଥିବା ବଳଦ ମରିଯାଇଥିବା ଅନୁମାନ କରାଯାଉଛି। ମୃତ ବଳଦ ୨ଟି ପୋତି ଦିଆଯାଇଛି। ଜୀବିତ ବଳଦ ସ୍ଥାନୀୟ ଲୋକଙ୍କ ହେପାଜତରେ ଥିବା ଜଣାପଡ଼ିଛି।
ପରିତ୍ୟକ୍ତ କୂଅରୁ ୪ ବଳଦ ଉଦ୍ଧାର
/sambad/media/post_attachments/wp-content/uploads/2017/12/village-well-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)