କୁଲେଇବାସୀଙ୍କ ୨୦ବର୍ଷର ଜଙ୍ଗଲ ଜଗିବା ପରମ୍ପରା, ୫୯ ଏକର ଭୂଇଁ ହେଲା ଘଞ୍ଚ ଜଙ୍ଗଲ

ବନ୍ତଳା: ଏପଟେ ଗାଁ ସେପଟେ ଜଙ୍ଗଲ, ମଝିରେ ଡେରେଜାଙ୍ଗ ଡ୍ୟାମ। କିନ୍ତୁ ଗାଁ ଲୋକଙ୍କୁ ଏମିତି ଜଙ୍ଗଲ ଚିନ୍ତା ଘାରିଛି ଯେ ପ୍ରତିଦିନ ଡେଉଁଛନ୍ତି ଡ୍ୟାମ ଓ ଜଙ୍ଗଲ ଜଗୁଛନ୍ତି। ଏହି ଘଟଣା ଦୁଇ ମାସର ନୁହେଁ ଦୁଇ ଦଶନ୍ଧି ଧରି ଜଙ୍ଗଲକୁ ସୁରକ୍ଷା ଦେବାପାଇଁ କୁଲେଇ ଗ୍ରାମବାସୀ ଏପରି କରୁଛନ୍ତି। ପ୍ରଦୂଷଣ ରୋକିବା ଓ ପରିବେଶ ସନ୍ତୁଳନ ରଖିବା ଦିଗରେ ବୃକ୍ଷର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତିଦିନ ଶିଳ୍ପ କାରଖାନା, କୋଠା, ରାସ୍ତା ନିର୍ମାଣ ଯୋଗୁଁ ଶହ ଶହ ଗଛ ବଳି ପଡୁଥିବା ବେଳେ ଜଙ୍ଗଲ ସୁରକ୍ଷା ପାଇଁ କୁଲେଇ ଗ୍ରାମବାସୀଙ୍କ ଏକତା ଏବେ ଉଦାହରଣ ସୃଷ୍ଟି କରିଛି। ପ୍ରାୟ ୨୦ ବର୍ଷ ହେଲା ଜଙ୍ଗଲ ସୁରକ୍ଷା ପାଇଁ ଗ୍ରାମବାସୀ ମାନେ ଡଙ୍ଗା ରେ ଡ୍ୟାମ ପାରିହୋଇ ଘଞ୍ଚ ଜଙ୍ଗଲ ସୃଷ୍ଟି କରିପାରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ ବଁଅରପାଳ ବ୍ଲକ ତୁବେ ପଞ୍ଚାୟତରେ ରହିଛି କୁଲେଇ ଗ୍ରାମ। ଗ୍ରାମରେ ପ୍ରାୟ ୭୫ପରିବାର ରହୁଛନ୍ତି ଓ ସମସ୍ତେ ଚାଷ ଉପରେ ନିର୍ଭରଶୀଳ। ତେବେ ସେମାନେ ଜଙ୍ଗଲ, ଗଛ,ପତ୍ରର ମୂଲ୍ୟ ଭଲ ଭାବରେ ବୁଝିଛନ୍ତି। ଜଙ୍ଗଲ ଜଗିବା ପାଇଁ ଗ୍ରାମରେ ଏକତା ସୃଷ୍ଟି ହୋଇଛି। ଜଙ୍ଗଲକୁ ସୁରକ୍ଷା ଦେବାପାଇଁ ପ୍ରାୟ ୨୦ବର୍ଷ ହେଲା ପ୍ରତିଦିନ ଗ୍ରାମର ଦୁଇଜଣ ଲେଖାଏଁ ବ୍ୟକ୍ତି ଡେରେଜାଙ୍ଗ ଡ୍ୟାମର ଗୋଟିଏ ପାର୍ଶ୍ଵ ପାରି ହୋଇ ଜଙ୍ଗଲ ମଧ୍ୟକୁ ଯାଇଥାନ୍ତି। ଜଙ୍ଗଲ ଜଗିବା କାରଣରୁ ମୋଟ ୫୯ଏକର ଜଙ୍ଗଲ ଏବେ ସବୁଜିମାରେ ପରିଣତ ହୋଇଛି। ଏହି ଘଞ୍ଚ ଜଙ୍ଗଲ ପୂର୍ବରୁ ଟାଙ୍ଗରା ହୋଇ ରହିଥିବା ବେଳେ ୨୦ବର୍ଷ ମଧ୍ୟରେ ଏହା ମୂଲ୍ୟବାନ ବୃକ୍ଷଲତାରେ ଭର୍ତ୍ତି ହୋଇ ରହିଛି। ସବୁଠାରୁ ବଡ଼ କଥା ହେଲା ଯେ ଏହି ଗ୍ରାମବାସୀମାନଙ୍କୁ ଜଙ୍ଗଲ ପ୍ରୀତି ଏମିତି ଘାରିଛି ଯେ ଏମାନେ ଡ୍ୟାମ ପାରି ହୋଇ ଅନ୍ୟ ପାର୍ଶ୍ଵକୁ ଯାଇଥାନ୍ତି। ତେବେ ଏହି ଜଙ୍ଗଲ ମଧ୍ୟରେ ଏବେ ଶାଳ, ଅସନ, ବାହାଡ଼ା, ଶିଶୁ,ଗମ୍ଭାରୀ, ଭେରୁ ଭଳି ଅନେକ ମୂଲ୍ୟବାନ ଗଛ ଗୁଡ଼ିକ ରହିଛି। ଜଙ୍ଗଲ ସୁରକ୍ଷା କାରଣରୁ ଏଠାରେ କୁଟୁରା, ବାର୍ହା, ଠେକୁଆ, ହରିଣ ଓ ଅନେକ ସରୀସୃପ ଜାତୀୟ ପ୍ରାଣୀ ନିର୍ଭୟରେ ବିଚରଣ କରୁଛନ୍ତି।

ଅନୁଗୁଳ ବନାଞ୍ଚଳ କୁଲେଇ ଗ୍ରାମର ଥିବା ୫୯ଏକର ଜମିରେ ଜଙ୍ଗଲର ରକ୍ଷଣାବେକ୍ଷଣରେ ସାହାଯ୍ୟ କରିବା ପାଇଁ ଗ୍ରାମରେ ମା ଗ୍ରାମେଶ୍ୱରୀ ବନ ସୁରକ୍ଷା ସମିତି ଗଠନ କରାଯାଇଛି। ଗ୍ରୀଷ୍ମ ଦିନ ଆସିଲେ ସାଧାରଣତଃ ଜଙ୍ଗଲରେ ନିଆଁ ଲାଗିଥାଏ। କିନ୍ତୁ କୁଲେଇ ଗ୍ରାମବାସୀ ନିଆଁ ଦାଉରୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ତତ୍ପର ହୋଇଉଠନ୍ତି। ସେପଟେ କିନ୍ତୁ ଏହି ବନ ସୁରକ୍ଷା ସମିତିକୁ କୌଣସି ସରକାରୀ ଯୋଜନାରେ ବନ ବିଭାଗ ଏପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ କରିନାହିଁ। ଉକ୍ତ ବନ ସୁରକ୍ଷା ସମିତିକୁ ସରକାରୀ ଯୋଜନାରେ ସାମିଲ କରାଗଲେ ସେମାନେ ଅଧିକ ଉସ୍ଥାହିତ ହୋଇପାରନ୍ତେ ବୋଲି ସମିତିର ସଭାପତି ଦୁଷ୍ମନ୍ତ ସାହୁ, ସମ୍ପାଦକ ମଧୁସୂଦନ ସାହୁ ପ୍ରମୁଖ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର