ଅନୁଗୁଳ: ଆସିଷ୍ଟାଣ୍ଟ୍ କଲେକ୍ଟରଠାରୁ ପିଅନ। ସବୁରି ମୁହଁରେ ଗୋଟିଏ ବୟାନ। ଅନୁଗୁଳ ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ଯେଉଁ ୫୯ଲକ୍ଷ ଟଙ୍କା ଉଠାଣ ହେଲା, ତାହା ଆମେ ୨୦୧୯ମସିହା ଜୁନ ୩୦ତାରିଖ ଦିନ ପାସ୍ବୁକ୍ ଅପଡେଟ୍ ପରେ ଜାଣିଲୁ। ଘଟଣା ଜାଣି ଉପରିସ୍ଥ ଅଧିକାରୀଙ୍କୁ ବି ଜଣାଇଲୁ। ବ୍ୟାଙ୍କ୍ ସହ ବି ଯୋଗାଯୋଗ କଲୁ। କିନ୍ତୁ, ଜୁନରେ ଜଣାପଡ଼ିଥିବା ଏଡ଼େ ବଡ଼ ଘଟଣା ଥାନାକୁ ଗଲା ସେପ୍ଟେମ୍ବର ମାସରେ। ୨୦୧୯ମସିହା ସେପ୍ଟେମ୍ବର ୧୦ତାରିଖ ଦିନ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିଜାରତ ଅଧିକାରୀ ଥାନାରେ ଏତଲା ଦେଲେ। ପୁଲିସ ତା’ର ଖୋଳତାଡ଼ ଆରମ୍ଭ କଲା। ଏବଂ ତତ୍କାଳୀନ ବ୍ୟାଙ୍କ୍ ମ୍ୟାନେଜର ଶକ୍ତିବେଦାନ୍ତ ଦାଶଙ୍କୁ ବାନ୍ଧିଲା। କିନ୍ତୁ, ପ୍ରଶ୍ନ ଉଠୁଛି ଏତେବଡ଼ ହେର୍ଫେର୍ ବିଷୟରେ ଜୁନରେ ଜାଣିଥିବା ନିଜାରତ ବିଭାଗ ସେପ୍ଟେମ୍ବର ମାସ ଯାଏ ଚୁପ୍ ବସିଥିଲା କାହିଁକି? ଜିଲ୍ଲାପାଳଙ୍କୁ କାହିଁକି ବିଳମ୍ବରେ ଜଣାଗଲା? ପ୍ରାୟ ଅଢ଼େଇ ମାସ (୭୧ଦିନ) ପରେ ଥାନାରେ ଏଫ୍ଆଇଆର୍ କରାଗଲା ତାହାକୁ ନେଇ ପ୍ରଶ୍ନ ଉଠିଛି।
ଉଲ୍ଲେଖଯୋଗ୍ୟ, ଟାଟା ସ୍ପଞ୍ଜ୍ ଆଇରନ କମ୍ପାନି ପକ୍ଷରୁ ଜିଲ୍ଲାପାଳଙ୍କ ଏକାଉଣ୍ଟକୁ ୫୦ଲକ୍ଷ ଟଙ୍କା ୨୦୧୩ ଜୁଲାଇ ୮ତାରଖରେ ଏଚ୍ଡିଏଫ୍ସି ବ୍ୟାଙ୍କ, ଅନୁଗୁଳ ଶାଖାରେ ଜମା କରାଯାଇଥିଲା। ସୁଧ ବାବଦକୁ ବ୍ୟାଙ୍କ୍ରୁ ଅତିରିକ୍ତ ଟଙ୍କା ମିଶାଇ ମୋଟ୍ ଜମା ପରିମାଣ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ହୋଇଥିଲା। ଗତ ୨୦୧୭ ଡିସେମ୍ବର ୭ ତାରିଖରୁ ୨୦୧୮ ମେ ୩ ତାରିଖ ମଧ୍ୟରେ ୮ଟି ଚେକ୍ ଜରିଆରେ ଜିଲ୍ଲାପାଳଙ୍କ ଜାଲ୍ ଦସ୍ତଖତରେ ପ୍ରାୟ ୫୯ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିବା ଜିଲ୍ଲା ପ୍ରଶାସନ ଜାଣିବାକୁ ପାଇଥିଲା। ନିଜାରତ୍ ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଚାକିରି କରୁଥିବା ଶିବରାମ ମଲ୍ଲିକ ବ୍ୟାଙ୍କ୍ ଆକାଉଣ୍ଟକୁ ଅପଡେଟ୍ କରିବାକୁ ଯାଇଥିବା ବେଳେ ଏ କଥା ଜାଣିବାକୁ ପାଇଥିଲେ ବୋଲି ପୁଲିସକୁ ଲିଖିତ ବୟାନ ଦେଇଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି, ୨୦୧୯ମସିହା ଜୁନ ୩୦ତାରିଖ ଦିନ ନାଜିର୍ ମ୍ୟାଡାମ୍ଙ୍କ କହିବା ଅନୁସାରେ ବ୍ୟାଙ୍କ୍ ଖାତା ନେଇ ଏଚ୍ଡିଏଫ୍ସି ବ୍ୟାଙ୍କ୍କୁ ଯାଇଥିଲି। ଖାତା ଅପ୍-ଟୁ-ଡେଟ୍ କଲା ପରେ ଆକାଉଣ୍ଟ୍ରେ ମାତ୍ର ୧୧୧୮ ଟଙ୍କା ଥିବା ସେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ନାଜିର୍ ମ୍ୟାଡାମ୍ ଥାନାକୁ ଜଣାଇଥିଲେ। ନିଜାରତ ବିଭାଗର ମୁଖ୍ୟ କିରାଣି ବିଜୟ କୁମାର ଦେହୁରୀ, କନିଷ୍ଠ କିରାଣି ସଞ୍ଜୟ କୁମାର ସାହୁ, ନିଜାରତ ବିଭାଗର ସେକ୍ସନ ଅଫିସର ଦମୟନ୍ତୀ ରଥ ମଧ୍ୟ ପୁଲିସକୁ ସମାନ ବୟାନ ଦେଇଛନ୍ତି। ନିଜାରତ ବିଭାଗର ଆସିଷ୍ଟାଣ୍ଟ୍ କଲେକ୍ଟର ରଞ୍ଜନ କୁମାର ମହାନ୍ତି ମଧ୍ୟ ସମାନ କଥା ପୁଲିସ ନିକଟରେ ଦୋହରାଇଛନ୍ତି। ଜୁନ୍ ୩୦ତାରିଖ ଦିନ ଆକାଉଣ୍ଟରୁ ଟଙ୍କା ନ ଥିବା ସମ୍ପର୍କରେ ସମସ୍ତେ ଜାଣିବାକୁ ପାଇଥିଲେ ବୋଲି ପୁଲିସକୁ ଅଧିକାରୀମାନେ ଦେଇଥିବା ବୟାନରୁ ସ୍ପଷ୍ଟ ହୋଇଛି। ଜୁନରେ ଜଣାପଡ଼ିଥିବା ଘଟଣା କିନ୍ତୁ ସେପ୍ଟେମ୍ବରରେ ପୁଲିସକୁ ଜଣାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିଜାରତ ବିଭାଗ ଦୀର୍ଘ ପ୍ରାୟ ଅଢ଼େଇ ମାସ(୭୧ଦିନ) ବିଳମ୍ବରେ ଥାନାରେ ଏତଲା କରିବାକୁ ଯାଇଥିଲେ।
ଯେଉଁଠି ଅଧାକୋଟି ଟଙ୍କା ହେର୍ଫେର୍ର କଥା ଉଠୁଛି, ସେଠି ନିଜାରତ ବିଭାଗ ଥାନାକୁ ଜଣାଇବାକୁ ବିଳମ୍ବ କରୁଥିଲା କାହିଁକି? ଏ ବିଳମ୍ବ ପଛରେ କିଛି କାରଣ ନାହିଁ ତ? ପୁଲିସ ଏ ଦୁର୍ନୀତିର ପୂରା ଖୁଲାସା ଏଯାବତ୍ କରି ପାରିନଥିବା ବେଳେ ନିଜାରତ ବିଭାଗର ଅଢ଼େଇ ମାସର ବିଳମ୍ବତାକୁ ନେଇ ଏମିତି ପ୍ରଶ୍ନ ଉଠିଛି।
କିନ୍ତୁ, ବିଳମ୍ବ ପଛର କାରଣ ବ୍ୟାଙ୍କ୍ ତନାଘନା ବୋଲି ନିଜାରତ ବିଭାଗର ଆସିଷ୍ଟାଣ୍ଟ୍ କଲେକ୍ଟର ଶ୍ରୀ ମହାନ୍ତି କହିଛନ୍ତି। ଘଟଣା ସମ୍ପର୍କରେ ଆମେ ଜାଣିଲା ପରେ ବ୍ୟାଙ୍କ୍ରେ ଏପଟ ସେପଟ ହୋଇଥିବ ବୋଲି ଭାବିଥିଲୁ। କିନ୍ତୁ, ଏମିତି ଦୁର୍ନୀତି ହୋଇଥିବା ଆଶା କରିନଥିଲୁ। ବ୍ୟାଙ୍କ୍ ମ୍ୟାନେଜରଙ୍କୁ ପଚାରିବା ପରେ ଘଟଣା ସ୍ପଷ୍ଟ ହୋଇଥିଲା। ତା’ ପରେ ଜିଲ୍ଲାପାଳଙ୍କୁ ଜଣାଇ ଥାନାରେ ଏତଲା ଦିଆଯାଇଥିଲା ବୋଲି ଶ୍ରୀ ମହାନ୍ତି ‘ସମ୍ବାଦ’କୁ କହିଛନ୍ତି।