ମାନସିକ ଅନଗ୍ରସର ନାବାଳିକାକୁ ଦୁଷ୍କର୍ମ: ଦୋଷୀକୁ ୧୦ବର୍ଷ ଜେଲ୍‌

ଅନୁଗୁଳ: ଜଣେ ୧୫ବର୍ଷର ମାନସିକ ଅନଗ୍ରସର ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଅନୁଗୁଳ ଅତିରିକ୍ତ ଦୌରା ଜଜ୍‌ ଶୋଭାଗିନୀ ମଲ୍ଲିକ ଅନୁଗୁଳ ଥାନା ଘୁଞ୍ଚାପାଳ ଗାଁର ଅଭିଯୁକ୍ତ ଯୁବକ ସୂରଜ ନାଏକ(୨୩)କୁ ଦୋଷୀ ସାବ୍ୟସ୍ତ କରିବା ସହିତ ୧୦ବର୍ଷ ଜେଲ୍‌ ଓ ୧୦ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ବର୍ଷେ ଜେଲ୍‌ ପାଇଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି।
କୋର୍ଟ ସୂତ୍ର ମୁତାବକ, ୨୦୧୬ମସିହାରେ ଏହି ଘଟଣା ଘଟିଥିଲା। ଏକୁଟିଆର ସୁଯୋଗ ନେଇ ଅଭିଯୁକ୍ତ ସୂରଜ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। କେବଳ ସେତିକି ନୁହେଁ, କାହାକୁ ଏକଥା କହିଲେ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲା।

ତେଣୁ ଘଟଣା କିଛି ମାସ ପର୍ଯ୍ୟନ୍ତ ଲୁଚି ରହିଥିଲା। ୩/୪ମାସ ପରେ ନାବାଳିକା ଜଣକ ଅନ୍ତଃସତ୍ତ୍ୱା ଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଖୋଳତାଡ଼ ପରେ ଦୁଷ୍କର୍ମ ଘଟଣା ପଦାକୁ ଆସିଥିଲା। ଏନେଇ ୨୦୧୬ମସିହା ଏପ୍ରିଲ୍‌ ୯ତାରିଖ ଦିନ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୂରଜକୁୁ ଗିରଫ କରିଥିଲେ। ୧୦ଜଣ ସାକ୍ଷୀ ଓ ଆବଶ୍ୟକ ପ୍ରମାଣକୁ ଭିତ୍ତି କରି ଆଜି କୋର୍ଟ ମାମଲାର ରାୟ ପ୍ରକାଶ କରିଛନ୍ତି। ଏଥିରେ ଅଭିଯୁକ୍ତ ସୂରଜକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ବିଧାନ କରାଯାଇଛି। ସରକାରୀ ଓକିଲ ସରୋଜ ପଟ୍ଟନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର