ଏଜିଏମ୍‌ଙ୍କ ଉନ୍ମତ୍ତକାଣ୍ଡ: ‘ଶ୍ବେତ’ ଅଚଳ

ଗାଡ଼ି ପାର୍କିଂକୁ ନେଇ ନାଲ୍‌କୋ ଅତିଥି ଭବନରେ ଅଭାବନୀୟ ଘଟଣା

ନାଲକୋ ନଗର: ନାଲ୍‌କୋ ଅତିଥି ନିବାସ ‘ଶ୍ବେତ’ ପରିସରରେ ଗାଡ଼ି ପାର୍କିଂକୁ ନେଇ  ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ କିଛି ଦିନ ହେବ ନାଲକୋ ‘ଶ୍ବେତ’ରେ ମେଟେରିଆଲ ବିଭାଗର ଏଜିଏମ୍ ସଞ୍ଜୀବ ସିଂହ ରହି ଆସୁଛନ୍ତି। ଆଜି ସକାଳ ୮ଟାରେ ସେ ଡ୍ୟୁଟି ଯିବାକୁ ବାହାରିବା ବେଳେ ତାଙ୍କ ଚାରିଚକିଆ ଗାଡିକୁ ଲାଗି ଆଉ ଗୋଟିଏ ସ୍କର୍ପିଓ ଗାଡି ଥିବାରୁ ତାଙ୍କୁ ନିଜ ଗାଡ଼ି ବାହାର କରିବାରେ ଅସୁବିଧା ହୋଇଥିଲା। ଫଳରେ ଡିଉଟି ଯିବାରେ ବିଳମ୍ବ ହେଇଥିଲା। ସଞ୍ଜୀବ ପ୍ରତିଶୋଧପରାୟଣ ହୋଇ ସେଠାରେ ଥିବା ସୁରକ୍ଷା କର୍ମୀଙ୍କ କଥାକୁ ଖାତିର ନକରି ନିଜ ଚାରିଚକିଆ ଗାଡ଼ି (ବି.ଆର ୨୦-ଡି-୬୬୯୯)କୁ ଆଣି ଅତିଥି ଭବନର ମୁଖ୍ୟ ଫାଟକ ସମୁଖରେ ରଖି ନିଜ ରୁମ୍‌କୁ ଚାଲି ଯାଇଥିଲେ। ଫଳ‌େର ୨ଘଣ୍ଟା ପର୍ଯ୍ୟନ୍ତ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ଫଳରେ ସେ ସମୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଇଁ ଖାଇବା ସାମଗ୍ରୀ ନେବାକୁ ଆସିଥିବା ନାଲକୋ କର୍ମଚାରୀ ପ୍ରଭାସ ସିଂହ ଉକ୍ତ ଅତିଥି ଭବନରୁ ବାହାରି ପାରିନଥିଲେ। ସେ ଉପରିସ୍ଥ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଇତି ମଧ୍ୟରେ ୨ଘଣ୍ଟା ବିତିଗଲା ପରେ ଏଚ୍.ଆର ଡିଜିଏମ୍ ଏସ୍.ଏସ୍. ପଣ୍ଡା, ମ୍ୟାନେଜର ଆଶିଷ ସାହୁ,ଏ.ଜି.ଏମ୍ ସିପିପି ଅମରେନ୍ଦ୍ର ମିଶ୍ର,ଏଜିଏମ୍ ସିପିପି ସୁନୀଲ ମହାପାତ୍ର ଓ ନାଲକୋନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ଆଲୁମିନିୟମ ମଜଦୁର ସଙ୍ଘର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ସଂଘର ସାଧାରଣ ସମ୍ପାଦକ ସୁବାସ ସାହୁ ଓ କର୍ମକର୍ତ୍ତା ଆନ୍ଦୋଳନରୁ କ୍ଷାନ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର