କଅଁଳ ପାଦକୁ ଅଙ୍ଗନବାଡ଼ି ବହୁ ଦୂର: ୩୨ଶହ ଶିଶୁ ପଢ଼ାରୁ ବାଦ୍‌

ପାଲଲହଡ଼ାରେ ସର୍ବାଧିକ, ୧୧୦୦ଶିଶୁ କେନ୍ଦ୍ରରୁ ବାଦ୍‌

ଅନୁଗୁଳ: ଗଣମାଧ୍ୟମ ସାମ୍ନାକୁ ବେଳେବେଳେ ବେଶ୍ ଚର୍ଚ୍ଚାକୁ ଆସେ ଅଙ୍ଗନବାଡ଼ି। ଘରଠୁ ଅଙ୍ଗନବାଡ଼ି ଦୂର। ବାଟରେ ଜଙ୍ଗଲ ପଡ଼ୁଛି ଅଥବା ନଦୀ ନାଳ ପାଇଁ ଅଙ୍ଗନବାଡ଼ିକୁ ପିଲାମାନେ ପାଠ ପଢ଼ିବାକୁ ଯାଇ ପାରୁ ନାହାନ୍ତି। କିମ୍ବା ଗାଁରୁ ବାହାରିବା ପାଇଁ ରାସ୍ତା ନାହିଁ ବୋଲି ଅଙ୍ଗନବାଡ଼ି ପାଠପଢ଼ାରୁ ବାଳୁତ ଶିଶୁମାନେ ବଞ୍ଚିତ ହେଉଥିବାର ଚିତ୍ର ସମୟେ ସମୟେ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ବିଷୟ ହୁଏ।

ସ୍ବାଧୀନତାର ଏତେ ଦଶନ୍ଧି ପରେ ବି ଆମେ ଯେ ଆମ କୁନି ପିଲାଙ୍କ ପାଖରେ ଅଙ୍ଗନବାଡ଼ି ବ୍ୟବସ୍ଥା ପହଞ୍ଚାଇ ପାରିନାହୁଁ, ତା’ର ଚିତ୍ର ପଦାକୁ ଆସେ। ନିକଟରେ ଅନୁଗୁଳ ଜିଲ୍ଲା ପ୍ରଶାସନ ମଧ୍ୟ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ରର ନଗ୍ନ ଚିତ୍ର ସରକାରଙ୍କୁ ଦେଖାଇଛି। ଶହେ କି ଦୁଇ ଶହ ନୁହେଁ, କେବଳ ରାସ୍ତାଘାଟ ସମସ୍ୟା‌ ପାଇଁ ଅନୁଗୁଳ ଜିଲ୍ଲାର ୩ହଜାର ୨୧୯ ପିଲା ଯେ, ପାଠ ପଢ଼ିବାକୁ ଯାଇ ପାରୁ ନାହାନ୍ତି। କିମ୍ବା ସେମାନଙ୍କ ନିକଟରେ ରନ୍ଧାଖାଦ୍ୟ ପହଞ୍ଚି ପାରୁ ନାହିଁ।
ଏହି ତାଲିକାରେ ସର୍ବୋଚ୍ଚ ସ୍ଥାନରେ ରହିଛି ଜିଲ୍ଲାର ଉପାନ୍ତ ପାଲଲହଡ଼ା ବ୍ଲକର ପିଲା। ମୋଟ୍ ୩ହଜାର ପିଲାଙ୍କ ମଧ୍ୟରୁ ୧୧୪୬ଜଣ ପିଲା ପାଲଲହଡ଼ା ଇଲାକାରୁ ଅଛନ୍ତି ଯେଉଁମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ପଢ଼ିବାକୁ ଯୋଗ୍ୟ ହୋଇଥିଲେ ବି ପାଠ ପଢ଼ିବାକୁ ଯାଉ ନାହାନ୍ତି।

ସେହିପରି ଜିଲ୍ଲା ମହକୁମାଠାରୁ ସୁଦୂର ଆଠମଲ୍ଲିକ ଏବଂ କିଶୋରନଗର ବ୍ଲକ୍‌ର ସ୍ଥିତି ମଧ୍ୟ କିଛି କମ୍‌ ନୁହେଁ। ରାସ୍ତା ଏବଂ ଯୋଗାଯୋଗ ସମସ୍ୟା ଯୋଗୁ କିଶୋରନଗର ବ୍ଲକ୍‌ର ୬୫୮ ଏବଂ ଆଠମଲ୍ଲିକ ବ୍ଲକର ୫୯୩ ଜଣ ସ୍କୁଲରେ ଯୋଗ ଦେଇ ପାରୁ ନାହାନ୍ତି। ଅନୁଗୁଳ ସଦର ବ୍ଲକ୍‌ ମହକୁମା ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ। ଅନୁଗୁଳ ବ୍ଲକ୍‌ରୁ ୨୮୯ ପିଲା ସ୍କୁଲ ଯାଉ ନାହାନ୍ତି ବୋଲି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସରକାରଙ୍କୁ ତଥ୍ୟ ଦେଇଛି। ସେହିପରି ବଅଁରପାଳ ବ୍ଲକରେ ୯୫ଜଣ ଏଭଳି ପିଲା ରହିଥିବା ବେଳେ ଶିଳ୍ପ ସମୃଦ୍ଧ ଛେଣ୍ଡିପଦା ବ୍ଲକରେ ୨୧୧ଜଣ, କଣିହାଁ ବ୍ଲକରେ ୧୬୮ଜଣ ଏବଂ ତାଳଚେର ବ୍ଲକରେ ୫୯ଜଣ ଏଭଳି ଶିଶୁ ରହିଥିବା ବିଭାଗ ଦର୍ଶାଇଛି। ବର୍ତ୍ତମାନ କୋଭିଡ୍ ପାଇଁ ସିନା ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନେ ପାଠ ପଢ଼ିବାକୁ ଯାଉ ନାହାନ୍ତି, ପରିସ୍ଥିତି ସ୍ବାଭାବିକ ଥିଲା ବେଳେ ମଧ୍ୟ ଏହି ଇଲାକାର ପିଲାମାନେ କେନ୍ଦ୍ରକୁ କେବଳ ଦୂରତା କାରଣ ପାଇଁ ପାଠ ପଢ଼ିବାକୁ ଯାଇ ପାରୁନଥିବା ବିଭାଗ ଦର୍ଶାଇଛି।
ପାଳଲହଡ଼ାରେ ଏତେ ସଂଖ୍ୟାରେ ପିଲା ଅଙ୍ଗନବାଡ଼ି ବାହାରେ ରହିବାର କାରଣ ଜଙ୍ଗଲ ଏବଂ ପାହାଡ଼ିଆ ଇଲାକାରେ ଲୋକଙ୍କ ବସତି ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆଲମା ବାରୁଆ ଦର୍ଶାଇଛନ୍ତି। କହିଛନ୍ତି, ପାଳଲହଡ଼ା ବ୍ଲକରେ ଦୁଇ/ଚାରି ଘର ଲୋକ ଗୋଟିଏ ଗୋଟିଏ ଜାଗାରେ ଘର କରି ରହିଛନ୍ତି। କିଛି ଲୋକ ପାହାଡ଼ିଆ ଇଲାକାରେ ରହୁଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ର ସେମାନଙ୍କ ଘରଠାରୁ ଦୂର। ତେଣୁ, ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ର ଯାଏ ପହଞ୍ଚି ପାରୁ ନାହାନ୍ତି କି ରନ୍ଧା ଖାଦ୍ୟ ଖାଇ ପାରୁ ନାହାନ୍ତି। ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁ ନାହିଁ। ତେଣୁ, ସେମାନଙ୍କ ଘରକୁ ଶୁଖିଲା ଖାଦ୍ୟ ପଠାଇ ଦିଆଯାଉଛି। ଅଙ୍ଗନବାଡ଼ି କେନ୍ଦ୍ରରେ ଶିକ୍ଷାଦାନ ଆରମ୍ଭ ହେବା ପରେ ସେହି ପିଲାମାନେ ଯେମିତି ଘରେ ଥାଇ ବି ରନ୍ଧାଖାଦ୍ୟ ପାଇ ପାରିବେ ସେ ଚିନ୍ତା କରାଯାଉଛି। ଯେଉଁ ଅଞ୍ଚଳରେ ଦୁଇ/ଚାରୋଟି ପିଲା ଅଛନ୍ତି ସେହି ଅଞ୍ଚଳରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ କିମ୍ବା ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କ ଜରିଆରେ ରନ୍ଧା ଖାଦ୍ୟ ଦେବା ପାଇଁ ଯୋଜନା କରିଛୁ।
ଏହା ବାଦ୍‌ ଛୋଟ ଛୋଟ ଇଲାକାରେ ମିନି ଅଙ୍ଗନବାଡ଼ି ଖୋଲିବା ପାଇଁ ମଧ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଯେଉଁଠି ଅତି କମ୍‌ରେ ୧୫୦ପରିବାର ରହୁଥିବେ ସେଠି ଜଣେ ମାତ୍ର ଅଙ୍ଗନବାଡ଼ି କର୍ମୀଙ୍କୁ ନିଯୁକ୍ତି ଦେଇ ମିନି ଅଙ୍ଗନବାଡ଼ି ଜରିଆରେ କେମିତି ପିଲାଙ୍କୁ ସବୁ ପ୍ରକାର ସୁବିଧା ଦିଆଯାଇ ପାରିବ ସେନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀମତୀ ବାରୁଆ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର