ଅନୁଗୁଳ: ବଡ଼ ଯାକ ଯମକରେ ଚାଲିଥିଲା ପ୍ରସ୍ତୁତି। ଜିଲ୍ଲାପାଳ, ଏସ୍ପି ଏବଂ ବନଖଣ୍ଡ ଅଧିକାରୀଙ୍କୁ ଡାକି ଜିଲ୍ଲାସ୍ତରୀୟ ବନ ମହୋତ୍ସବ କରିବାକୁ ଅନୁଗୁଳ ରେଞ୍ଜ୍ ଯୋଜନା କରିଥିଲା। କିନ୍ତୁ, ‘ଗଛ ପାଇଁ ଗଛକୁ ବଳି’ ଶୀର୍ଷକ ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇଲା ପରେ ଅନୁଗୁଳ ବନଖଣ୍ଡର ବନ ମହୋତ୍ସବ ଆଜି ଫସର ଫାଟିଛି। ନା ଜିଲ୍ଲାପାଳ ନା ଏସ୍ପି, ‘ଗଛ କାଟି ଗଛ ଲଗାଇବା’ କାର୍ଯ୍ୟକ୍ରମରେ କେହି ବି ଯୋଗ ଦେଲେ ନାହିଁ। ଏମିତିକି, ଜୋର୍ ପ୍ରସ୍ତୁତିରେ ଲାଗିଥିବା ଅନୁଗୁଳ ରେଞ୍ଜ୍ ଅଧିକାରୀଙ୍କର ମଧ୍ୟ ଗଛ ଲଗାଇବାକୁ ନ ଆସିବା ଘଟଣା ବି ବେଶ୍ ଚର୍ଚ୍ଚିତ ବିଷୟ ହୋଇଛି।
ଉଲ୍ଲେଖଯୋଗ୍ୟ, ଆଜିଠାରୁ ବନ ମହୋତ୍ସବ ସପ୍ତାହ ଆରମ୍ଭ ହେବାକୁ ଯାଉଥିବା ବେଳେ ଅନୁଗୁଳ ରେଞ୍ଜ୍ ପକ୍ଷରୁ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ଅନୁଗୁଳ ଅଗ୍ନିଶମ କାର୍ଯ୍ୟାଳୟ ପରିସରରେ କରିବାକୁ ଯୋଜନା ହୋଇଥିଲା। ପ୍ରସ୍ତୁତି ସ୍ବରୂପ, ଜାତି ଜାତିକା ପ୍ରାୟ ୬୦ଟି ଗଛ ଏସ୍ପି, ଜିଲ୍ଲାପାଳଙ୍କ ହାତରେ ଲଗାଇବା ପାଇଁ ମହଜୁଦ ରଖାଯାଇଥିଲା। କିନ୍ତୁ, ଜିଲ୍ଲାପାଳ ଏବଂ ଏସ୍ପିଙ୍କ ହାତରେ ଗଛ ଲଗାଇବା ପାଇଁ ବଡ଼ ବଡ଼ ଗଛ କାଟି ସଫା କରାଯାଇଛି। ଗଛ ପାଇଁ ଗଛକୁ ବଳି ଦିଆଯାଇଛି। ସ୍ଥାନୀୟ ଲୋକେ ଏ ସମ୍ପର୍କିତ ସୂଚନା ଦେବା ପରେ ଏନେଇ ଆଜି ‘ଗଛ ପାଇଁ ଗଛକୁ ବଳି’ ଶୀର୍ଷକ ଖବର ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଯାହାକୁ ନେଇ ବେଶ୍ ଚର୍ଚ୍ଚିତ ହୋଇଥିଲା। ଖବର ପ୍ରକାଶନ ପରେ ଗଛ ଲଗାଇବା ପାଇଁ ବନ ବିଭାଗ ଜ୍ଞାତ ସାରରେ କେମିତି ଗଛ ସବୁ କଟା ଯାଉଛି ତାହାର ଚିତ୍ର କେବଳ ପଦାକୁ ଆସିଲା ନାହିଁ ଏବଂ ଏଭଳି କାର୍ଯ୍ୟକ୍ରମକୁ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆସି ନ ଥିବା ଜଣାପଡ଼ିଛି। ଜିଲ୍ଲାସ୍ତରୀୟ ବନ ମହୋତ୍ସବ ଏକ ପ୍ରକାର ଫସର ଫାଟିଛି।