୫୮କୋଟିର ଅନୁଗୁଳ ବସ୍‌ ଟର୍ମିନାଲ : କଣ୍ଟ ପରେ କଣ୍ଟ; ପାଞ୍ଚ ବର୍ଷରେ ଅଧା

ଅନୁଗୁଳ : ୫୮କୋଟିର ପ୍ରକଳ୍ପ। ଅତ୍ୟାଧୁନିକ ବସ୍‌ ଟର୍ମିନାଲ୍‌ଠୁ ପାର୍କିଂ ସ୍ଥଳ, ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ରୁମ୍‌, ସୂଚନା କେନ୍ଦ୍ର, ଟିକଟ୍‌ କାଉଣ୍ଟର୍‌, ଯାତ୍ରୀ ପ୍ରତୀକ୍ଷାଳୟ, ଶୌଚାଳୟ, ମାର୍କେଟ୍‌ କମ୍ପ୍ଲେକ୍ସ୍‌… ଏମିତି କେତେ କ’ଣ। ଆଖି ଝଲ୍‌ସାଇ ଦେଲା ଭଳି ଏ ଯୋଜନା ଅନୁଗୁଳବାସୀଙ୍କୁ ଭେଟି ଦେବା ପାଇଁ ରାଜ୍ୟ ସରକାର ନେଇଥିଲେ ନିଷ୍ପତ୍ତି। ୨୦୧୩, ଜୁନ୍‌ ୨୮ତାରିଖରେ ମୁଖ୍ୟମନ୍ତ୍ରୀ ‘ଅତ୍ୟାଧୁନିକ ବସ୍‌ ଟର୍ମିନାଲ୍‌’ର ଶିଳାନ୍ୟାସ କରିଥିଲେ। ଯୋଜନା ଥିଲା, କାମ ଆରମ୍ଭ ହେବାର ଦୁଇ ବର୍ଷ ଭିତରେ ସରିବ। କିନ୍ତୁ ଦୁଇ ବର୍ଷର କଣ୍ଟ ଡେଇଁ ପାଞ୍ଚ ବର୍ଷ ପୂରିବାକୁ ବସିଲାଣି ଅଥଚ ପ୍ରକଳ୍ପ ସରିବାର ନାଁ ଧରୁନି। ନିର୍ଧାରିତ ସମୟସୀମା ଗଡ଼ିବା ସହ ତାଳ ଦେଇ ପ୍ରକଳ୍ପ ପଦ୍ମ ବି ଘୁଞ୍ଚି ଘୁଞ୍ଚି ଚାଲିିଛି। ପ୍ରକଳ୍ପ ବିଳମ୍ବକୁ ନେଇ ପ୍ରଶାସନ ଅସନ୍ତୋଷ ପ୍ରକାଶ କରିବା ସହ ୨୦୧୮, ଡିସେମ୍ବରରେ କାମ ସାରିବାକୁ ଠିକା ସଂସ୍ଥାକୁ କଡ଼ା ତାଗିଦ୍‌ କରାଯାଇଥିଲା। ମାତ୍ର ହାତରେ ଆଉ ୮ମାସ ସମୟ ଥିବା ବେଳେ କାମ ଅଧା ବି ସରିନି। ଗୋଟିଏପଟେ ପ୍ରକଳ୍ପ ମନ୍ଥର ଗତିରେ ଚାଲିଥିବା ବେଳେ ଅନ୍ୟପଟେ ବର୍ତ୍ତମାନ କାମ ବନ୍ଦ ରହିଛି। ପରିଣାମସ୍ୱରୂପ ନିର୍ଧାରିତ ସମୟସୀମା ମଧ୍ୟରେ ତ କାମ ସରିବ ନାହିଁ, ବରଂ କେବେ ଯୋଜନା ପୂର୍ଣ୍ଣାଙ୍ଗ ରୂପ ନେବ ତାହା କହିବା ମୁସ୍କିଲ।

ଉଲ୍ଲେଖଯୋଗ୍ୟ, ୨୦୧୧, ଜୁଲାଇ ୧୩ତାରିଖେରେ ଅନୁଗୁଳରେ ବସିଥିବା ରାଜ୍ୟ ପରିବହନ ବିଭାଗର ଏକ ଉଚ୍ଚସ୍ତରୀୟ ବୈଠକରେ ଅନୁଗୁଳ ସମେତ ସମ୍ବଲପୁର, ଭୁବନେଶ୍ୱର, କଟକ ଏବଂ ଢେଙ୍କାନାଳରେ ଅତ୍ୟାଧୁନିକ ବସ୍‌ ଟର୍ମିନାଲ୍‌ ପ୍ରସ୍ତାବ ଗୃହୀତ ହୋଇଥିଲା। ଅନୁଗୁଳ ଜିଲ୍ଲା ପ୍ରଶାସନ ତାମ୍ରିତ୍‌ କଲୋନି ନିକଟରେ ଏଥିପାଇଁ ୯ଏକର ୭୨ ଡେସିମିଲ୍‌ ଜାଗା ଯୋଗାଇ ଦେଇଥିଲା। ପିପିପି ମୋଡ୍‌ରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ତାଳଚେର-ଅନୁଗୁଳ-ମେରାମୁଣ୍ଡଳୀ ଉନ୍ନୟନ କର୍ତ୍ତୃପକ୍ଷ(ଟାମ୍‌ଡା) ଓ ମିଲନ୍‌ ଡେଭଲପର୍ସ ଆଣ୍ଡ୍‌ ବିଲଡର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ୨୦୧୨, ଏପ୍ରିଲ୍‌ ୯ତାରିଖରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ଯୋଜନା ଥିଲା, ୯.୭୨ଏକର ଜାଗା ମଧ୍ୟରୁ ୩.୮୯ ଏକରରେ ମାର୍କେଟ୍‌ କମ୍ପ୍ଲେକ୍ସ୍‍ ଏବଂ ୫.୮୩ଏକର ଜାଗାରେ ବସ୍‌ ଟର୍ମିନାଲ୍‌ କରାଯିବ। ଅତ୍ୟାଧୁନିକ ବସ୍‌ ଟର୍ମିନାଲ୍‌ ମଧ୍ୟରେ ପୋଷ୍ଟ ଅଫିସ୍‌, ଏଟିଏମ୍‌, ପୁଲିସ ଫାଣ୍ଡି, ଡ୍ରାଇଭର୍‌ ବିଶ୍ରାମ କକ୍ଷ ରହିବ। ୧୫ବର୍ଷ ପର୍ଯ୍ୟନ୍ତ ରକ୍ଷାଣବେକ୍ଷଣ ଦାୟିତ୍ୱ ସଂପୃକ୍ତ ଠିକା ସଂସ୍ଥାର ହାତରେ ରହିବ। ତଦନୁଯାୟୀ, ଠିକା ସଂସ୍ଥା କାମ ବି ଆରମ୍ଭ କଲା। କିନ୍ତୁ କାମ ଏତେ ମନ୍ଥର ଗତିରେ ଚାଲିଛି ଯେ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ପ୍ରତିଶତ କାମ ସରିଛି। ବର୍ତ୍ତମାନ ସ୍ଥିତିରେ ପୁଣି କାମ ବନ୍ଦ ରହିଛି। ଜିଲ୍ଲାପାଳ ଅନିଲ କୁମାର ସାମଲ କାମ ବିଳମ୍ବ ହୋଇଥିବା ସ୍ୱୀକାର କରିଛନ୍ତି। ସେ  କହିଛନ୍ତି, ଆସନ୍ତା ସପ୍ତାହରେ ସମୀକ୍ଷା ବୈଠକ ଡକାଯାଇଛି। କାମ ତ୍ୱରାନ୍ଵିତ କରିବା ପାଇଁ ଠିକା ସଂସ୍ଥାକୁ ଅତୀତରେ ଏକାଧିକାର ତାଗିଦ୍‌ କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ବସଷ୍ଟାଣ୍ଡ୍‌ କାର୍ଯ୍ୟ ୬୦ପ୍ରତିଶତ ସରିଗଲାଣି। ମାର୍କେଟ କମ୍ପ୍ଲେକ୍ସ କାମ ବହୁତ ପଛେଇଛି। ନିର୍ଧାରିତ ସମୟସୀମା ମଧ୍ୟରେ ନ ହେଲେ ବି ପ୍ରଥମେ ବସଷ୍ଟାଣ୍ଡ୍‌ କାର୍ଯ୍ୟକ୍ଷମ କରିଦିଆଯିବ ବୋଲି ଶ୍ରୀ ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର