ଅନଗୁଳ: ଶୁକ୍ରବାର ମଧ୍ୟ ରାତ୍ରୀ ପରେ ବଅଁରପାଳ ହାଟ ନିକଟରେ ନାଲ୍କୋର କ୍ୟାପ୍ଟିଭ୍ ପାଓ୍ଵାର୍ ପ୍ଲାଣ୍ଟ୍ର କୋଇଲା ଆଣୁଥିବା ମାଲଗାଡ଼ି ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ମୃତ ଯୁବକ ହେଉଛନ୍ତି ଗୋତମରା ଗ୍ରାମର ୨୪ ବର୍ଷିୟ ରାଜେଶ କୁମାର ନାୟକ। ତାଙ୍କ ଶବ ସିପିପି ରେଳ ଧାରଣା କଡ଼ରେ ପଡ଼ିଥିବାର ଆଜି ଲୋକେ ଦେଖିଥିଲେ।
ଗତକାଲି ଭରତପୁର କୋଇଲା ଖଣିରୁ ଆଣିଥିବା କୋଇଲା ମାଲ୍ଗାଡ଼ି ନାଲ୍କୋ ଥାନା ଅଧୀନ କ୍ୟାପ୍ଟିଭ୍ ପାଓ୍ଵାର୍ ପ୍ଲାଣ୍ଟ୍ରେ ଖାଲି କରିବା ପରେ ରାତି ପ୍ରାୟ ୧୨: ୧୫ ମିନିଟ୍ ସମୟରେ ବଅଁରପାଳ ଥାନା ଅଞ୍ଚଳ ଅତିକ୍ରମ କରୁଥିଲା ବେଳେ ରାଜେଶ ତା’ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ରେଳ ଧାରଣା ପାଖରେ ତାଙ୍କର ମଟରସାଇକେଲ୍ଟି ମଧ୍ୟ ଥୁଆ ହୋଇଛି।
ପୁଲିସ ଶବ ଉଦ୍ଧାର କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।