ଅନୁଗୁଳ,(ପତିତପାବନ ସାହୁ): ଦୀର୍ଘବର୍ଷ ଧରି ଅନୁଗୁଳ ଜିଲ୍ଲା ବିଜେଡିର ଗଡ଼ ହୋଇରହିଛି। କିନ୍ତୁ ଗତ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ଦଳକୁ ଏକ ବଡ଼ ଝଟ୍କା ଦେଇଥିଲା ବିଜେପି। ସମୁଦାୟ ୨୮ଟି ଜିଲ୍ଲା ପରିଷଦ ଆସନ ଭିତରୁ ବିଜେପି ୧୨ଟି ଆସନ ଛଡ଼ାଇ ନେଇ ବିଜେଡିକୁ ଅଡ଼ୁଆରେ ପକାଇ ଦେଇଥିଲା। ଗତ ନିର୍ବାଚନରେ ତ୍ରିକୋଣୀୟ ଲଢେଇ ସତ୍ତ୍ବେ ବିଜେପି ବଡ଼ ସଫଳତା ପାଇଥିଲାବେଳେ ଏଥର ଅଧିକାଂଶ ଆସନରେ ବିଜେଡି ଓ ବିଜେପି ଭିତରେ ଦ୍ବିମୁଖୀ ଲଢେଇ ହେବା ଅନୁମାନ କରାଯାଉଛି। ଏହି ସମ୍ମୁଖ ଲଢେଇ ପାଇଁ ଏବେ ଅନୁଗୁଳ ଜିଲ୍ଲାରେ ଚାଲିଛି ସମରସଜ୍ଜା। ଗଡ଼ ରକ୍ଷା ପାଇଁ ବିଜେଡିର ଅଣ୍ଟା ଭିଡ଼ିଥିଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲାକୁ ପ୍ରଥମଥର ପାଇଁ ଦଖଲ କରିବାକୁ ବିଜେପି ଯୋଜନା କରୁଛି।
ଜିଲ୍ଲା ପରିଷଦ ନିର୍ବାଚନ ଆରମ୍ଭ ହେବାପରଠାରୁ ଅନୁଗୁଳ ଜିଲ୍ଳାରେ ବିଜେଡି ଭଲ ପ୍ରଦର୍ଶନ କରିଆସୁଛି। କେବଳ ୨୦୦୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ କଂଗ୍ରେସ ହାତକୁ ଯାଇଥିଲା। ତେବେ ୨୦୧୨ରେ ବିଜେଡି ପୁଣି ପୁରୁଣା ସଫଳତା ଦୋହରାଇ ୨୮ଟି ଆସନରୁ ୨୧ଟି ଆସନରେ ବିଜୟୀ ହୋଇଥିଲା। ଏହି ତ୍ରିମୁଖୀ ଲଢେଇରେ କଂଗ୍ରେସକୁ ୪ଟି ଆସନ ମିଳିଥିଲାବେଳେ ବିଜେପି ପାଇଥିଲା ୨ଟି ଆସନ। କିନ୍ତୁ ୨୦୧୭ ପଞ୍ଚାୟତ ନିର୍ବାଚନରେ କଂଗ୍ରେସକୁ ତଳକୁ ଠେଲି ବିଜେପି ୧୨ଟି ଆସନ ଜିତି ବିଜେଡିକୁ କଡ଼ା ଟକ୍କର ଦେଇଥିଲା। ଏକାଧିକ ଆସନରେ ବିଜେଡି ପ୍ରାର୍ଥୀ ଅଳ୍ପ ଭୋଟରେ ଜିତିଥିଲେ। ବିଜେପି ଅଳ୍ପକେ ଜିଲ୍ଲା ପରିଷଦ ହାତେଇବାରୁ ବଂଚିତ ହୋଇଥିଲାବେଳେ ଏ ଭିତରେ ଦଳ ତା’ର ଶକ୍ତି ବୃଦ୍ଧି କରିଛି। ପୂର୍ବତନ ମନ୍ତ୍ରୀ ତଥା ଅନୁଭବୀ ବିଜେଡ଼ି ନେତା ସଂଜୀବ କୁମାର ସାହୁ, ଅନୁଗୁଳର ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ପ୍ରଧାନଙ୍କ ସମେତ ଆଉ କିଛି ନେତା ବିଜେଡ଼ି ଛାଡ଼ି ବିଜେପିରେ ମିଶିଛନ୍ତି। ଏପଟେ ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ନିୟମିତ ଅନୁଗୁଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଉଛନ୍ତି। ପୁଣି କଂଗ୍ରେସ ସଂଗଠନ ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଏଥର ପଞ୍ଚାୟତ ନିର୍ବାଚନରେ ବିଜେଡି ଓ ବିଜେପି ମଧ୍ୟରେ ମୁହାଁମୁହିଁ ଲଢେଇ ହେବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି।
ଅପରପକ୍ଷେ, ଅନୁଗୁଳ ଜିଲ୍ଲାରେ ଥିବା ୫ଟି ଯାକ ବିଧାନସଭା କ୍ଷେତ୍ରରେ ବିଜେଡିର ବିଧାୟକ ରହିଛନ୍ତି। ଏହି ବିଧାୟକଙ୍କ ନେତୃତ୍ବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପାଇଁ ଦଳ ନିଷ୍ପତ୍ତି ନେଇଛି। ଅନୁଗୁଳର ବିଧାୟକ ରଜନୀକାନ୍ତ ସିଂହ ଏବେ ଉପବାଚସ୍ପତି ଥିବାରୁ ତାଙ୍କ ପୁଅ ଅରୁଣାଭ ସାଂଗଠନିକ କାର୍ଯ୍ୟକ୍ରମ ବୁଝାବୁଝି କରୁଛନ୍ତି। ଗତଥର ବିଜେପି ଦେଇଥିବା ଝଟ୍କାକୁ ଦଳ ସହଜରେ ହଜମ କରି ପାରି ନ ଥିବାରୁ ଏଥର ଏହାକୁ ନ ହୋହରାଇବା ପାଇଁ ଚାହିଁବ। ଏଣୁ ଏବେଠାରୁ ଘନ ଘନ ବୈଠକ କରି ରଣନୀତି ପ୍ରସ୍ତୁତ କରାଯାଉଛି। ବିଶେଷକରି ଗତଥର ଯେଉଁ ସବୁ ଆସନରେ ବିଜେପି ବିଜୟୀ ହୋଇଥିଲା ସେ ସବୁ ଆସନ ଉପରେ ଅଧିକ ନଜର ଦିଆଯାଉଛି। ଏଥିପାଇଁ ଦଳ ନବୀନଙ୍କ ଭାବମୂର୍ତ୍ତିକୁ ପୁଞ୍ଜି କରିଥିଲାବେଳେ ଦଳରେ ଥିବା ଆଭ୍ୟନ୍ତରୀଣ କନ୍ଦଳ କିଛି ସ୍ଥାନରେ ଅଡ଼ୁଆ କରୁଛି। ସବୁ ନିର୍ବାଚନମଣ୍ଡଳୀରେ ସାଂସଦ ମହେଶ ସାହୁଙ୍କ ଅଲଗା ଗୋଷ୍ଠୀ ରହିଥିଲାବେଳେ ବିଧାୟକଙ୍କ ଅଲଗା ଗୋଷ୍ଠୀ ଅଛନ୍ତି। ଟିକେଟ ପାଇବା ନେଇ ସେମାନଙ୍କ ଭିତରେ ଛକାପଞ୍ଝା ଚାଲିଛି। ଟିକେଟ ପ୍ରଦାନ କ୍ଷେତ୍ରରେ ବିଧାୟକଙ୍କ ଅଧିକ କ୍ଷମତା ରହୁଥିବାରୁ ସେମାନଙ୍କୁ ପାନେ ଦେବା ପାଇଁ ଜଗିଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ। ଏହା ଜଣାପଡ଼ିବା ପରେ ପର୍ଯ୍ୟବେକ୍ଷକ ସବୁ ଗୋଷ୍ଠୀର ଲୋକଙ୍କୁ ନେଇ ସମାଧାନର ସୂତ୍ର ବାହାର କରିବାକୁ ଚେଷ୍ଟା ଚଳାଇଛନ୍ତି।