ଅନୁଗୁଳ,(ରତ୍ନାକର ଭୋଇ): ନିର୍ବାଚନ ଯେତିକି ପାଖେଇ ଆସୁଛି, ଅନ୍ୟ ନିର୍ବାଚନମଣ୍ଡଳୀ ଭଳି ଅନୁଗୁଳ ବିଧାନସଭା କ୍ଷେତ୍ରରେ ଟିକେଟ ପାଇଁ ସେତିକି ଲବି ଜୋର୍ଦାର ହେବାରେ ଲାଗିଛି। ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ (ମଣ୍ଟୁ)ଙ୍କ ପିତା ସ୍ବର୍ଗତ ଅଦ୍ବୈତ ପ୍ରସାଦ ସିଂହ ଏଠାରୁ ୪ ଥର ନିର୍ବାଚନ ଜିତିଥିଲେ। ମନ୍ତ୍ରୀ ହେବାର ବି ସୌଭାଗ୍ୟ ଅର୍ଜନ କରିଥିଲେ। ଅଦ୍ବୈତଙ୍କ ସୁପୁତ୍ର ରଜନୀକାନ୍ତ ଅନୁଗୁଳ ବିଧାନସଭା ଆସନରୁ ହାଟ୍ରିକ୍ ମାରିଛନ୍ତି। ତାଙ୍କ ସମର୍ଥକମାନେ ମଣ୍ଟୁବାବୁ ୨୦୧୯ ନିର୍ବାଚନ ଜିତି ଅନୁଗୁଳର ଚାରିଥରିଆ ବିଧାୟକ ହେବାର ଗୌରବ ଅର୍ଜନ କରିବା ସହ ତାଙ୍କ ପିତା ରେକର୍ଡ ସମକକ୍ଷ ହେବେ ବୋଲି କହୁଛନ୍ତି।
ଅନୁଗୁଳ ବ୍ଲକର ୨୫ଟି, ବଅଁରପାଳ ବ୍ଲକର ୧୭ଟି ପଞ୍ଚାୟତ ଏବଂ ଅନୁଗୁଳ ପୌରାଞ୍ଚଳକୁ ନେଇ ଗଠିତ ଏହି ବିଧାନସଭା କ୍ଷେତ୍ରରେ ୨୦୧୪ ନିର୍ବାଚନରେ ମଣ୍ଟୁ ବାବୁଙ୍କୁ ୭୨,୩୭୯ ଭୋଟ ମିଳିଥିଲା। କ˚ଗ୍ରେସ ପ୍ରାର୍ଥୀ ପ୍ରତାପ ପ୍ରଧାନ(ନୀଲୁ)୫୨,୦୩୬ ଭୋଟ ପାଇଥିଲେ। ବିଜେପିର ମୀନକେତନ ଅମାନ୍ତଙ୍କୁ ମିଳିଥିଲା ମାତ୍ର ୧୯,୯୪୮ ଭୋଟ।
ମଣ୍ଟୁ ବାବୁ ୨୦ ହଜାରରୁ ଅଧିକ ଭୋଟରେ ଜିତିଥିଲେ ହେଁ ୨୦୦୯ ନିର୍ବାଚନ ତୁଳନାରେ ତାଙ୍କ ଭୋଟହାର ହ୍ରାସ ପାଇଥିଲା। ନିକଟରେ ସଚେତନ ନାଗରିକ ଓ ଅବସରପ୍ରାପ୍ତ କର୍ମଚାରୀ ସହରରେ ପ୍ରଚାରପତ୍ର ବାଣ୍ଟି ମଣ୍ଟୁ ବାବୁ ଅନୁଗୁଳର ବିକାଶ ପାଇଁ କ’ଣ କରିଛନ୍ତି, ତାହାର ହିସାବ ମାଗିଥିଲେ। ଏପଟେ ତାଙ୍କ ବିରୋଧୀମାନେ ତାଙ୍କୁ ପୁଣି ‘ଗୁଡ୍ ଫର୍ ନଥିଂ’ ବୋଲି ମଧ୍ୟ କହି ବୁଲୁଛନ୍ତି। ୨୦୦୦ ମସିହାଠାରୁ ତାଙ୍କ ପରିବାର ହାତରେ କ୍ଷମତା ରହିଥିବାରୁ ଏଥର ନିର୍ବାଚନରେ ‘ସରକାରୀ ବିେରାଧୀ ହାଵା’ କାମ କରିପାରେ ବୋଲି ଚର୍ଚ୍ଚା ହେଉଛି।
ବିଜେଡି ମୁଖିଆ ନବୀନ ପଟ୍ଟନାୟକ ମହିଳାମାନଙ୍କୁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ପ୍ରସ୍ତାବ ଦେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେଣୁ ମହିଳା କୋଟାରେ ମଣ୍ଟୁ ବାବୁଙ୍କ ବଦଳରେ ତାଙ୍କ ପତ୍ନୀ ସଂଯୁକ୍ତା ସିଂହଙ୍କୁ ଟିକେଟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏହାଦ୍ବାରା ଦଳକୁ ନୂଆ ଚେହେରା ବି ମିଳିଯିବ। ତାମଡା ଅଧୢକ୍ଷ ତଥା ‘ଜୀବନ ବିନ୍ଦୁ’ର ଜିଲ୍ଲା ସଂଯୋଜକ ଶକ୍ତି ପଟ୍ଟନାୟକ କିନ୍ତୁ ଏଥର ଟିକେଟ ପାଇଁ ପୂରା ଦମ୍ ଲଗାଇ ଦେଇଛନ୍ତି। ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଭକ୍ତି ପ୍ରସାଦ ଦାଶ ବି ବିଜେଡି ଆଶାୟୀ ତାଲିକାରେ ରହିଛନ୍ତି।
ବିଧାନସଭା ଆସନ ବିଜେଡି କବଜାରେ ରହିଥିଲେ ହେଁ ଅନୁଗୁଳ ପୌରଶାସନ କ˚ଗ୍ରେସ ଅକ୍ତିଆରରେ ରହି ଆସିଛି। ଉଭୟ ସହରା˚ଚଳ ଓ ଗ୍ରାମା˚ଚଳରେ କ˚ଗ୍ରେସର ପକେଟ ଭୋଟ ରହିଛି। ବିଗତ ନିର୍ବାଚନ ଫଳାଫଳର ତର୍ଜମା କଲେ ଏହି ଆସନରେ କ˚ଗ୍ରେସ ଭୋଟହାର ବୃଦ୍ଧି ପାଇଥିବା ବେଳେ ଶାସକ ଦଳର ହାର ହ୍ରାସ ପାଉଛି। ଏଭଳି ପରିସ୍ଥିତିରେ କ˚ଗ୍ରେସ ଏହି ଆସନ ହାତେଇବା ଲକ୍ଷ୍ୟରେ ବେଶ୍ ତତ୍ପର ହୋଇଉଠିଛି। ତେବେ କଂଗ୍ରେସରେ ବି ବହୁ ଆଶାୟୀ ରହିଛନ୍ତି। ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, କାର୍ଯ୍ୟକାରୀ ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ସମେତ ବେଣୁଧର ସାହୁ, ଜିତେନ୍ଦ୍ର ସାହୁ, ଜୟନ୍ତ ସାହୁ, ସୁକାନ୍ତି ଦାସ ପ୍ରମୁଖ ଟିକେଟ ପାଇଁ ସ୍କ୍ରିନିଂ କମିଟି ପାଖରେ ଆବେଦନ କରିଛନ୍ତି। ତେବେ ବିପ୍ଲବ ଓ ଅମ୍ବିକାଙ୍କ ମଧ୍ୟରେ ଟିକେଟ ପାଇଁ ମୁଖ୍ୟତଃ ଟକ୍କର ହେଉଛି। ଏଭଳି ସ୍ଥିତିରେ ପୂର୍ବରୁ ଦୁଇ ଥର ପ୍ରାର୍ଥୀ ହୋଇଥିବା ସଂଗ୍ରାମ ମିଶ୍ରଙ୍କୁ ଏଥର ପୁଣି ଟିକେଟ ମିଳିପାରେ ବୋଲି ଆଲୋଚନା ହେଉଛି।
୨୦୧୪ ମସିହାରେ କ˚ଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରତାପ ପ୍ରଧାନ(ନୀଲୁ) ଇତିମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି। ତେବେ ନୀଲୁଙ୍କ ପ୍ରାର୍ଥୀ ଚର୍ଚ୍ଚାକୁ ଅନ୍ୟତମ ଆଶାୟୀ ପ୍ରାର୍ଥୀ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚା ସଭାପତି ଦିଲୀପ ପ୍ରଧାନ ତୀବ୍ର ବିରୋଧ କରୁଛନ୍ତି। ଦିଲୀପ ପ୍ରଧାନଙ୍କ ସମେତ ପୂର୍ବରୁ ୨ ଥର ହୋଇଥିବା ମୀନକେତନ ଅମାନ୍ତ ବି ଏଥର ଟିକେଟ ପାଇଁ ଆଶାୟୀ ରହିଛନ୍ତି।
୨୦୧୪ ନିର୍ବାଚନ ଫଳାଫଳ
ବିଜେଡି ରଜନୀକାନ୍ତ ସିଂହ ୭୨,୩୭୯
କଂଗ୍ରେସ ପ୍ରତାପ ଚନ୍ଦ୍ର ପ୍ରଧାନ ୫୨,୦୩୬
ବିଜେପି ମୀନକେତନ ଅମାନ୍ତ ୧୯,୯୪୮