ସ୍ୱଚ୍ଛତା ବାର୍ତ୍ତା ନେଇ ନାଲକୋ ପ୍ରଶାସନ ପକ୍ଷରୁ ପଥପ୍ରାନ୍ତ ନାଟକ ଆୟୋଜନ

ନାଲକୋ ନଗର: ସ୍ୱଚ୍ଛ ଭାରତ ଗଢିବା ପାଇଁ ବିଭିନ୍ନ ପ୍ରକାରର ଯୋଜନା ହାତକୁ ନିଆଯାଇଥିବା ବେଳେ ନାଲକୋ ପ୍ରଶାସନ ମଧ୍ୟ ନାଲକୋ ନଗରର ପାରିପାଶ୍ୱିକ ଅଞ୍ଚଳରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରସ୍ତୁତ ହୋଇଛି। ନାଲକୋ ପକ୍ଷରୁ ପାରିପାଶ୍ୱିକ ଗ୍ରାମ ବଡ଼ତଇଳା, ପିଙ୍ଗୁଆ, ଲକ୍ଷ୍ମଣପୁର ଆଦି ଗ୍ରାମକୁ ଯାଇ ନାଟକିୟ ଢଙ୍ଗରେ ପଡ଼ିଆକୁ ଶୌଚ ନଯାଇ ପାଇଖାନା ବ୍ୟବହାର କରିବା, ପରିବେଶ କୁ କିପରି ସ୍ୱଚ୍ଛତା ରଖିବା, ପଡ଼ିଆରେ ଶୌଚ ହେବାର କୁପରିଣାମ ଆଦି ବିଭିନ୍ନ ସମସ୍ୟା ଉପରେ ପଥପ୍ରାନ୍ତ ନାଟକ ପରିବେଷଣ କରିବା ସହ ମଳତ୍ୟାଗ ମୁକ୍ତ ଗାଁ ଗଠନ କରିବା ଉପରେ ସ୍ୱଚ୍ଛତା ବାର୍ତ୍ତା ବାଣ୍ଟିଛନ୍ତି।

ସ୍ୱଚ୍ଛ ଭାରତ ସ୍ଲୋଗାନ ଦେଇ ଶପଥ ନେଇଥିଲେ ଓ ଗାଁର ସମସ୍ତ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସାମିଲ ହୋଇଥିଲେ। ସଦସ୍ୟାଙ୍କୁ ସ୍ୱାସ୍ଥ୍ୟ ହିଁ ଜୀବନ ଉପରେ ଆଧାରିତ ପୁସ୍ତକ ଓ ରିଫଲେଟ ନାଲକୋ ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିସଦ ସଦସ୍ୟା ମଞ୍ଜୁଲତା ସାହୁ, ବଳରାମ ପ୍ରସାଦ ସରପଞ୍ଚ ମଧୁଛନ୍ଦା ସାହୁ, ନାଏବ୍‌ ସରପଞ୍ଚ ଦୁଷ୍ମନ୍ତ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ନାଲକୋ କାର୍ଯ୍ୟ ର୍ନିବାହୀ ଅଧିକାରୀ ରାଜକିଶୋର ମିଶ୍ରଙ୍କ ନିର୍ଦ୍ଦେଶରେ ଲୋକ ସମ୍ପର୍କ ଅଧିକାରୀଙ୍କ ୬ ଜଣିଆ ଦଳ ରାଜାରାମ ମିଶ୍ର, ସୁବ୍ରତ ତ୍ରିପାଠୀ, ପବିତ୍ର ମିଶ୍ର, ପ୍ରଶାନ୍ତ ଦାସ, ରାଜେଶ କୁମାର ଲେଙ୍କା, ଦୀପକ ସମଲ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଗ୍ରାମବାସୀ ସଭା ଶେଷରେ ବାହ୍ୟ ମଳ ମୁକ୍ତ ଗ୍ରାମ କରିବା ପାଇଁ ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର