ଇଣ୍ଡିଆନ ବ୍ୟାଙ୍କରେ ସଶସ୍ତ୍ର ଡକାୟତି : ୩୬୯ପ୍ୟାକେଟ୍‌ ସୁନା, ୮ଲକ୍ଷ ଟଙ୍କା ଲୁଟ୍‌

ଅନୁଗୁଳ : ଆଜି ଅନୁଗୁଳ ହରିମହୁରୀ ଛକ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ୍‌ ଶାଖାରେ ହୋଇଛି ସଶସ୍ତ୍ର ଡକାୟତି। ସକାଳ ପ୍ରାୟ ୧୦ଟା ୫ ମିନିଟରେ ଏକ ୪/୫ଜଣିଆ ଡକାୟତ ଗ୍ୟାଙ୍ଗ୍‌ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ମାଡ଼ ମାରି ମାଉଜର ମୁନରେ ଷ୍ଟ୍ରଙ୍ଗରୁମ୍‌ରୁ ନଗଦ ୮ଲକ୍ଷ ଟଙ୍କା ଏବଂ ପ୍ରାୟ ୩୬୯ପ୍ୟାକେଟ୍‌ ସୁନା ଗହଣା ଲୁଟି ନେଇଛନ୍ତି। ଲୁଟ୍‌ ସୁନା ଗହଣାର ମୂଲ୍ୟ ସଂଧ୍ୟା ସୁଦ୍ଧା ଆକଳନ ହୋଇପାରିନାହିଁ। ତେବେ ଏହା କୋଟିଏ ଟଙ୍କାରୁ କମ୍‌ ନୁହେଁ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ଅନୁମାନ କରୁଛନ୍ତି। ବ୍ୟାଙ୍କ୍‌ ଛାଡ଼ିବା ପୂର୍ବରୁ ଡକାୟତ ଦଳ ସିସିଟିଭି ଫୁଟେଜ୍‌ର ହାର୍ଡ଼ଡିସ୍କ୍‌ ଉଠାଇ ନେଇଛନ୍ତି। ଡକାୟତଙ୍କ ଆକ୍ରମଣରେ ଆହତ ବ୍ୟାଙ୍କ ମ୍ୟାନେଜରଙ୍କୁ ଚିକିତ୍ସା ଲାଗିି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଂଧ୍ୟାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସ୍ପଷ୍ଟ ଦିବାଲୋକରେ ଅନୁଗୁଳ ସହରର ଅନ୍ୟତମ ଜନଗହଳିପୂର୍ଣ୍ଣ ଇଲାକାରେ ସଂଘଟିତ ଏହି ସଶସ୍ତ୍ର ବ୍ୟାଙ୍କ୍‌ ଡକାୟତି ଘଟଣା ଜିଲ୍ଲାବ୍ୟାପୀ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆନ୍ଧ୍ର ବ୍ୟାଙ୍କ ଲୁଟ୍‌ ଘଟଣାରେ ଫେରାର୍‌ ଡକାୟତ ଗ୍ୟାଙ୍ଗକୁ ଧରିବା ତ ଦୂରର କଥା; ସେମାନଙ୍କୁ ଚିହ୍ନଟ ସୁଦ୍ଧା କରାଯାଇପାରିନଥିବା ବେଳେ ମାତ୍ର କିଛି ଦିନର ବ୍ୟବଧାନରେ ପୁଣିି ବଡ଼ଧରଣର ଡକାୟତି ଘଟଣା ପୁଲିସ ପାଇଁ ଖୋଲା ଚ୍ୟାଲେଞ୍ଜ୍‌ ହୋଇଛି।

ଲୁଟପାଟ ପରେ ତାଳଚେର ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ଓ ଏସପି ମିତ୍ରଭାନୁ ମହାପାତ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପଚରା ଉଚରା କରିଥିଲେ। ଅପରାହ୍‌ଣରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ବ୍ୟାଙ୍କ୍‌ ନିକଟସ୍ଥ ଏକ ଦୋକାନରୁ ପୁଲିସ କିଛି ସିସିଟିଭି ଫୁଟେଜ୍‌ ଜବତ କରିଛି। ଯେଉଁଥିରେ ଦୁଇ ଜଣ ହିନ୍ଦୀ ଭାଷାରେ କଥାବାର୍ତ୍ତା ହେଉଥିବା ଯୁବକ ଏକ ବ୍ୟାଗ୍‌ ଧରି ଜଣେ ଗାଡ଼ି ଚାଳକଙ୍କୁ ଭଡ଼ାରେ ଯିବାକୁ କହୁଥିବାର ଦୃଶ୍ୟ କୈଦ୍‌ ହୋଇଛି।

ଗତ ଏପ୍ରିଲ୍‌ ୬ତାରିଖରେ ଆନ୍ଧ୍ରବ୍ୟାଙ୍କ୍‌ରୁ ଯେଉଁ ଡକାୟତି ହୋଇଥିଲା ସେଥିରେ ନଗଦ ୨୨ଲକ୍ଷ ୭୯ହଜାର ୫୦୪ ଟଙ୍କା ଏବଂ ୨କେଜି ୯୨୧ଗ୍ରାମ୍‌ ସୁନାଗହଣା ଲୁଟ୍‌ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ୭୮ଲକ୍ଷ ୭୬ହଜାର ଟଙ୍କା ବୋଲି ଆକଳନ କରାଯାଇଥିଲା।

ସମ୍ବନ୍ଧିତ ଖବର