ବିରଳ ମାନବିକତା: ଜ୍ୱରରେ ମୃତ ବୃଦ୍ଧଙ୍କୁ କେହି ଛୁଇଁଲେନି, ବିଡିଓ କାନ୍ଧେଇ ମଶାଣିକୁ ନେଲେ

ଛେଣ୍ଡିପଦା : ମହାମାରୀ କରୋନା ଏବେ ସାରା ସମାଜକୁ ଭୟ, ଆଶଙ୍କା ଓ ହତାଶାରେ ଡୁବାଇ ଦେଇଛି। ଏ ପରିସ୍ଥିତିରେ କିନ୍ତୁ ଯାହା ଆଶାର କିରଣ ସାଜିଛି, ତାହା ହେଉଛି ଅନ୍ୟର ଦୁଃଖ ପ୍ରତି ଦରଦ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍‌ରେ ଆଜି ଏହିପରି ଏକ ଘଟଣା ଅଞ୍ଚଳରେ ଖୁସିର ମାହୋଲ୍‌ ଖେଳାଇ ଦେଇଛି। ଶବଟିଏ ଘରେ ୧୬ ଘଣ୍ଟା ଧରି ପଡ଼ିରହିଥିଲା। କରୋନା ଡରରେ ବନ୍ଧୁକୁଟୁମ୍ବ ତାକୁ ଛୁଇଁଲେ ନାହିଁ। ଏହା ଜାଣିବା ପରେ ଖୋଦ୍‌ ବିଡିଓ ପହଂଚି ଶବକୁ କାନ୍ଧରେ ବୋହି ମଶାଣିକୁ ନେଇଥିଲେ।

ସୂଚନା ଅନୁଯାୟୀ, ଛେଣ୍ଡିପଦା ବ୍ଲକ୍ ବାହାଳସାହି ପଞ୍ଚାୟତ ଗୋହିରାପଶି ଗାଁର ଗୋବିନ୍ଦ ମାଝି(୬୮) ଜଣେ ଅତି ଗରିବ ଶ୍ରେଣୀର ବ୍ୟକ୍ତି। ଏକମାତ୍ର ପୁଅ ମୁନାଙ୍କ ସହଯୋଗରେ ଚାଷବାସ କରି ପରିବାର ଚଳାନ୍ତି। ୫ ଦିନ ତଳେ ସେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ। ଘରେ ରହି ତାଙ୍କର ଚିକିତ୍ସା କରାଯାଉଥିଲା। ଗତକାଲି ସଂଧ୍ୟା ପ୍ରାୟ ୭ଟାବେଳେ ଭୀଷଣ ଜ୍ବର ସାଙ୍ଗକୁ ଶ୍ବାସକ୍ରିୟାରେ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା। କରୋନାରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କାକରି ସାହିପଡ଼ୋଶୀ, ଗ୍ରାମବାସୀ ଶବ ସଂସ୍କାର ପାଇଁ ଆସିଲେ ନାହିଁ। ମୃତ ଗୋବିନ୍ଦଙ୍କ ପତ୍ନୀ ମନ୍ଦୋଦରୀ ମଧ୍ୟ ଚାରିଦିନ ହେଲା ଜ୍ବରରେ ପଡ଼ିଛନ୍ତି ।ଏଭଳି ପରିସ୍ଥିତିରେ ଏକମାତ୍ର ପୁଅ ମୁନା ମଧ୍ୟ ବାପାଙ୍କ ମୃତଦେହ ଛୁଇଁବାକୁ ଡରିଲେ। କେବଳ ସେତିକି ନୁହେଁ, ପୁଅ ମୁନାଙ୍କ ପତ୍ନୀ ଜଣେ ଆଶା କର୍ମୀ ହୋଇଥିଲେ ହେଁ ସେ ମଧ୍ୟ ଶ୍ବଶୁରଙ୍କ ମୃତଦେହର ପାଖ ମାଡ଼ିଲେ ନାହିଁ। ଘରେ ୧୬ ଘଣ୍ଟା ଧରି ଶବ ପଡ଼ିରହିଲା।

ଶନିବାର ସକାଳେ ସ୍ଥାନୀୟ ସରପଞ୍ଚ ନାରାୟଣ ବେହେରା ଏ ସଂକ୍ରାନ୍ତରେ ଛେଣ୍ଡିପଦା ଥାନାକୁ ଜଣାଇ ପ୍ରଶାସନର ସହାୟତା ଲୋଡ଼ିଥିଲେ। ବିଡିଓ ସଞ୍ଜୟ ଆଚାର୍ଯ୍ୟ ଏହା ଜାଣିବା ପରେ ଦିନ ୧୧ଟାବେଳେ ଗାଁରେ ପହଞ୍ଚିଥିଲେ। ଶବ ସଂସ୍କାର ପାଇଁ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ସହଯୋଗ କରି ନଥିଲେ। ଶେଷରେ ବିଡିଓ ଶ୍ରୀ ଆଚାର୍ଯ୍ୟ, ସରପଞ୍ଚ ଶ୍ରୀ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଭୟ ପ୍ରଧାନ ଓ ପୁଅ ମୁନା ପିପିଇ କିଟ୍‌ ପିନ୍ଧି ଶବ କାନ୍ଧେଇ ନେଇ ମଶାଣିରେ ସଂସ୍କାର କରିଥିଲେ। ବିଡିଓଙ୍କର ଏହି ମାନବିକତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର