ଶିଶୁକୁ ଦୁଷ୍କର୍ମ, ଯୁବକ ଗିରଫ

ନାଲକୋନଗର: ଜଣେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ହୋଇଛି। କାମାନ୍ଧ ଯୁବକ ଘରେ କେହି ନ ଥିବାର ସୁଯୋଗ ନେଇ ଶିଶୁକୁ ଦୁଷ୍କର୍ମ କରିଛି। ଗୁରୁତର ଅବସ୍ଥାରେ ନାବାଳିକାକୁ ଉଦ୍ଧାର କରି ଚିକିତ୍ସା କରାଯାଇଛି। ଖବର ପାଇ ନାଲକୋ ଥାନା ପୁଲିସ୍‌ ସଦଳବଳ ଚଢ଼ଉ କରି କାମାନ୍ଧ ଯୁବକକୁ ଗିରଫ କରିଛି। ଶିଶୁ ସମେତ ପରିବାରବର୍ଗ ମାନସିକସ୍ତରରେ ଗଭୀର ଆଘାତ ପାଇଥିବା ବେଳେ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। କାମାନ୍ଧ ଯୁବକ ଜଣକ ନାଲକୋ ଠାରୁ ୨କିମି ଦୂର ଶିଶୁ ହଟିଙ୍ଗର ପୋଡ଼ସି ଜଗଦୀଶ ପିଙ୍ଗୁଆ (୨୫)ବୋଲି ଜଣାପଡ଼ିଛି। ଶିଶୁର ବାପା ଠିକା ଶ୍ରମିକ ଭାବରେ କାମ କରନ୍ତି।

ସେ  ସକାଳେ କାମ କରିବାକୁ ଯାଇଥିବା ବେଳେ ମା’ ମଧ୍ୟ ମଜୁରି ଲାଗିବା ପାଇଁ ଯାଇଥିଲେ। ଶିଶୁର ସାନ ଭଉଣୀ ଗାଁରେ ଖେଳୁଥିବା ବେଳେ ଅଭିଯୁକ୍ତ ଏହାର ସୁଯୋଗ ନେଇ ପୀଡ଼ିତା ଶିଶୁକୁ ଡାକି ଦୁଷ୍କର୍ମ କରିଥିଲା। ଯନ୍ତ୍ରଣା ହେବା ପରେ ଶିଶୁଟି ଘରେ କହିଥିଲା। ପରେ ତାକୁ ଚିକିତ୍ସାଳୟ ନିଆଯାଇଥିଲା। ପରିବାର ଲୋକ କାମରୁ ଫେରି ନାଲକୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜଗଦୀଶ ନିଜ ଘରେ ଥିବା ବେଳେ ତାକୁ ପୋଲିସ ଗିରଫ କରିଥିଲା। ଉଭୟଙ୍କର ଡାକ୍ତରୀ ମାଇନା କରାଯିବା ପରେ ଜଗଦୀଶକୁ କୋର୍ଟ ଚାଲାଣ କରାଯାଇଥିଲା। ଏ ନେଇ ନାଲ୍‌କୋ ଥାନାରେ ଏକ ମାମଲା(୮୮/୧୮) ରୁଜୁ ହେବା ସହ ତଦନ୍ତ ଚାଲିଥିବା  ଥାନା ଇନ୍‌ସ୍‌ପେକ୍ଟର ଗୀତାଞ୍ଜଳି ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର