ବିଦ୍ରୋହୀ ବିଜେଡି ସହ ହାତ ମିଳାଇଛି ବିଜେପି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଚିଠି ଲେଖିଲେ ମଣ୍ଡଳ ବିଜେପି ସଭାପତି

ପାଳଲହଡ଼ା : ପାଳଲହଡ଼ା ବ୍ଲକ୍‌ରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଦଳର କସରତ ଆରମ୍ଭ ହୋଇଯାଇଛି। ବିଶେଷକରି ଦଳୀୟ ପ୍ରାର୍ଥୀ ଚୟନ ନିମନ୍ତେ ଏବେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସରେ ଜୋରସୋର ପ୍ରକ୍ରିୟା ଚାଲିଛି। ସମିତି ସଭ୍ୟ ପ୍ରାର୍ଥୀ ଚୟନ କ୍ଷେତ୍ରରେ ବିଜେପି ବିଦ୍ରୋହୀ ବିଜେଡି ସହ ହାତ ମିଳାଇଛି ବୋଲି ଖେମଳା ମଣ୍ଡଳ ବିଜେପି ସଭାପତି ଧର୍ମେନ୍ଦ୍ର ସାହୁ ଆଜି ପ୍ରେସ୍‌ ବିବୃତିରେରେ ପ୍ରକାଶ କରିଛନ୍ତି। ଏଥିସହିତ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେ ଏ ସମ୍ପର୍କରେ ଚିଠି ଲେଖିଥିବା କହିଛନ୍ତି ।

ଶ୍ରୀ ସାହୁ କହିଛନ୍ତି, ୨୦୧୪ ମସିହା ବିଧାନସଭା ନିର୍ବାଚନରେ କେତେକ ବିଜେପି କର୍ମକର୍ତ୍ତା ଅନ୍ତର୍ଘାତୀ କାର୍ଯ୍ୟ କରିବାରୁ ଏଠାରେ ବିଜେଡି ବିଜୟ ଲାଭକଲା। କିନ୍ତୁ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବିଜେପି ସଂଗଠିତ ଥିବାରୁ ସହମତି ଭିତ୍ତିରେ ସଠିକ୍‌ ପ୍ରାର୍ଥୀ ଚୟନ କରିଥିଲା। ତେଣୁ ବ୍ଲକ୍‌ର ୩ଟି ଜିଲ୍ଲାପରିଷଦ ଜୋନ୍‌ ମଧ୍ୟରୁ ୨ଟି‌ରେ ବିଜେପି ବିଜୟ ଲାଭ କରିବା ସହ ଅଧ୍ୟକ୍ଷ ପଦ ଲାଭ କରିଥିଲା। କିନ୍ତୁ ଚଳିତ ନିର୍ବାଚନରେ ସମିତି ସଭ୍ୟ ପ୍ରାର୍ଥୀ ଚୟନରେ ବିଜେପି ସହମତିକୁ ଉପେକ୍ଷା କରିଛି। ବିଜେଡିର ବିଦ୍ରୋହୀ ଗୋଷ୍ଠୀ ସହ ବିଜେପି ମିଶି ସମିତି ସଭ୍ୟ ପ୍ରାର୍ଥୀ ଚୟନ କରୁଛି। ବିଜେପି ଏକ ରାଷ୍ଟ୍ରୀୟ ଦଳ। ତେଣୁ ଦଳର କର୍ମକର୍ତ୍ତାଙ୍କ ସହମତି ଭିତ୍ତି‌ରେ ବିଜେପି ପ୍ରାର୍ଥୀ ଚୟନ କରିବା ଆବଶ୍ୟକ। ଏଥିରେ ତୁରନ୍ତ ହସ୍ତ‌କ୍ଷେପକରି ସମସ୍ୟାର ସମାଧାନ କରିବା ପାଇଁ ଶ୍ରୀ ସାହୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି ବୋଲି ଏହି ବିବୃତିରେ ଜଣାଇଛନ୍ତି। ଏହାର ବିଚାର କରାନଗଲେ ଦଳ ସହିତ ସେ ସଂପର୍କ ତୁଟାଇବା ପାଇଁ ଦ୍ବିଧା ପ୍ରକାଶ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର