କାଜୁ ଜଗୁଆଳିଙ୍କୁ ଦଳିଦେଲା ଦନ୍ତା

q ଅଳ୍ପକେ ରକ୍ଷା ପାଇଲେ ଅନ୍ୟ ଜଗୁଆଳି q ନଦୀକୂଳ ଅଞ୍ଚଳରେ ୪ ଦନ୍ତା ସମେତ ୬୪ ହାତୀଙ୍କ ଉପଦ୍ରବ q ହାତୀ ଆକ୍ରମଣରେ ୬ ମାସରେ ମଲେଣି ୭ q ଚାଷ କରିବା ନେଇ ଚିନ୍ତାରେ ଚାଷୀ

ପର୍ଜଙ୍ଗ: ପର୍ଜଙ୍ଗ ବ୍ଲକ୍‌ ନଦୀ କୂଳ ଗାଁ’ରେ ହାତୀପଲଙ୍କ ଉପଦ୍ରବ ଥମିବାରେ ନାଁ ଧରୁନି। ନଦୀକୂଳ ଅ˚ଚଳରେ ୪ଟି ଦନ୍ତା ସମେତ ୬୪ଟି ହାତୀ ଉପଦ୍ରବ ଚଳାଇଛନ୍ତି। ଆଜି ଭୋର‌୍‌ ପ୍ରାୟ ସାଢେ଼ ୪ଟା ବେଳେ କୁମୁସୀ-ରେଣ୍ଠାପାଟ ରାସ୍ତାରେ ଥିବା କାଜୁ ବଗିଚା ଜଗିଥିବା ଦୁଇଜଣ ଜଗୁଆଳିଙ୍କ ମଧ୍ୟରୁ ଜଣକୁ ହାତୀ ଦଳି ମାରିନେଇଥିବା ବେଳେ ଅନ୍ୟ ଜଣେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ବନ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କୁମୁସୀ ପଞ୍ଚାୟତର କାଜୁ ବଗିଚା ଜଗିବା ପାଇଁ ତୁମୁସି˚ହା ଥାନା ସୋଗର ଗ୍ରାମରୁ ୧୦ ଜଣ ଜଗୁଆଳି ଆସିଥିଲେ। କାଜୁ ବଗିଚା ଭିତରେ ମା’ଡେଙ୍ଗେଇଶୁଣି ପୀଠ ନିକଟରେ ଥିବା ପୂଜକ ବିଶ୍ରାମ ଗୃହରେ ଜଗୁଆଳିମାନେ ରୁହନ୍ତି। ଦିନରେ ସମେସ୍ତ ଘର ଭିତରେ ରହୁଥିବା ବେଳେ ରାତିରେ ଛାତ ଉପରେ ଶୋଇଥାନ୍ତି। ଆଜି ଭୋର ପ୍ରାୟ ୪ଟା ବେଳେ ସୋଗର ଗ୍ରାମର ଜଗୁଆଳି ନରୋତ୍ତମ ଦେହୁରୀ (୫୨), ସତ୍ୟ ଦେହୁରୀ (୪୯) ଉଭୟ ତଳକୁ ପରିସ୍ରା କରିବାକୁ ଆସିଥିବା ବେଳେ ଏକ ଦନ୍ତାର ମୁହାଁମୁହିଁ ହୋଇଥିଲେ। ପ୍ରଥମେ ସତ୍ୟ ଦନ୍ତାକୁ ଦେଖି ଘର ଭିତରକୁ ଦୌଡ଼ି ପଳାଇଥିବା ବେଳେ ନରୋତ୍ତମ ଯାଇ ପାରିନଥିଲେ। ନରୋତ୍ତମଙ୍କୁ ଦନ୍ତା ପାଦରେ ଦଳି ପକାଇଥିଲା। ଦନ୍ତା ଗର୍ଜନ ଶୁଣି ଶୋଇଥିବା ଅନ୍ୟ ଜଗୁଆଳିମାନେ ଉଠି ପଡ଼ିଥିଲେ। ସେମାନେ ଚିକିତ୍ସା ପାଇଁ ନରୋତ୍ତମଙ୍କୁ ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ମହାବିରୋଡ୍‌ ରେଞ୍ଜର ହରମୋହନ ନାୟକ, ଡିହଡୋଳ ଫରେଷ୍ଟର ରାମଚନ୍ଦ୍ର ରାଉତ, ସାଆନ୍ଦା ଫାଣ୍ତି ଅଧିକାରୀ ସୁରେଶ ମହାପାତ୍ର ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ କରାଇଥିଲେ। ବନ ବିଭାଗ ତରଫରୁ ରେଞ୍ଜର ଶ୍ରୀ ନାୟକ ପ୍ରାଥମିକ ସହାୟତା ବାବଦକୁ ୪୦ ହଜାର ଟଙ୍କାର ଚେକ୍‌ ମୃତକଙ୍କ ପରିବାରକୁ ପ୍ରଦାନ କରିଥିଲେ। ତେବେ ଜଗୁଆଳି ନରୋତ୍ତମଙ୍କୁ ମାରିବା ପୂର୍ବରୁ ଦନ୍ତା ରାତି ପ୍ରାୟ ୨ଟା ବେଳେ ପାଣିଭଣ୍ତାର ଗ୍ରାମର ମୁରଲୀ ସାହୁଙ୍କର ଗୋଟିଏ ବଖରା ଚାଳଘର ଭାଙ୍ଗିବା ସହ ସେହି ଗ୍ରାମର ଥାଳ ବେହେରାଙ୍କର ଘର କାନ୍ଥ ଭାଙ୍ଗି ଧାନ ଖାଇ ଦେଇଥିଲା।
ପ୍ରକାଶଥାଉକି ନଦୀକୂଳ ଅଞ୍ଚଳରେ ଚଳିତ ବର୍ଷ ୬ ମାସ ମଧ୍ୟରେ ହାତୀ ୭ ଜଣଙ୍କୁ ମାରି ସାରିଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୫୦ରୁ ଅଧିକ ଘର ଭାଙ୍ଗିଲେଣି। ହାତୀ ଉପଦ୍ରବ ଯୋଗୁଁ ଚଳିତ ବର୍ଷ ନଦୀକୂଳ ଅଞ୍ଚଳରେ ଧାନ ଫସଲ କରିବା ନେଇ ଚାଷୀମାନେ ଚିନ୍ତାରେ ଅଛନ୍ତି।

ସମ୍ବନ୍ଧିତ ଖବର