ସବୁ ଦଳର ମୁଣ୍ଡବିନ୍ଧା ‘ଅସନ୍ତୁଷ୍ଟ’

Advertisment
ସବୁ ଦଳର ମୁଣ୍ଡବିନ୍ଧା ‘ଅସନ୍ତୁଷ୍ଟ’

ଛେଣ୍ଡିପଦା(ସୁଶାନ୍ତ ପ୍ରଧାନ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଛେଣ୍ଡିପଦା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ସବୁ ଦଳରେ ପ୍ରାର୍ଥିତ୍ବକୁ କେନ୍ଦ୍ର କରି ଗୋଷ୍ଠୀ କନ୍ଦଳ ମଧ୍ୟ ଘନୀଭୂତ ହେବାରେ ଲାଗିଲାଣି। ୧୦ ବର୍ଷ ପୂର୍ବେ ଗଠିତ ହୋଇଥିବା ଛେଣ୍ଡିପଦା ନିର୍ବାଚନମଣ୍ଡଳୀକୁ ତଫସିଲଭୁକ୍ତ ଜାତି(ଏସସି)ବର୍ଗଙ୍କ ଲାଗି ସଂରକ୍ଷିତ ରଖାଯାଇଛି । ୨୦୦୯ରେ ଶାସକ ବିଜେଡିରୁ ଖଗେଶ୍ୱର ବେହେରା, କଂଗ୍ରେସରୁ ଅଗସ୍ତି ବେହେରା, ବିଜେପିରୁ ସଂଜୟ ନାଏକ, ସ୍ୱାଧୀନ ପ୍ରାର୍ଥୀ ଭାବେ ଗୋବିନ୍ଦ ନାଏକ ଓ ଆରପିଆଇରୁ ମିଲି ନାଏକ ପ୍ରତିଦ୍ୱନ୍ଦ୍ବିତା କରିଥିଲେ। ବିଧାୟକ ଭାବେ ବିଜେଡି ପ୍ରାର୍ଥୀ ଖଗେଶ୍ୱର ବେହେରା କଂଗ୍ରେସର ଅଗସ୍ତିଙ୍କୁ ୪,୯୦୬ ଭୋଟରେ ପରାଜିତ କରି ବିଜୟୀ ହୋଇଥିଲେ। ୨୦୧୪ ନିର୍ବାଚନରେ ଶାସକ ବିଜେଡି ପକ୍ଷରୁ ଶ୍ରୀ ବେହେରାଙ୍କ ବଦଳରେ ସୁଶାନ୍ତ ବେହେରାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ କଂଗ୍ରେସରୁ ଅଗସ୍ତି ବେହେରା, ବିଜେପିରୁ ବିଜେଡିର ବିଦ୍ରୋହୀ ନେତା ସନ୍ତୋଷ ନାଏକ, ବିଏସ୍‌ପିରୁ ଗୋବିନ୍ଦ ନାଏକ, ଏସ୍‌ୟୁସିଆଇରୁ ଭରତ ନାଏକ, ଆପ୍‌ରୁ ଛାତ୍ରନେତା ତ୍ରିଲୋଚନ ବେହେରା, ଏପିଆଇରୁ ସୁବାସ ନାଏକ, ସ୍ୱାଧୀନ ପ୍ରାର୍ଥୀ ଭାବେ ଭିକାରାମ ନାଏକ ଓ ଶୁକଦେବ ବେହେରା ପ୍ରତିଦ୍ୱନ୍ଦ୍ବିତା କରିଥିଲେ। ବିଜେଡି ପ୍ରାର୍ଥୀ ସୁଶାନ୍ତ ବେହେରା ୯,୮୦୪ ଭୋଟରେ କଂଗ୍ରେସର ଅଗସ୍ତିଙ୍କୁ ପରାଜିତ କରିଥିଲେ। ଫଳାଫଳ ଥିଲା ଏମିତି। ସୁଶାନ୍ତ ବେହେରା ୬୨,୦୩୫ ଭୋଟ, ଅଗସ୍ତି ବେହେରା ୫୨,୨୨୮ ଭୋଟ, ବିଜେପି ପ୍ରାର୍ଥୀ ସନ୍ତୋଷ ନାଏକ ୧୫,୭୯୧ ଭୋଟ, ବିଏସ୍‌ପି ପ୍ରାର୍ଥୀ ୩,୯୦୬ ଭୋଟ ପାଇଥିଲେ। ତେବେ ଚଳିତ ନିର୍ବାଚନରେ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ବିତା ହେବାର ଅନୁମାନ କରାଯାଉଛି। ନିର୍ବାଚନ ଯେତିକି ପାଖେଇ ଆସୁଛି ତିନିଦଳରେ ଗୋଷ୍ଠୀ କନ୍ଦଳ ସେତିକି ବୃଦ୍ଧି ପାଉଛି । ଦଳୀୟ ଟିକେଟ୍ ପାଇଁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି।

ଦୁଇବର୍ଷ ପୂର୍ବରୁ ଦଳୀୟ ଚିହ୍ନରେ ହୋଇଥିବା ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ଭୋଟ ଅନୁଯାୟୀ ନିର୍ବାଚନମଣ୍ଡଳୀର ଛେଣ୍ଡିପଦା ବ୍ଲକ ୪ଟି ଜୋନ୍ ଓ ବଅଁରପାଳ ବ୍ଳକର ୨ଟି ଜୋନରେ ବିଜେଡି ୭୭,୭୦୦ ଭୋଟ ପାଇ ପ୍ରଥମ, ବିଜେପି ୫୧,୫୦୫ ଭୋଟ ପାଇ ଦ୍ବିତୀୟ ଓ କଂଗ୍ରେସ ୩୧,୩୮୦ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲା। ପଞ୍ଚାୟତ ନିର୍ବାଚନ ସ୍ଥିତିରୁ ବିଜେଡି ପ୍ରତିଦ୍ୱନ୍ଦ୍ବୀ ବିଜେପି ଠାରୁ ୨୬,୧୯୫ ଭୋଟରେ ଆଗୁଆ ରହି ସୁବିଧାଜନକ ସ୍ଥିତିରେ ରହିଥିବା ସୂଚାଇଥିଲା। ଇତିମଧ୍ୟରେ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଧାୟକ ଶ୍ରୀ ବେହେରାଙ୍କ ବିରୋଧରେ ବିରୋଧୀ ଗୋଷ୍ଠୀ ପକ୍ଷରୁ ବାରମ୍ୱାର ବୈଠକ ଓ ସଭାମାନ ଆୟୋଜିତ ହେଉଛି। ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ନିଜ ପ୍ରଥମ ପାଳିର ଉଲ୍ଲେଖନୀୟ କାର୍ଯ୍ୟ ଓ ଅସଂପୂର୍ଣ୍ଣ କାର୍ଯ୍ୟକୁ ପୂରଣ କରିବା ଲାଗି କର୍ମୀଙ୍କ ପାଖକୁ ଯାଇ ନିଜ ସପକ୍ଷରେ ଲବି କରୁଛନ୍ତି। ଏହା ବ୍ୟତୀତ ଜିଲ୍ଲା ଦଳିତ ମହାସଂଘ ସଭାପତି ତଥା ଆଇନଜୀବୀ ରାଜକିଶୋର ନାଏକ, ପୂର୍ବତନ ସମବାୟ ନିର୍ଦେଶକ ପଞ୍ଚାନନ ବେହେରା, ସୁବଳ ସେଠୀ, ରାଜ୍ୟ ପରିସଂଖ୍ୟାନ ବିଭାଗ ନିର୍ଦେଶକ ଦୁଃଶାସନ ବେହେରା ମଧ୍ୟ ବିଜେଡି ଟିକେଟ ପାଇଁ ଲବି କରୁଛନ୍ତି। ଇତିମଧ୍ୟରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ଅଗସ୍ତି ବେହେରା ଦଳୀୟ ପ୍ରାର୍ଥୀ ହେବା ନେଇ ନିଶ୍ଚିତ ଥିବା ବେଳେ ସନ୍ତୋଷ ନାଏକ, ଗୋବିନ୍ଦ ନାଏକ, ସଂଜୟ ନାଏକ ମଧ୍ୟ ବିଜେପି ଟିକେଟ ଲବିରେ ଅଛନ୍ତି। ସେହିପରି କଂଗ୍ରେସ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାଜ୍ୟ କଂଗ୍ରେସର ଉପସଭାପତି ଇଂ. ସସ୍ମିତା ବେହେରାଙ୍କ ନାମ ରହିଥିବା କୁହାଯାଉଛି। ରାଜ୍ୟ ତଫସିଲଭୁକ୍ତ ଜାତି ଆବାହକ ନରୋତ୍ତମ ନାଏକ, ଗୋପବନ୍ଧୁ ନାଏକ ମଧ୍ୟ ଦଳୀୟ ଟିକେଟ ଲବିରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe