ଅନୁଗୁଳ: ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ଅନୁଗୁଳ ପୁଲିସ ପ୍ରଶାସନ ବେଶ୍ ତତ୍ପରତା ଦେଖାଇଛି। ନିର୍ବାଚନ ବେଳେ ହିଂସାକାଣ୍ଡ ରୋକିବା ପାଇଁ ଏବେ ପୁଲିସ ପ୍ରଶାସନ ଲାଇସେନ୍ସପ୍ରାପ୍ତ ବନ୍ଧୁକ, ପିସ୍ତଲ ଜମା କରିବାକୁ ନିର୍ଦ୍ଦେଶ ଜାରି କରିଥିବା ବେଳେ ବେଆଇନ ଭାବେ ଏଭଳି ମାରଣାସ୍ତ୍ର ରଖିଥିବା ଲୋକଙ୍କ ଘରେ ଚଢ଼ଉ କରାଯାଉଛି। ଗତ ୯ ତାରିଖ ସୁଦ୍ଧା ଜିଲ୍ଲାରେ ୮୮୮ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ, ପିସ୍ତଲ ପୁଲିସ ପାଖରେ ଜମା କରାଯାଇଛି। ଜମା ହୋଇଥିବା ମାରଣାସ୍ତ୍ରଗୁଡ଼ିକ ଅସ୍ତ୍ରାଗାରରେ ରଖାଯାଇଛି। ତେବେ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବେଆଇନ ଭାବେ ରଖାଯାଇଥିବା ଏଭଳି ୨୧ଟି ମାରଣାସ୍ତ୍ର ଜବତ କରାଯାଇଛି। ଏଗୁଡ଼ିକ ଥାନାର ମାଲଖାନାରେ ରଖାଯାଇଛି। ନିର୍ବାଚନରେ ଭୋଟରଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରିବାର ଆଶଙ୍କା ରହିଥିବାରୁ ଏଭଳି କାରବାର ଉପରେ ଅଂକୁଶ ଲଗାଇବା ନିମେନ୍ତ ପ୍ରଶାସନ ପକ୍ଷରୁ ଜିଲ୍ଲାର ପ୍ରମୁଖ ରାସ୍ତା ଓ ସହରଗୁଡ଼ିକର ପ୍ରବେଶ ପଥରେ ସ୍ବତନ୍ତ୍ର ସ୍କ୍ବାଡ୍ ଦ୍ବାରା ଯାଂଚ କରାଯାଉଛି। ଯାଂଚ ବେଳେ ଏପର୍ଯ୍ୟନ୍ତ ୫ ଲକ୍ଷ ଟଙ୍କା ଜବତ ମଧ୍ୟ କରାଯାଇଛି। ଗତ ୯ ତାରିଖ ଦିନ ତାଳଚେର ସନ୍ଥପଡ଼ା ଛକରେ ଏକ କାରରୁ ଜବତ ହୋଇଥିବା ୩ ଲକ୍ଷ ୫୨ ହଜାର ଟଙ୍କା ନକଲି ନୋଟ୍ ହୋଇଥିବା ଆଜି ତାଳଚେର ପୁଲିସ ସ୍ପଷ୍ଟ କରିଛି। ଏହି ନକଲି ନୋଟ ମାମଲାରେ ତାଳଚେରର ଜଣେ ମାଛ ବ୍ୟବସାୟୀ ବ୍ରଜମୋହନ ସାହୁ ସହିତ ଯାଜପୁର ଦୁଇ ବ୍ୟକ୍ତିକୁ ଗିରଫ କରାଯାଇଛି। କେବଳ ସେତିକି ନୁହେଁ, ଦାଗୀମାନଙ୍କୁ ଧରିବା ପାଇଁ ବି ପୁଲିସ ଉଦ୍ୟମ ଚଳାଇଛି। ବିଭିନ୍ନ ଥାନା ଅଂଚଳର ୬୭୦ ଜଣଙ୍କ ନାମରେ ପୁରୁଣା ୱାରେଣ୍ଟ ରହିଛି। ଗତ ୯ ତାରିଖ ସୁଦ୍ଧା ଏଥିରୁ ୧୯ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦିଆଯାଇଛି। ସେହିପରି ମଦ କାରବାର ରୋକିବା ନିମନ୍ତେ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ବେଆଇନ ମଦ କାରବାର ସଂକ୍ରାନ୍ତରେ ୫୧୭ଟି ମାମଲା ରୁଜୁ କରାଯାଇଥିବା ବେଳେ ୪୫୯୬.୬୨ ଲିଟର ମଦ ଜବତ କରାଯାଇଥିବା ସୂଚନା ଦିଆଯାଇଛି। ତେବେ ମଦ ତଦାରଖ ଟିମ୍ ଦ୍ବାରା ଚଢ଼ଉ କରାଯାଇ ୪ ଲକ୍ଷ ୧୯ ହଜାର ୯୩୦ ଟଙ୍କା ମୂଲ୍ୟର ମଦ, ଗଂଜେଇ ଆଦି ନିଶାଦ୍ରବ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।
ନିର୍ବାଚନ ବେଳେ ହିଂସାକାଣ୍ଡ ରୋକିବା ପାଇଁ ପ୍ରୟାସ:ଜବତ ହେଲାଣି ୨୧, ଜମା ୮୮୮ ବନ୍ଧୁକ
/sambad/media/post_attachments/wp-content/uploads/2019/04/rivelver.jpg)