ଡକାଡକି ହୋଇ ଚାଲିଗଲେ ସ୍ବାମୀ-ସ୍ତ୍ରୀ, ଏକମାତ୍ର ଝିଅ ଅସହାୟ

ଛେଣ୍ଡିପଦା : କରୋନା ଏବେ ଭୟଙ୍କର ପରିସ୍ଥିତି ସୃଷ୍ଟିକଲାଣି। କେଉଁଠି ପୁଅ ପଛେ ପଛେ ମାଆ ଚାଲିଯାଇଥିବାବେଳେ କେଉଁଠି ପତ୍ନୀ ମୃତ୍ୟୁର ମାସେ ନପୂରୁଣୁ ପ୍ରାଣ ହରାଇଲେଣି ସ୍ବାମୀ। ଏହିଭଳି ଏକ ଦୁଃଖଦ ଘଟଣା ଘଟିଛି ଛେଣ୍ଡିପଦା ବ୍ଲକ୍‌ ଶିମିଳପାଳ ପଞ୍ଚାୟତ ସାପୁଇନାଳୀ ଗାଁରେ। ପତ୍ନୀ ହୃଦ୍‌ଘାତରେ ଜୀବନ ହରାଇବାର ୨୧ ଦିନରେ କରୋନା ସଂକ୍ରମିତ ହୋଇ ଆରପାରିକୁ ଚାଲିଗଲେ ସ୍ବାମୀ। ପଛରେ ଛାଡ଼ିଗଲେ ଏକମାତ୍ର ନାବାଳିକା ଝିଅ।

ସୂଚନା ଅନୁଯାୟୀ, ସାପୁଇନାଳୀର ମିହିର କୁମାର ସାହୁ (୪୬) ଥିଲେ ଜଣେ ପରିବହନ ବ୍ୟବସାୟୀ। ତାଙ୍କର ୨ଟି ଟ୍ରକ୍‌ ଥିବାବେଳେ ସେଥିରେ ମାଲ୍‌ ପରିବହନକରି ପରିବାର ପୋଷୁଥିଲେ। ଅନୁଗୁଳ ଟାଉନରେ ଘର ଭଡ଼ାନେଇ ସପରିବାର ରହୁଥିଲେ। ମିହିରଙ୍କ ପତ୍ନୀ ଶୁଭଶ୍ରୀ ସାହୁ(୩୬)ଙ୍କର ଗତମାସ ୨୪ରେ ହୃଦ୍‌ଘାତରେ ମୃତ୍ୟୁ ଘଟିଲା। ପତ୍ନୀଙ୍କ ଦେହାନ୍ତରେ ଦୁଃଖରେ ଭାଙ୍ଗିପଡ଼ିଲେ ମିହିର। ଗତମାସ ୨୮ ତାରିଖରେ ମିହିର ଅସୁସ୍ଥ ହୋଇପଡ଼ିଥିଲେ। ଜ୍ୱର ହେବାରୁ ସେ କୋଶଳା ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ଭୁବନେଶ୍ବରରେ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୪ ଟାବେଳେ ତାଙ୍କର ମୃତ୍ୟୁ ଘଟିଛି। ସରକାରୀ ବ୍ୟବସ୍ଥା ମଧ୍ୟରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି। ତାଙ୍କର ଏକମାତ୍ର ସନ୍ତାନ ଯୁକ୍ତଦୁଇରେ ପଢ଼ୁଥିବା ଝିଅ ସୌମ୍ୟସମର୍ଥିତା ଏବେ ବେସାହାରା ହୋଇପଡ଼ିଛନ୍ତି। ଏହି ଘଟଣା ଅଞ୍ଚଳରେ ଦୁଃଖ ଖେଳାଇଦେଇଛି।

ସମ୍ବନ୍ଧିତ ଖବର