ଛେଣ୍ଡିପଦା: ଅନୁଗୁଳ-ଛେଣ୍ତିପଦା ୬୩ ନମ୍ବର ରାଜ୍ୟ ରାଜପଥର କୋଶଳା ରିସର୍ଚ୍ଚ ନର୍ସରୀ ସମୁଖରେ ରାସ୍ତାକଡ଼ରେ ଥିବା ଗଛ ଭାଙ୍ଗି ବାଇକ୍ ଉପରେ ପଡ଼ିବାରୁ ବାଇକରେ ଥିବା ପତି, ପତ୍ନୀ ଓ ପୁଅ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳ ସାଢେ ଦଶଟା ବେଳେ ଛେଣ୍ଡିପଦା ଥାନା କରଡାବାହାଳ ଗ୍ରାମର ବ୍ରଜବନ୍ଧୁ ନାଏକ(୪୫), ବାଇକରେ ପତ୍ନୀ ସତ୍ୟବତୀ(୩୭)ଙ୍କ ସହିତ ପୁଅ କାହ୍ନାକୁ ଧରି ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଯାଉଥିଲେ।
ଯିବାରାସ୍ତାରେ କୋଶଳା ରିସର୍ଚ୍ଚ ନର୍ସରୀ ନିକଟ ରାସ୍ତାକଡ଼ରେ ଥିବା ଗଛ ଭାଙ୍ଗି ବ୍ରଜବନ୍ଧୁଙ୍କ ବାଇକ ଉପରେ ପଡ଼ିଥିଲା। ଏଥିରେ ବ୍ରଜବନ୍ଧୁ, ପତ୍ନୀ ସତ୍ୟବତୀ ଓ ପୁଅ କାହ୍ନା ଗୁରୁତର ଆହତ ହୋଇଥିଲେ। ତାଙ୍କୁ କୋଶଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବାଇକ ଭାଙ୍ଗିରୁଜି ଯାଇଥିବା ବେଳେ ସେମାନଙ୍କର ଗୋଡ଼, ହାତ ଓ ମୁହଁରେ ଗଭୀର ଆଘାତ ଲାଗିଛି। ଛେଣ୍ତିପଦା-ଅନୁଗୁଳ ରାସ୍ତାରେ ଗଛ ପଡ଼ିଥିବାରୁ ଅଧଘଣ୍ଟା ଧରି ଯାତାୟାତ ବନ୍ଦ ରହିଥିଲା।