ରାଜ୍ୟର ୨୧ତମ ସ୍ଥାନରେ ଅନୁଗୁଳ: ସଂକ୍ରମଣରେ ଆଗୁଆ, ଟିକାକରଣରେ ପଛୁଆ

ଅନୁଗୁଳ: କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ଶିଳ୍ପନଗରୀ ଅନୁଗୁଳ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ମେ’ ଆରମ୍ଭରୁ ଏଠାରେ ସଂକ୍ରମଣ ଧାରା ବଢିବା ସହ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ପାର୍ କରି ସାରିଲାଣି। କିନ୍ତୁ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ଆଖିଦୃଶିଆ ଭାବେ ଆଗେଇ ପାରିନି। ଏବେ ବି ଅନୁଗୁଳ ଜିଲ୍ଲାରେ ଟିକାକରଣ ଦେଢ ଲକ୍ଷ ବି ଛୁଇଁନି। ସରକାରୀ ସୂଚନା ଅନୁସାରେ, ଅନୁଗୁଳ ଜିଲ୍ଲାରେ ୧ ଲକ୍ଷ ୧୬ ହଜାର ଲୋକଙ୍କୁ ପ୍ରଥମ ଡୋଜ୍ ପ୍ରଦାନ କରାଯାଇଥିଲାବେଳେ ୨୯ ହଜାର ଲୋକଙ୍କୁ ଉଭୟ ଡୋଜ ପ୍ରଦାନ କରାଯାଇଛି। ଟିକାକରଣ ତାଲିକାରେ ରାଜ୍ୟର ୨୧ତମ ସ୍ଥାନରେ ଅନୁଗୁଳ ଜିଲ୍ଲା ରହିଥିଲାବେଳେ ଏହା ତଳକୁ ଆଉ ୯ଟି ଜିଲ୍ଲା ଅଛନ୍ତି।
କିଛି ଦିନ ହେଲା ରାଜ୍ୟର ସଂକ୍ରମଣ ତାଲିକାର ପ୍ରଥମ ୩ଟି ସ୍ଥାନରେ ଅନୁଗୁଳ ଜିଲ୍ଲା ରହି ଆସୁଛି। ଆଜି ଏଠାରୁ ୮୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଗତକାଲି ୮୫୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ୧୦ ତାରିଖ ପରଠାରୁ ଏମିତି ଗୋଟିଏ ବି ଦିନ ନାହିଁ, ଯେବେ ଏଠାରୁ ୫ ଶହରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏପରିକି ଗୋଟିଏ ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୯ ଶହ ପାର୍ କରିଛି। ଏତେ ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଥିଲେ ମଧ୍ୟ କରୋନା କବଚ କୁହାଯାଉଥିବା ଟିକା ପ୍ରଦାନ କ୍ଷେତ୍ରରେ କିନ୍ତୁ ପଛରେ ପଡ଼ି ଯାଇଛି ଅନୁଗୁଳ ଜିଲ୍ଲା। ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମାତ୍ର ୧ ଲକ୍ଷ ୪୫ ହଜାର ଡୋଜ ଟିକା ପ୍ରଦାନ କରାଯାଇଛି। ଏଥିରୁ ୧,୧୬, ୪୨୭ ଜଣଙ୍କୁ ପ୍ରଥମ ଡୋଜ ମିଳିଥିଲାବେଳେ ୨୯ ହଜାର ଲୋକ ଦୁଇଟି ଲେଖାଏଁ ଡୋଜ ନେଇ ସାରିଛନ୍ତି। ରାଜ୍ୟରେ ୭୧ ଲକ୍ଷ ୧୭ ହଜାର ଟିକା ପ୍ରଦାନ କରାଯାଇଥିଲାବେଳେ ଏହାର ମାତ୍ର ୨ ପ୍ରତିଶତ ଟିକା ଅନୁଗୁଳ ଜିଲ୍ଲାକୁ ମିଳିଛି। ଅନୁଗୁଳ ପଛକୁ ବୌଦ, ଦେବଗଡ, ନୂଆପଡା, ଗଜପତି, ମାଲକାନଗିରି, ସୁବର୍ଣ୍ଣପୁର, ଝାରସୁଗୁଡା, କନ୍ଧମାଳ ଓ ନୟାଗଡ ଜିଲ୍ଲା ରହିଛି। ଏପରିକି ନବରଙ୍ଗପୁର, ରାୟଗଡା, ଢେଙ୍କାନାଳ ପରି ଜିଲ୍ଲା ଟିକାକରଣରେ ଅନୁଗୁଳ ଉପରେ ଅଛନ୍ତି। ଏ ଭିତରେ ଖୋର୍ଧାରେ ୯ ଲକ୍ଷ, ଗଂଜାମରେ ୭ ଲକ୍ଷ ୩୧ ହଜାର, କଟକରେ ୫ ଲକ୍ଷ ୫ ହଜାର, ବାଲେଶ୍ବରରେ ୪ ଲକ୍ଷ ୪୦ ହଜାର, ସୁନ୍ଦରଗଡରେ ୩ ଲକ୍ଷ ୨୯ ହଜାରରୁ ଅଧିକ ଲୋକଙ୍କୁ ଟିକା ଦିଆ ସରିଲାଣି। କିନ୍ତୁ ଅନୁଗୁଳରେ ଏହି ସଂଖ୍ୟା ଦେଢ ଲକ୍ଷ ନ ଛୁଇଁବା ଅନେକକୁ ଆଶ୍ଚର୍ଯ୍ୟ କରିଛି। ଏପରିକି ପଡୋଶୀ ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମଣ କମ୍ ରହିଥିଲେ ମଧ୍ୟ ଟିକାକରଣ କ୍ଷେତ୍ରରେ ଆମଠାରୁ ସେମାନେ ଆଗରେ ରହିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ୧,୬୦, ୨୪୩ ଡୋଜ ଟିକା ପ୍ରଦାନ କରାଯାଇଥିବା ସରକାରୀ ଭାବେ କୁହାଯାଇଛି।
ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୧ ହଜାର ଡୋଜ ପ୍ରଦାନ କରାଯାଇଥିଲାବେଳେ ଗୋଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୪ ହଜାର ଡୋଜ ଦିଆଯାଇଛି। କଣିହାଁରେ ୧୫ ହଜାର ୫ଶହ, ଛେଣ୍ଡିପଦାରେ ୧୪ ହଜାର, ବଅଁରପାଳରେ ୧୧ ହଜାର ଡୋଜ ଟିକା ଦିଆଯାଇଥିବା ଜଣାପଡିଛି। ଅନ୍ୟ ଅଞ୍ଚଳରେ ଟିକାଦାନ ନୈରାଶ୍ୟଜନକ ରହିଛି। ଆବଶ୍ୟକତା ଅନୁସାରେ ଟିକା ଆସୁ ନ ଥିବାରୁ ଟିକାକରଣ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ପଛରେ ପଡ଼ିଥିବା କୁହାଯାଉଛି। ଏପଟେ ଟିକା ପରିଚାଳନାରେ ବିଭ୍ରାଟ ପାଇଁ ଏମିତି ସମସ୍ୟା ସୃଷ୍ଟି ହେଉଥିବା ଏକ ସୁତ୍ରରୁ ଜଣାପଡ଼ିଛି। ଜିଲ୍ଲାକୁ ଯେଉଁ ଟିକା ଆସୁଛି, ତାହା ଲୋକଙ୍କୁ ଦିଆଯିବାରେ ଅଯଥା ବିଳମ୍ବ ହେଉଛି। ଏପରିକି କିଛି ସ୍ଥାନରେ ଅଳ୍ପ ଟିକା ଥିବା କହି ଲୋକଙ୍କୁ ଟିକା ଦିଆଯାଉନି। ଏପଟେ ସରକାରୀ ଖାତାରେ ଜିଲ୍ଲାରୁ ଟିକା ଶୂନ ହେଉ ନ ଥିବାରୁ ଜିଲ୍ଲାକୁ ଅଧିକ ଟିକା ଦେଉ ନାହାନ୍ତି ରାଜ୍ୟ ସରକାର। ଫଳରେ ଜିଲ୍ଲାରେ ଟିକାକରଣ ଗୁରୁତର ଭାବେ ପ୍ରଭାବିତ ହୋଇଛି।
୨୦୧୧ ଜନଗଣନା ଅନୁସାରେ ଅନୁଗୁଳ ଜିଲ୍ଲାର ଜନସଂଖ୍ୟା ୧୨ ଲକ୍ଷ ୭୩ ହଜାର ରହିଥିଲା। ଏବେ ଏହା ଅଧିକ ବଢିଛି। ଏହି ଅନୁପାତରେ ଜିଲ୍ଲାର ପାଖାପାଖି ୧୦ ପ୍ରତିଶତ ଲୋକଙ୍କୁ ଏ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଡୋଜ ମିଳିଛି। ତେଣୁ ଜିଲ୍ଲାରେ ଟିକାକରଣ ନ ବଢାଇଲେ ଆଗକୁ ବିପଦ ବଢିବାର ଆଶଙ୍କା ଜଳଜଳ ଦିଶିଲାଣି।

ସମ୍ବନ୍ଧିତ ଖବର