ବଅଁରପାଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ପଞ୍ଚାୟତର ପୁରିକିଆ ଗ୍ରାମ ଖେଳ ପଡ଼ିଆ ନିକଟରେ ସନ୍ଦେହଜନକ ଅବସ୍ଥାରେ ଟ୍ରକ ଚାଳକ ସଂଜୟ ସାମଲଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ବାରିଶିଙ୍ଗା ଗ୍ରାମର କିଛି ବ୍ୟକ୍ତି ଶୌଚପାଇଁ ଆସିଥିବା ବେଳେ ପୁରୀକିଆ ଗ୍ରାମର ଖେଳପଡ଼ିଆ ନିକଟସ୍ଥ ବୁଦା ଭିତରେ ଏକ ମୃତଦେହ ପଡ଼ିଥିବା ଦେଖି ସେମାନେ ଖେଳ ପଡ଼ିଆକୁ ଦୌଡ଼ିବାକୁ ଆସିଥିବା ପୁରୀକିଆ ଗ୍ରାମର କିଛି ଯୁବକଙ୍କୁ ଜଣାଇଥିଲେ। ଯୁବକମାନେ ଦେଖିବା ପରେ ଜାଣିବାକୁ ପାଇଲେ ଯେ ମୃତଦେହଟି ହେଉଛି ପୁରିକିଆ ଗ୍ରାମର ଟ୍ରକ ଚାଳକ ସଂଜୟ ସାମଲ (୫୦) ଙ୍କର। ଖବର ପାଇ ସଂଜୟଙ୍କ ପରିବାର ଲୋକ ଏବଂ ଗ୍ରାମବାସୀମାନେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ।
ସଞ୍ଜୟଙ୍କ ସ୍ତ୍ରୀ ଦେଇଥିବା ବୟାନ ମୁତାବକ, ସଞ୍ଜୟ ପୁରୀକିଆ ଗ୍ରାମର ବସନ୍ତ ଦାସଙ୍କର ଟ୍ରକ ଚଳାଉଥିଲେ। ଗତ ନଭେମ୍ବର ୧ ତାରିଖ ଦିନ ତାଳଚେରରୁ କୋଇଲା ବୁଝେଇ ଟ୍ରକ ପୁରୀକୁ ନେଇ ବାହାରିଥିଲେ କିନ୍ତୁ ଢେଙ୍କାନାଳ ନିକଟରେ ଅନ୍ୟ ଏକ ଟ୍ରଲର ସହିତ ଧକ୍କା ହୋଇଥିଲା ଓ ସଂଜୟ ଗାଡିକୁ ଛାଡ଼ି କେଉଁ ଆଡ଼େ ପଳେଇ ଯାଇଛନ୍ତି ବୋଲି ଟ୍ରକ୍ ମାଲିକ ବସନ୍ତ ଦାସ ଅଭିଯୋଗ ଆଣିଥିଲେ।
ସ୍ୱାମୀ ନିଖୋଜ ଥିବାରୁ ପତ୍ନୀ ରୀନା ଢେଙ୍କାନାଳ ଥାନାରେ ଲିଖିତ ଭାବେ ଜଣାଇଥିଲେ। ସେବେଠାରୁ ସଞ୍ଜୟଙ୍କର କୌଣସି ଖବର ମିଳିନଥିବା ବେଳେ ଆଜି ତାଙ୍କର ମୃତଦେହ ମିଳିବା ଘଟଣା ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି। ତାଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଛି ବୋଲି ରୀନା ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ବଅଁରପାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ବୈଜ୍ଞାନିକ ଦଳକୁ ପହଞ୍ଚିବା ପାଇଁ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Untitled-18.jpg)