ବାପା ଟାଙ୍ଗିଆ ଚୋଟରେ ଝିଅ ମୃତ

ଛେଣ୍ଡିପଦା : ଛେଣ୍ଡିପଦା ଥାନା କୁଞ୍ଜବିହାରୀପୁର ଗାଁରେ ଆଜି ଅପରାହ୍‌ଣରେ ଏକ ନୃସଂଶ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ଯୁବକ ସହ ଝିଅର ଅନୈତିକ ସଂପର୍କକୁ ସହ୍ୟ କରିନପାରି ଖୋଦ୍‌ ବାପା ଟାଙ୍ଗିଆରେ ହାଣି ଝିଅର ଜୀବନ ନେଇଛି। ପୁଲିସ ଶବ ଜବତ କରିବା ସହ ଅଭିଯୁକ୍ତ ବାପା ବାଲିଆ ବାଘ(୬୦)ଙ୍କୁ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ,  ବାଲିଆଙ୍କ ସାନଝିଅ ପ୍ରତିମା ବାଘ(୩୬) ନିଜ ଭିଣୋଇଙ୍କୁ ବିବାହ କରିଥିଲେ। ପରବର୍ତୀ ସମୟରେ ଭିଣୋଇଙ୍କର ଜଣେ ସଂପର୍କୀୟ ସହିତ ପ୍ରତିମାଙ୍କର ବିବାହ ହୋଇଥିଲା। କିନ୍ତୁ ଗତ ୧୨ ବର୍ଷ ହେଲା ପ୍ରତିମା ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେଇ ବାପଘରେ ରହୁଥିଲେ। କିଛିଦିନ ହେଲା ପ୍ରତିମାଙ୍କର କୋଶଳା ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଯୁବକ ଜଣକ ଅଧିକାଂଶ ସମୟରେ ବାଲିଆଙ୍କ ଘରକୁ ଆସୁଥିଲେ। ବାଲିଆ ଜାତିରେ ଗଉଡ଼ ହୋଇଥିବାବେଳେ ଉକ୍ତ ଯୁବକ ଥିଲେ ଭିନ୍ନ ଜାତିର। ବାରମ୍ବାର ବାରଣ ସତ୍ତ୍ୱେ ପ୍ରତିମା ସେହି ଯୁବକ ସହ ମିଳାମିଶା କରିବା ବାଲିଆଙ୍କ ପକ୍ଷେ ଅସହ୍ୟ ହୋଇଥିଲା।

ଆଜି ଅପରାହ୍‌ଣ ୪ଟାବେଳେ କ୍ରୋଧାନ୍ଧ ବାଲିଆ ପ୍ରତିମାଙ୍କ ବେକରେ ଟାଙ୍ଗିଆ ଚୋଟ ପକାଇଥିଲେ। ଘଟଣାସ୍ଥଳରେ ପ୍ରତିମାଙ୍କ ମୃତ୍ୟୁ ଘଟିଛି। ଛେଣ୍ଡିପଦା ଥାନାଧିକାରୀ ସୁବାସ ଚନ୍ଦ୍ର ସାହୁ, ଏସ୍‌ଆଇ ଦୀନକୃଷ୍ଣ ମିଶ୍ର, ବାଲୁଙ୍କେଶ୍ୱର ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଘର ସମ୍ମୁଖରୁ ପ୍ରତିମାଙ୍କ ମୃତଦେହ ଜବତ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି। ଘଟଣା ସଂପର୍କରେ ପୁଲିସ ତଦନ୍ତ ଚଳାଇଛି। ଏ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର