ଆମାଜନ ଷ୍ଟାଇଲରେ ଏଣିକି ଚାଷୀଙ୍କ ଫସଲର ମାର୍କେଟିଂ; ଅନୁଗୁଳ ବାମୁରରେ ଖୋଲିବ ‘ଇ-ନାମ’

ଅନୁଗୁଳ: ଆମାଜନ ଷ୍ଟାଇଲରେ ଚାଷୀଙ୍କ ଅମଳର ହେବ ମାର୍କେଟିଂ। ବେପାରି ଆଉ ଚାଷୀଙ୍କ ମଧ୍ୟରେ ଡିଜିଟାଲ୍ ପ୍ଲାଟଫର୍ମ ହେବ ସମ୍ପର୍କର ସେତୁ। କେଉଁ ଚାଷୀର କି’ ଜିନିଷ ଅଛି, ତା’ର ଗୁଣବତ୍ତା କ’ଣ ଏବଂ ଦାମ୍ କେତେ ସବୁକିଛି ଏହି ଡିଜିଟା‌ଲ୍‌ ପ୍ଲାଟଫର୍ମରେ କେବଳ ମହଜୁଦ୍‌ ହେବ ନାହିଁ, ବରଂ କେଉଁ କେଉଁ ବେପାରି ଚାଷୀଙ୍କ ଉତ୍ପାଦକୁ କେତେ ଦରରେ ନେବାକୁ ଚାହୁଁଛନ୍ତି ସର୍ବସମ୍ମୁଖରେ ତାହାର ନିଲାମ ବି ହେବ। ସେଥିପାଇଁ କେନ୍ଦ୍ର କୃଷି ଏବଂ କୃଷକ ମଙ୍ଗଳ ମନ୍ତ୍ରଣାଳୟ ପକ୍ଷରୁ ଅନୁଗୁଳ ଆର୍‌ଏମ୍‌ସିରେ ‘ଇ-ନାମ’ ଡିଜିଟାଲ୍ ପ୍ଲାଟଫର୍ମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬ ଶହ ଚାଷୀଙ୍କୁ ଏହି ଡିଜିଟାଲ୍ ସିଷ୍ଟମରେ ପଞ୍ଜୀକୃତ କରାଯାଇ ସାରିଥିବା ବେଳେ ଜିନିଷ ଖର୍ଦ୍ଦି କରିବା ପାଇଁ ପ୍ରାୟ ୬୦ ବେପାରି ବି ସାମିଲ ହୋଇଛନ୍ତି। ଏହି ଡିଜିଟାଲ୍ ପ୍ଲାଟଫର୍ମକୁ କ୍ରିୟାଶୀଳ କରିବା ପାଇଁ କେନ୍ଦ୍ର ସରକାର ୩୦ ଲକ୍ଷ ଟଙ୍କା ଦେଇଥିବା ବେଳେ ଆଗକୁ ଆହୁରି ପ୍ରାୟ ୪୫ ଲକ୍ଷ ଟଙ୍କା ଦେବାକୁ ଅଛି।
‘ଇ-ନାମ’ କହିଲେ, ଇଲୋକ୍ଟ୍ରୋନିକ୍ସ ରାଷ୍ଟ୍ରୀୟ କୃଷି ବଜାର। ଏହି ପ୍ଲାଟ୍‌ଫର୍ମର ମୂଳ ଉଦ୍ଦେଶ୍ୟ ହେଲା ବେପାରିଙ୍କୁ ଚାଷୀ ସାଙ୍ଗେ ଯୋଡ଼ିବା ଏବଂ ଖୋଲା ବଜାର ତିଆରି କରିବା। ପୂର୍ବରୁ ଚାଷୀ ଏବଂ ବେପାରି ମଧ୍ୟରେ ଯେଉଁ କାରବାର ଚାଲିଥିଲା, ତାହା ନିଜସ୍ବ ପରିଚୟ ଭିତ୍ତିରେ। ଅର୍ଥାତ୍‌, ଯେଉଁ ବେପାରି ଯେଉଁ ଚାଷୀଙ୍କ ସହ ପରିଚିତ ତାଙ୍କଠାରୁ ଜିନିଷ ଖର୍ଦ୍ଦି କରୁଥିଲେ, ତାଙ୍କ ମଧ୍ୟରେ ପନିପରିବାର ଯେଉଁ ମୂଲଚାଲ ହେଉଥିଲା ତାହା ତାଙ୍କ ମଧ୍ୟରେ ସୀମିତ ରହୁଥିଲା।

କିନ୍ତୁ, ଏହି ‘ଇ-ନାମ’ ପ୍ଲାଟଫର୍ମ ଚାଷୀଙ୍କର ଉତ୍ପାଦର ଏକ ସାମୂହିକ ବଜାରିକରଣ କରିବ। ଚାଷୀ ଏବଂ ବେପାରିଙ୍କର ମାଧ୍ୟମ ହେବ ଆର୍‌ଏମ୍‌ସି। ଚାଷୀଙ୍କ ପାଖରେ ଯେକୌଣସି ଉତ୍ପାଦ ଅଛି ତାହାକୁ ସର୍ଟିଂ ଏବଂ ଗ୍ରେଡିଂ କରିବା ପରେ ତାହାର ଫଟୋ ଏବଂ ଉତ୍ପାଦର ଗୁଣବତ୍ତା ସମ୍ପର୍କରେ ‘ଇ-ନାମ’ରେ ଅପଲୋଡ଼ କରାଯିବ। ଚାଷୀଙ୍କ ଉତ୍ପାଦର ମୂଲ୍ୟ ମଧ୍ୟ ସମସ୍ତଙ୍କୁ ଜଣାଯିବ। ଅନଲାଇନ କିମ୍ବା ହାତାହାତି ଜରିଆରେ ଚାଷୀଙ୍କ ପାଖକୁ ଟଙ୍କା ପଠାଇବାର ସୁବିଧା ‘ଇ-ନାମ’ରେ ରହିବ।
ଏହି ଡିଜିଟାଲ୍ ପ୍ଲାଟଫର୍ମରେ ଚାଷୀଙ୍କ ଭଳି ବେପାରି ବି ନାମ ପଞ୍ଜୀକରଣ କରିବେ। ମୂଲ୍ୟ ଅନୁସାରେ ଚାଷୀଙ୍କ ଜିନିଷର ନିଲାମ ହେବ। ସର୍ବାଧିକ ମୂଲ୍ୟ ଦେବାକୁ ଥିବା ବେପାରି ହିଁ ଚାଷୀଙ୍କର ଏହି ଜିନିଷ ପାଇ ପାରିବେ। ଏ ପ୍ରକାର ଡିଜିଟାଲ୍ ମାର୍କେଟିଂ ବ୍ୟବସ୍ଥା ଚାଷୀଙ୍କ ଅମଳକୁ କେବଳ ବଡ଼ବଜାର ଯୋଗାଇବ ନାହିଁ, ବରଂ ଭଲ ମୁନାଫା ଦେବ ବୋଲି ଅନୁଗୁଳ ଆର୍‌ଏମ୍‌ସି ସମ୍ପାଦକ ଶମ୍ଭୁନାଥ ନାୟକ ‘ସମ୍ବାଦ’କୁ କହିଛନ୍ତି।

ଗତ ଲକ୍‌ଡାଉନ ସମୟରୁ ଅନୁଗୁଳ ଆର୍‌ଏମ୍‌ସିରେ ଏମିତି ଯୋଜନା ଆରମ୍ଭ ହୋଇଛି। କମ୍ପ୍ୟୁଟର ଏବଂ ଗୃହ ନିର୍ମାଣ ବାବଦକୁ ସରକାର ପ୍ରାଥମିକ ପର୍ଯ୍ୟାୟରେ ୩୦ଲକ୍ଷ ଟଙ୍କା ଦେଇ ସାରିଛନ୍ତି। ଆଉ ୪୫ଲକ୍ଷ ଟଙ୍କା ଆସିବାର ଅଛି। ପ୍ରାଥମିକ ଭାବେ ଏହି ଡିଜିଟାଲ୍ ପୋର୍ଟାଲ୍‌ରେ ଆମେ ପ୍ରାୟ ୬ଶହ ଚାଷୀ ଏବଂ ୬୦ଜଣ ବେପାରିଙ୍କୁ ପଞ୍ଜୀକୃତ କରି ସାରିଲୁଣି। ଅନୁଗୁଳର ସବୁ ଚାଷୀ ଏବଂ ଜିଲ୍ଲାରୁ ଓ ଜିଲ୍ଲାର ବାହାରୁ ଯଥା ସମ୍ଭବ ଅଧିକ ବେପାରିଙ୍କୁ ଏଥିରେ ଯୋଡ଼ିବାକୁ ଚେଷ୍ଟା ଚାଲିଛି ବୋଲି ନାୟକ କହିଛନ୍ତି। ବର୍ତ୍ତମାନ ବି ବେପାରି ସେହି ପୁରୁଣା ପଦ୍ଧତିରେ ଚାଷୀ କ୍ଷେତ ପାଖକୁ ଯାଇ ମୂଲଚାଲ୍ କରୁଛନ୍ତି। ଦରକାର ପଡ଼ିଲେ ମାକେଟ୍‌ଠାରୁ ସ୍ବଳ୍ପ ଦର ଦେଇ ବେପାରି ମାଲାମାଲ୍ ହେଉଛନ୍ତି। ଜିଲ୍ଲାର ସବୁ ଚାଷୀ ଯଦି ଏହି ‘ଇ-ନାମ’ ପ୍ଲାଟ୍‌ଫର୍ମରେ ଯୋଡ଼ି ହେବେ ତେବେ ମୂଲଚାଲର ବାଟ ନ ଥିବ, ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳି ପାରିବ। ସେଥିପାଇଁ ଚାଷୀମାନେ ନିଜକୁ ଏଥିରେ ପଞ୍ଜୀକୃତ କରିବା ପାଇଁ ଆଗେଇ ଆସିବାକୁ ନାୟକ ଅନୁରୋଧ କରିଛନ୍ତି।
କେବଳ ଅନୁଗୁଳ ଆର୍‌ଏମ୍‌ସି ନୁହେଁ, କିଶୋରନଗର ବାମୁରଠାରେ ବି ‘ଇ-ନାମ’ ଆରମ୍ଭ ହେବ। ଆଠମଲ୍ଲିକ ବିଧାୟକ ରମେଶ ସାଏଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି। ଅନୁଗୁଳ ହାଟରେ ଯେମିତି ମଡେଲ୍ ହାଟ ଯୋଜନା ଚାଲିଛି, ଠିକ୍‌ ସେମିତି କିଶୋରନଗର ବ୍ଲକ୍‌ ଲୁହାମୁଣ୍ଡାଠାରେ ବି ଏକ ମଡେଲ୍ ମଣ୍ଡି ପାଇଁ ଜାଗା ଚିହ୍ନଟ ସରିଛି ବୋଲି ମନ୍ତ୍ରୀ ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର