ସାନକାକୁଡ଼ିଆରେ ପାନୀୟ ଜଳ ଅଭାବ, ବ୍ଲକ ଅଫିସରେ ଲୋକମାନଙ୍କ ବିକ୍ଷୋଭ

ଦୁଇ ବର୍ଷ ପରେ ବି ନୂଆ ପାଣି ପ୍ରକଳ୍ପରୁ ମିଳୁନି ପାଣି

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସାନକାକୁଡ଼ିଆ ଗ୍ରାମରେ ୫୦ ହଜାର ଲିଟର ଜଳକ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ପାଣିଟାଙ୍କି ନିର୍ମାଣ କାର୍ଯ୍ୟ ଶେଷ ହେବାର ୨ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଫଳରେ ଗ୍ରାମବାସୀ ପାନୀୟ ଜଳ ମୁନ୍ଦେ ପାଇବାରୁ ବଞ୍ଚିତ ହେଉଛନ୍ତି। ପାନୀୟ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ରମ କରିବା ସହ ତୁରନ୍ତ ଜଳ ଯୋଗାଣ ପାଇଁ ଆଜି ଗ୍ରାମବାସୀ କଣିହାଁ ବ୍ଲକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ପାନୀୟ ପ୍ରକଳ୍ପର କାର୍ଯ୍ୟକ୍ଷମ କରାଯିବ ବୋଲି ଅତିରିକ୍ତ ବିଡିଓ ବିଜୟ କୁମାର ମେହେର ଲିଖିତ ପ୍ରତିଶୃତି ଦେବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓହରିଛନ୍ତି ।

ଗ୍ରାମବାସୀଙ୍କ କହିବା ମୁତାବକ, ସାନକାକୁଡ଼ିଆ ଗ୍ରାମରେ ସରକାରଙ୍କ ପକ୍ଷରୁ ୪ଟି ନଳକୂପ ଖୋଳା ଯାଇଛି । ସେଥିରୁ ୩ ଟି ନଳକୂପ ଦୀର୍ଘଦିନ ହେଲା ଖରାପ ହୋଇ ପଡିଛି । ଗୋଟିଏ ନଳକୂପ ଭଲ ଅବସ୍ଥାରେ ରହିଛି। ସେଥିରେ ୧୪୦ ପରିବାର ନିର୍ଭର କରୁଥିବା ଗ୍ରାମବାସୀ କହିଛନ୍ତି। ପାନୀୟ ଜଳର ଘୋର ଅଭାବ ଦେଖାଦେଇଥିବାରୁ ଗ୍ରାମର ମହିଳାମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର