ବିରାଜିଲେ ଜଗତ୍ ଜନନୀ; ଅନୁଗୁଳ ସହରରେ ୧୧ଟି ପୂଜା ମଣ୍ଡପ

ଅନୁଗୁଳ: ଧରାପୃଷ୍ଠରେ ବିରାଜିଲେ ଜଗତଜନନୀ ମା’ ଦୁର୍ଗା। ଗତକାଲି ସଂଧ୍ୟାରେ ବିଲ୍ବବରଣ ପରେ ସହରର ପୂଜା ମଣ୍ଡପଗୁଡ଼ିକରେ ସିଂହବାହିନୀ ଦେବୀଦୁର୍ଗାଙ୍କୁ ଆବାହନ କରି ଅଧିଷ୍ଠିତ କରାଯାଇଛି । ପାରମ୍ପରିକ ଷଷ୍ଠୀ ପୂଜାରେ ମଣ୍ଡପଗୁଡ଼ିକ ଚଳଚଂଚଳ ହୋଇଉଠିଛି। ତେବେ ଗହଳଚହଳ ନାହିଁ କି ଧୂମଧାମ୍‌ ନାହିଁ। ସହରବାସୀଙ୍କ ମଧ୍ୟରେ ପାର୍ବଣର ଉତ୍ସାହ ବି ସେଭଳି ନାହିଁ। ବିନା ଭକ୍ତରେ ସହରର ୧୧ଟି ପୂଜା ମଣ୍ଡପରେ କେବଳ ବିଧିରକ୍ଷା ଲାଗି ପରଦା ଆଢୁଆଳରେ ଚାଲିଛି ଦେବୀଙ୍କ ଆରାଧନା।

ପ୍ରତିବର୍ଷ ଭଳି ଏଥର ବି ଅନୁଗୁଳ ସହରବାସୀ ତଥା ସହର ଉପକଣ୍ଠବାସୀ ମା’ଙ୍କ ପୂଜା ଧୂମ୍‌ଧାମ୍‌ରେ ପାଳନ କରିବେ ବୋଲି ଅପେକ୍ଷା କରି ରହିଥିଲେ। ହେଲେ ଚଳିତ ବର୍ଷ ମହାମାରୀ କରୋନା ଯୋଗୁଁ ଲୋକଙ୍କର ସବୁ ଆଶା ପାଣିଚିଆ ହୋଇଯାଇଛି। ପୂଜା ପେଣ୍ଡାଲରେ ମା’ଙ୍କ ମୂର୍ତ୍ତି ଆଗରେ ପଡ଼ିଛି ପରଦା। ଏପରିକି ସାଧାରଣ ଲୋକଙ୍କ ପାଇଁ ଦର୍ଶନ ମଧ୍ୟ ବନ୍ଦ ହୋଇଯାଇଛି। ଚଳିତ ବର୍ଷ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କଟକଣା ଅନୁସାରେ ଅନୁଗୁଳ ସହରରେ ୧୧ଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ହୁଲୁରିସିଂହା, ଗାନ୍ଧୀ ଛକ, ହେମସୁରପଡ଼ା, ଶିମିଳିପଡ଼ା, ପିଟିସି, ସୁସୁଡ଼ା, ବସ୍‌ଷ୍ଟାଣ୍ଡ, ଅମଲାପଡ଼ା, ବଜାର ଦଶହରା ପଡ଼ିଆ, ରାଣୀଗୋଡ଼ା, ଷ୍ଟେସନ ରୋଡ଼, ଗୀତାଗ୍ରାମର ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ଆଜି ସଂଧ୍ୟାରୁ ପାରମ୍ପରିକ ରୀତିରେ ଆରମ୍ଭ ହୋଇଛି। କଟକଣାକୁ ଆଖି ଆଗରେ ରଖି ଆଜି ସମସ୍ତ ପୂଜା ମଣ୍ଡପରେ କେବଳ ପୂଜକ ଓ କର୍ତ୍ତାଙ୍କ ଉପସ୍ଥିତିରେ ବିଲ୍ବ ବରଣ ‌କରାଯାଇ ମା’ଙ୍କୁ ଆବାହନ କରାଯାଇଛି। ଗତ ବର୍ଷ ଭଳି ଏ ବର୍ଷ ସହରରେ ନାହିଁ ଆକର୍ଷଣୀୟ ସାଜସଜ୍ଜା ବା ଆଖି ଝଲସା ତୋରଣ।

ଏନେଇ କେନ୍ଦ୍ରୀୟ ପୂଜା କମିଟିର ସଭାପତି ଅକ୍ଷୟ ସାମନ୍ତ କହିଛନ୍ତି, ଚଳିତ ବର୍ଷ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସହରରେ ହେଉଥିବା ୧୧ଟି ମଣ୍ଡପରେ ସାଢ଼େ ୪ ଫୁଟରୁ ଅଧିକ ଉଚ୍ଚର ମା’ଙ୍କ ପ୍ରତିମା ତିଆରି କରାଯାଇନାହିଁ । ମା’ଙ୍କ ମଣ୍ଡପର ଚାରିପାଖରେ ପରଦା ପଡ଼ିବା ସହିତ କେବଳ ସାତ ଜଣ ପୂଜକ ରହି ପୂଜା କରୁଛନ୍ତି। ସାଜସଜ୍ଜା, ମାଇକ୍‌ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭକ୍ତ ସମାଗମକୁ ସଂପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର