ବଡ଼ମାନେ ବେଧଢ଼କ ପ୍ରଦୂଷଣ କରି ଚାଲିଥିବା ବେଳେ ଚିନ୍ତା ପ୍ରକଟ କଲା କୁନି ପିଲା, ପ୍ରଦୂଷଣ ପ୍ରତିକାର ପାଇଁ ତିଆରିଲା ମେସିନ୍
ଅନୁଗୁଳ: ଛାତ୍ରଙ୍କୁ ଚିନ୍ତାରେ ପକାଇଛି ପରିବେଶ ପ୍ରଦୂଷଣ । ବିଶେଷ କରି ଗାଡିରୁ ବାହାରୁଥିବା କାର୍ବନ ଡାଇଅକ୍ସାଇଡ୍ ପ୍ରଦୂଷଣର ମୁଖ୍ୟ କାରଣ ବୋଲି ଜଣାପଡିବା ପରେ ପ୍ରତିକାର ପାଇଁ ଚିନ୍ତା କରିଛନ୍ତି ଅନୁଗୁଳର ଜଣେ ନବମ ଶ୍ରେଣୀର ଛାତ୍ରୀ । ନିଜ ସ୍କୁଲର ବିଜ୍ଞାନ ଶିକ୍ଷକଙ୍କ ସହଯୋଗରେ ନିର୍ମାଣ କରିଛନ୍ତି ଇକୋ ପଲ୍ୟୁଟ୍ ଭେଇକିଲ ମ୍ୟୁଟ୍ ନାମକ ଏକ ଯନ୍ତ୍ରାଂଶ । ଯାହା ଗାଡିର ଇଂଜିନ୍ ଓ ପ୍ରଦୂଷଣ ମାତ୍ରାକୁ ପରଖି ପାରିବ ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ବର୍ଷରେ ପ୍ରଦୂଷଣ ଚିନ୍ତା ମୁଣ୍ଡ ଟେକିଛି । ଜଙ୍ଗଲ ନଷ୍ଟ, କଳକାରଖାନାରୁ ନିର୍ଗତ ବିଷାକ୍ତ ଧୂଆଁ, ଯାନବାହନରୁ ନିର୍ଗତ କାର୍ବନ ଡାଇଅକସାଇଡ଼ ଧୂଆଁର ପରିମାଣ ମାତ୍ରାଧିକ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହେଉଛି । ଯାନବାହନରୁ ବାହାରୁଥିବା ବିଷାକ୍ତ ଧୂଆଁକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । କିନ୍ତୁ କିଛି ଲାଭ ହେଉନାହିଁ । ଆଉ ଏତିକି ବେଳେ ପ୍ରଦୂଷଣ ରୋକିବା ଦିଗରେ ଏକ ନୂଆ ପ୍ରକଳ୍ପ କରିଛନ୍ତି ଅନୁଗୁଳ ଜିଲ୍ଲାର ନବମ ଶ୍ରେଣୀ ଛାତ୍ର ଆୟୁଷ ଆର୍ଜନ ବିଶ୍ୱାଳ । ଇକୋ ପଲ୍ୟୁଟ୍ ଭେଇକିଲ ମ୍ୟୁଟ୍ ନାମକ ଏକ ଯନ୍ତ୍ରାଂଶ ତିଆରି କରିଛନ୍ତି ଆୟୁଷ ।
ଅନୁଗୁଳ କୁଇଓ ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନମେଳାରେ ଆୟୁଷ ତାଙ୍କ ଇକୋ ପଲ୍ୟୁଟ୍ ଭେଇକିଲ ମ୍ୟୁଟ୍ ପ୍ରକଳ୍ପକୁ ପ୍ରଦର୍ଶିତ କରିଥିଲେ । ଏହା ଗାଡିର ଆଲୋକ ପ୍ରତିଫଳନକୁ ବ୍ୟବହାର କରି ଗାଡିର ଇଂଜିନ୍ ଓ ପ୍ରଦୂଷଣ ମାତ୍ରାକୁ ପରଖି ପାରିବ ।
୧. ଗାଡିରେ ଏହି ଯନ୍ତ୍ରାଂଶ ଲାଗିଲେ ଅତ୍ୟଧିକ ପ୍ରଦୂଷଣ କରୁଥିବା ଗାଡିର ଇଂଜିନ୍ ଆପେଆପେ ବନ୍ଦ ହୋଇଯିବ
୨. ଗାଡିର ବେଗ ବଢାଇ ପାରିବେ ନାହିଁ ଚାଳକ
୩. ପ୍ରଦୂଷଣ ଯାଂଚ ସାର୍ଟିଫିକେଟରେ ସତ ଫାଙ୍କି ପାରିବେ ନାହିଁ
୪. ଗାଡିର ବୟସ ନୁହେଁ ଇଂଜିନର କାର୍ଯ୍ୟଦକ୍ଷତାକୁ ଦେଖି ଏହି ଯନ୍ତ୍ରାଂଶ ବ୍ୟବହାର କରାଯାଇ ପାରିବ ।
୫. ଗାଡିରେ ‘ଇକୋ ପଲ୍ୟୁଟ୍ ଭେଇକିଲ ମ୍ୟୁଟ୍’ ଲାଗିଲେ ତୈଳ ସଂଚୟ ହୋଇପାରିବ
ଅଳ୍ପ ଟଙ୍କା ଖର୍ଚ୍ଚରେ ତିଆରି ହୋଇଥିବା ଏହି ପ୍ରକଳ୍ପକୁ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ କାର୍ଯ୍ୟକ୍ଷମ କରାଗଲେ ଏହି ପ୍ରକଳ୍ପ ତିଆରି ପଛର ଉଦ୍ଦେଶ୍ୟ ପ୍ରତିପାଦିତ ହୋଇପାରିବ ବୋଲି ଆଶା ରଖିଛନ୍ତି ଆୟୁଷ ଓ ତାଙ୍କ ବିଜ୍ଞାନ ଶିକ୍ଷକ ।