ଅନୁଗୁଳ: ଅଙ୍ଗନବାଡ଼ି କେନ୍ଦ୍ରରେ ଅଣ୍ଡା କାଣ୍ଟ୍ଛାଣ୍ଟ୍। ନିୟମ ଅନୁସାରେ, ଯେଉଁଠି ୧୨ଟି ଅଣ୍ଡା ବାଣ୍ଟିବା କଥା, ସେଇଠି ପ୍ରସୂତି/ଗର୍ଭବତୀଙ୍କୁ ଦିଆଯାଉଛି ୧୦/୧୧ଟି। ଜଣେ ମହିଳା ହିତାଧିକାରୀ ପିଛା ଗୋଟିଏ ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ର ଅନ୍ତତଃ ଗୋଟିଏ/ଦୁଇଟା ଅଣ୍ଡା କାଟି ବଣ୍ଟୁଥିବା ବେଳେ ଏହାର କାରଣ ଦରଦାମ୍ ବୃଦ୍ଧି ବୋଲି ଦର୍ଶାଯାଉଛି। ଗୋଟିଏ ଅଣ୍ଡା ପାଇଁ ସରକାର ୫ଟଙ୍କା ଦେଉଥିବା ବେଳେ ମାର୍କେଟ୍ ଦର ୬/୭ଟଙ୍କା ରହିଛି। ଏଭଳି ସ୍ଥିତିରେ ଗୋଟିଏ ଅଣ୍ଡା ପିଛା ଟଙ୍କାଟିଏ କେଉଁଠାରୁ ବହନ କରାଯିବ ବୋଲି କିଛି ଅଙ୍ଗନବାଡ଼ି କର୍ମୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।
ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ତଥ୍ୟ ମୁତାବକ, ଅନୁଗୁଳ ଜିଲ୍ଲାରେ ଅଙ୍ଗନବାଡ଼ି କେନ୍ଦ୍ର ସଂଖ୍ୟା ୧୬୫୪। ଗତମାସର ତଥ୍ୟ ମୁତାବକ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କ ସଂଖ୍ୟା ଥିଲା ୧୦ହଜାର ୯୫୩। ପ୍ରସୂତୀଙ୍କ ସଂଖ୍ୟା ୯ହଜାର ୭୧୩ଥିବା ବେଳେ ଛଅ ମାସରୁ ତିନି ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ସଂଖ୍ୟା ଥିଲା ୪୮ହଜାର ୯୩୨ ଓ ୩ ବର୍ଷରୁ ଛଅ ବର୍ଷ ବୟସର ଶିଶୁଙ୍କ ସଂଖ୍ୟା ଜିଲ୍ଲାରେ ଥିଲା ୪୧ହଜାର ୯୪୭। ସରକାରଙ୍କ ନିୟମ ଅନୁସାରେ, ପ୍ରତି ଗର୍ଭବତୀ ମହିଳାଙ୍କୁ ସପ୍ତାହକୁ ତିନୋଟି ହିସାବରେ ମାସକୁ ୧୨ଟି ଅଣ୍ଡା ଦିଆଯିବ। ପ୍ରସୂତୀ ମଧ୍ୟ ସେତିକି ଅଣ୍ଡା ଦିଆଯିବାର ନିୟମ ଅଛି। କିନ୍ତୁ, ୩ରୁ ୬ବର୍ଷ ବୟସର ଯେଉଁ ପିଲାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବେ ସେମାନେ ସପ୍ତାହର ୫ଦିନ ଅଣ୍ଡା ହିସାବରେ ମାସକୁ ୨୦ଟି ଅଣ୍ଡା ଦିଆଯିବାର ନିୟମ ରହିଛି। ମୋଟ୍ ଉପରେ ହିସାବ କଲେ, ସରକାରଙ୍କର ଶିଶୁ ବିକାଶ ଯୋଜନାରେ ପ୍ରତି ମାସରେ ଲକ୍ଷେ ୧୧ହଜାରରୁ ଅଧିକ ହିତାଧିକାରୀ ଅଣ୍ଡା ଖାଉଛନ୍ତି।
ଅଣ୍ଡା ବାବଦକୁ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରକୁ ସରକାର ଦେଉଛନ୍ତି ୫ଟଙ୍କା। କିନ୍ତୁ, ବଜାରରେ ଅଣ୍ଡା ଦର ୬ଟଙ୍କା ପଡ଼ୁଛି। ସହର ପାଖ ଇଲାକା ହେଲେ ଦର ଏତିକି। ପାଳଲହଡ଼ା କିମ୍ବା ଆଠମଲ୍ଲିକ ଭଳି ଦୂର ଇଲାକା ହେଲେ ଭଡ଼ା ବାଟ ମିଶାଇ ଦର ପ୍ରାୟ ୭ଟଙ୍କା ହେଉଛି ବୋଲି କିଛି ଅଙ୍ଗନବାଡ଼ି କର୍ମୀ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି। ଛଅ ଟଙ୍କାରେ ଅଣ୍ଡା କିଣି ୫ଟଙ୍କାରେ ମାସକୁ ୧୨ଟା ଅଣ୍ଡା ଦେବା ସମ୍ଭବ ନୁହେଁ। ତେଣୁ, ମୁଣ୍ଡ ପିଛା କେଉଁଠି ଗୋଟିଏ ତ ଆଉ କେଉଁଠି ଦୁଇଟା ଅଣ୍ଡା କାଟ୍ କରାଯାଉଥିବା କିଛି ଅଙ୍ଗନବାଡ଼ି କର୍ମୀମାନେ ଯୁକ୍ତି ବାଢ଼ିଛନ୍ତି।
ବିଭାଗ ତଥ୍ୟ ମୁତାବକ, ଅନୁଗୁଳ ଜିଲ୍ଲାର କିଶୋରନଗର, ଆଠମଲ୍ଲିକ ଏବଂ ବଅଁରପାଳ ବ୍ଲକର ଅଙ୍ଗନବାଡ଼ି କର୍ମୀମାନେ ନିଜେ ଅଣ୍ଡା ଖର୍ଦ୍ଦି କରି ବାଣ୍ଟୁଥିବା ବେଳେ ଅନ୍ୟ ବ୍ଲକ୍ ଗୁଡ଼ିକରେ ଏସ୍ଏଚ୍ଜି ଜରିଆରେ ଅଣ୍ଡା ଯୋଗାଣ ହେଉଛି। କିଛି ଅଙ୍ଗନବାଡ଼ି କର୍ମୀ ୫ଟଙ୍କାରେ ଅଣ୍ଡା ଦେବାକୁ କୁନ୍ଥୁକୁନ୍ଥୁ ହେବା ସହ କାଣ୍ଟ୍ଛାଣ୍ଟ୍ କାମ ଆରମ୍ଭ କରିଥିବା ବେଳେ ଏସ୍ଏଚଜିମାନେ ମାନେ ମଧ୍ୟ ୫ଟଙ୍କାରେ ଅଣ୍ଡା ଯୋଗାଣ କରିବାକୁ ଅମଙ୍ଗ ହେଉଥିବା ଜଣାପଡ଼ିଛି।
ଦର ବୃଦ୍ଧି କଥାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆଲମା ବରୁଆ ସ୍ବୀକାର କରିଛନ୍ତି। ଦର ବୃଦ୍ଧି ନାଁରେ ପିଲାଙ୍କ ଅଣ୍ଡା କାଟିବା ଆଦୌ ଗ୍ରହଣୀୟ ନୁହେଁ। ଏଯାବତ୍ ଆମ ନିକଟକୁ ଏମିତି କିଛି ଅଭିଯୋଗ ଆସିନାହିଁ। ତଥାପି ଜିଲ୍ଲା ପ୍ରଶାସନକୁ ଅଣ୍ଡାର ଦରବୃଦ୍ଧି ସମ୍ପର୍କରେ ଅବଗତ କରାଯିବ। ଅଣ୍ଡା ଦର ବୃଦ୍ଧି କ’ଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ସମ୍ପର୍କରେ ବିଚାର କରାଯିବ ବୋଲି ଶ୍ରୀମତୀ ବରୁଆ ‘ସମ୍ବାଦ’କୁ କହିଛନ୍ତି।
ଅଙ୍ଗନବାଡ଼ିରେ ‘ଅଣ୍ଡା’ କାଣ୍ଟ୍ଛାଣ୍ଟ୍: ଅନୁଗୁଳ ଜିଲ୍ଲାରେ ମାଗଣା ଅଣ୍ଡା ପାଉଥିବା ହିିତାଧିକାରୀ ଲକ୍ଷେ
/sambad/media/post_attachments/wp-content/uploads/2021/07/Untitled-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)