ପର୍ଜଙ୍ଗ: ପର୍ଜଙ୍ଗ ଅଞ୍ଚଳରେ କୋକୁଆ ଭୟ ଖେଳାଇଲାଣି ଗୋଠଛଡ଼ା ଦନ୍ତାହାତୀ। କିଛିଦିନ ହେଲା ଦୈନିକ ଏ ହାତୀ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଛି। ଡମୋଳ, କନ୍ଦରସିଂହା, ଲୋଧଣୀ, ଖଣ୍ଡୁଆଳମୁଣ୍ଡା, ଜହ୍ନାପଡ଼ା ପ୍ରଭୃତି ଗାଁରେ ଦନ୍ତାର ଉତ୍ପାତ ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ଏହାକୁ ସ୍ଥାନାନ୍ତର ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉନଥିବାରୁ ଅଞ୍ଚଳବାସୀଙ୍କ ଅସନ୍ତୋଷ ଘନୀଭୂତ ହେବାରେ ଲାଗିଛି। ଆଜି ସକାଳ ପ୍ରାୟ ୬ଟାବେଳେ କନ୍ଦରସିଂହା ପଞ୍ଚାୟତ ବାରଘରିଆସାହିର ଯୋଗୀ ନାଏକ(୬୫) ଘରଠାରୁ ଅଳ୍ପ ଦୂର ବୁଦୁବୁଦିଆ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ତାଙ୍କୁ ଶୁଣ୍ଢରେ ଟେକି ଫିଙ୍ଗି ଦେଇଥିଲା। ଫଳରେ ଯୋଗୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପର୍ଜଙ୍ଗ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସେଠାରୁ ତାଙ୍କୁ ତାଳଚେର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ମହାବିରୋଡ଼ ରେଂଜର୍ ହରମୋହନ ନାୟକ ତାଙ୍କୁ ବିଭାଗ ପକ୍ଷରୁ ୫ ହଜାର ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରିଛନ୍ତି। ଆଜି ଭୋର ୫ଟାବେଳେ ଦନ୍ତାହାତୀ ମଝିକା ଗାଁର ଦାଶରଥି ନାଏକଙ୍କର ଗୋଟିଏ ରହିବା ଘର ଓ ଗୋଟିଏ ଗୁହାଳ ଘର ଭାଙ୍ଗି ଦେଇଛି। ପର୍ଜଙ୍ଗ ବ୍ଲକ୍ ‘ସମ୍ବାଦ’ ପ୍ରତିନିଧି ସୁବଳ ରାଉତ (୪୨) ବାଇକ୍େର ସଂଧ୍ୟା ୬ଟାବେଳେ ଘରକୁ ଫେରିବା ସମୟରେ ପର୍ଜଙ୍ଗ-ଭାଲୁମୁଣ୍ଡା ରାସ୍ତାର ବାରବାଙ୍କ ଆଶ୍ରମଠାରେ ଏହି ହାତୀ ତାଙ୍କୁ ଗୋଡ଼ାଇଥିଲା। ସେ ଅଳ୍ପକେ ରକ୍ଷା ପାଇଥିଲେ। ବାରମ୍ବାର ଦାବି ସେତ୍ତ୍ବ ବିଭାଗ ପକ୍ଷରୁ ସକାଳେ ଓ ସଂଧ୍ୟାରେ ପାଟ୍ରୋଲିଂ ଠିକ୍ ଭାବେ ପାଟ୍ରୋଲିଂ ହେଉନଥିବା ଅଭିଯୋଗ ହୋଇଛି। ମାସକ ମଧ୍ୟରେ ଏହି ହାତୀ ୨ ଜଣଙ୍କ ଜୀବନ ନେବା ସହ ୪ଜଣଙ୍କୁ ଆହତ କଲାଣି। ପ୍ରାୟ ୧୦ ବଖରା ଘର ଭାଙ୍ଗି ସାରିଲାଣି। ଏକ ପ୍ରତିନିଧି ଦଳ ଜିଲ୍ଲାପାଳ ଓ ଡିଏଫ୍ଓଙ୍କୁ ଭେଟି ହାତୀକୁ ସ୍ଥାନାନ୍ତର ପାଇଁ
ଦାବି କରିବେ ବୋଲି ସୂଚନା ମିଳିଛି। ଏଥିପାଇଁ ପଦକ୍ଷେପ ନିଆନଗଲେ ରାସ୍ତା ଅବରୋଧ କରାଯିବ ବୋଲି କୃଷକ ନେତା ଲକ୍ଷ୍ମୀଧର ସାହୁ, ମାନସ ପରିଡ଼ା, ଗିରୀଶ ବିଶ୍ବାଳ, ନରୋତ୍ତମ ବିଶ୍ବାଳ, ରଘୁନାଥ ସାହୁ, ବିପିନ ସାହୁ, ବୀରେନ୍ଦ୍ର ସାହୁ, ସୁଶାନ୍ତ ଖିଲାର, ବିଜୟ ସାହୁ, ବିମ୍ବାଧର ସାହୁ ପ୍ରମୁଖ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଥମୁନି ଦନ୍ତା ଉତ୍ପାତ: ବୃଦ୍ଧଙ୍କୁ କଚାଡ଼ିଲା
ଅଳ୍ପକେ ବର୍ତିଲେ ଯୁବକ
/sambad/media/post_attachments/wp-content/uploads/2018/12/ang12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)