ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ହାତୀ ଆତଙ୍କ ସୃଷ୍ଟି କରିଛି। ଫଳରେ ଦିନ ହେଉକି ରାତି ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି। ଏପରିକି ହାତୀ ଗାଁରେ ପଶି ଘର ଭାଙ୍ଗି ଭାତ ଖାଉଥିବାରୁ ଲୋକମାନେ ପ୍ରାଣ ବଞ୍ଚାଇବା ରାତି ଅନିଦ୍ରା ହେଉଥିବା ଦେଖିବାକୁ ମିଳିଛି। ଆଜି ବନ୍ତଳା ବନାଞ୍ଚଳ ହିଡିସିଙ୍ଗ ଗ୍ରାମରେ ହାତୀ ପଶି ଲୋକଙ୍କ ଘରେ ପଶି ବ୍ୟାପକ ଭଙ୍ଗାରୁଜା କରିଛି। ଫଳରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର ଆଜି ସକାଳୁ ସାତକୋଶିଆ ଅଭୟାରଣ୍ୟ ରାସ୍ତା ଅବରୋଧ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ବିଗତ ଦିନରେ ହାତୀ ଆକ୍ରମଣରେ ୧୬ଜଣଙ୍କ ପ୍ରାଣ ଯାଇଛି। ହାତୀ ଘଉଡ଼ାଇବାକୁ ବନ ବିଭାଗ ଉଦ୍ୟମ ଫେଲ ମାରିଛି। ଗତକାଲି ରାତିରେ ହିଡିସିଙ୍ଗ ଗାଁରେ ଦନ୍ତାହାତୀ ପଶି ଲୋକଙ୍କ ଘର ଭାଙ୍ଗିବା ସହ ଭାତ, ଧାନ, ଚାଉଳ ଖାଇ ନଷ୍ଟ କରିଛି। ଗାଁ ର ପିତାମ୍ବର ଦେହୁରୀ, କଳ୍ପ ପଧାନ,କର୍ଣ୍ଣ ଦେହୁରୀ ଓ କୁମାରୀ ପଧାନଙ୍କ ଘର ଗତକାଲି ରାତିରେ ଭାଙ୍ଗି ବ୍ୟାପକ ନଷ୍ଟ ହୋଇଛି। ସେହିପରି ରବିବାର ରାତିରେ ମଧ୍ୟ ହାତୀ ଯୋଗୁଁ ଲୋକମାନେ ରାତି ଅନିଦ୍ରା ହୋଇଥିଲେ। ତେବେ ଏଥିରେ ଅତିଷ୍ଠ ହୋଇ କ୍ଷତିଗ୍ରସ୍ତ ପରିବାର ଆଜି ଅନୁଗୁଳ-ସାତକୋଶିଆ ରାସ୍ତା ଅବରୋଧ କରିଛନ୍ତି। ଏପର୍ଯ୍ୟନ୍ତ ସେଠାରେ ପୁଲିସ କିମ୍ବା ବନ ବିଭାଗ ପହଞ୍ଚି ନଥିବା ଜଣାପଡ଼ିଛି।