ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହେଲେ ମା ଓ ଛୁଆ ହାତୀ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳ ଉଗୀ ପଞ୍ଚାୟତ ଲେମ୍ବୁତଇଲା ନିକଟରୁ ଆଜି ଏକ ପରିତ୍ୟକ୍ତ କୂଅ ଭିତରୁ ମା ସହ ଛୁଆ ହାତୀକୁ ଉଦ୍ଧାର କରାଯାଇଛି। ବନ ବିଭାଗର ରକ୍ଷକ ଟିମ ସେଠାରେ ପହଞ୍ଚି ପ୍ରାୟ ୨ଘଣ୍ଟା ପରେ ହାତୀଙ୍କୁ ଉଦ୍ଧାର କରିଥିଲେ।

ସୂଚନା ମୁତାବକ, ଜରପଡ଼ା ବନାଞ୍ଚଳର ଲେମ୍ବୁତଇଳା ଅଞ୍ଚଳରେ ହାତୀମାନଙ୍କ ଉପସ୍ଥିତି ରହିଛି। ଗତକାଲି ବିଳମ୍ବିତ ରାତିରେ ହାତୀପଲ ସେହି ଅଞ୍ଚଳରେ ଥିବା ବେଳେ ୩୫ବର୍ଷୀୟା ମାଆ ହାତୀ ସହ ୫ବର୍ଷର ଛୁଆ ହାତୀ ଏକ ପରିତ୍ୟକ୍ତ କୂଅ ଭିତରେ ପଡ଼ି ଯାଇଥିଲେ। ଆଜି ସକାଳେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଅନୁଗୁଳ ଡ଼ିଏଫଓ ନୀତିଶ କୁମାର ଘଟଣାସ୍ଥଳକୁ ରକ୍ଷକ ଟିମକୁ ପଠାଇ ହାତୀଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ନିର୍ଦେଶ ଦେଇଥିଲେ। ଏହି ଟିମ ସେଠାରେ ପହଞ୍ଚି ଦୁଇଘଣ୍ଟା ପରେ ସୁରକ୍ଷିତ ଭାବରେ ମା ସହ ଛୁଆକୁ କୂଅ ଭିତରୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ସେମାନେ ନିକଟରେ ଥିବା ଜଙ୍ଗଲକୁ ଚାଲି ଯାଇଛନ୍ତି। ରକ୍ଷକ ଟିମ ସହ ଜରପଡ଼ା ରେଞ୍ଜର ମାଧବ ଚନ୍ଦ୍ର ନାଏକ ଓ ଅନ୍ୟ ବନ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର