ପାଲଲହଡ଼ା: ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ଗତ ମଧ୍ୟ ରାତ୍ରିରେ ପାଲଲହଡ଼ା ବ୍ଲକ ପେଚାମୁଣ୍ଡି ପଞ୍ଚାୟତର ଲକ୍ଷ୍ମୀପ୍ରିୟାପୁର ଗ୍ରାମର କୀର୍ତ୍ତନ ନାୟକ ଡାଲ ଛକଠାରୁ ବରିହାମୁଣ୍ଡା ଜଙ୍ଗଲ ଦେଇ ନିଜ ଗାଁକୁ ଫେରୁଥିବା ବେଳେ ଜଙ୍ଗଲରେ ଦନ୍ତା ହାତୀ ଦଳି ଦେବାରୁ  ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହେଇଥିଲା।

Advertisment

ଆଜିକୁ ୪ ଦିନ ହେଲା ବରିହାମୁଣ୍ଡା ଜଙ୍ଗଲରେ ୩ଟି ଦନ୍ତା ହାତୀ ସହ ୨୬ଟି ବଣୁଆ ହାତୀ ରହିଛନ୍ତି। ଆଜି ସକାଳେ ପରିବାର ଲୋକ ଗ୍ରାମବାସୀଙ୍କ ସହ ମିଶି ଖୋଜା ଖୋଜି କରିବା ବେଳେ କୀର୍ତ୍ତନର ମୃତଦେହ ବରିହାମୁଣ୍ଡା ଜଙ୍ଗଲର ରାସ୍ତାକଡ଼ରେ ମିଳିଥିଲା। ବନ ବିଭାଗ ବିଳମ୍ବରେ ପହଞ୍ଚି ଥିବାରୁ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ହାତୀମାନେ ଉଭୟ ସଇଡ଼ା ଓ ପେଚାମୁଣ୍ଡି ପଞ୍ଚାୟତରେ  ଘର ଭାଙ୍ଗିବା ସହ ଧାନକ୍ଷେତକୁ ମଧ୍ୟ ନଷ୍ଟ କରିଦେଇଛନ୍ତି। ହାତୀକୁ ଘଉଡାଇବାକୁ ଚେଷ୍ଠା ବନ ବିଭାଗର ଜାରି ରହିଥିଲେ ମଧ୍ୟ ବଣୁଆ ହାତୀ ଅଞ୍ଚଳ ଛାଡୁ ନାହାନ୍ତି। ପାଲଲହଡ଼ା ବନ ବିଭାଗ ରେଞ୍ଜର ରମେଶ ଚନ୍ଦ୍ର ତ୍ରିପାଠୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ନେଇ ପ୍ରତିଶ୍ରୁତି ମିଳିବା ପରେ ଉତ୍ତେଜନା ଥମିଥିଲା।