ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣ ଘଟଣା ବଢିବାରେ ଲାଗିଛି। ହାତୀ ଆକ୍ରମଣରେ ଆଜି ସକାଳେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଆହତ ହୋଇଛନ୍ତି। ମୃତକଙ୍କ ନାମ ପ୍ରଫୁଲ୍ଲ ଭୋଇ (୪୨)। ପ୍ରଫୁଲଙ୍କୁ ଧରି କଚାଡ଼ି ଦେବାରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସୂଚନା ରହିଛି।

Advertisment

ଗଡ଼ାସନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ବାଇଝାଲିଆସହିରେ ଏଭଳି ଅଘଟଣ ଘଟିଛି। ଆଜି ସକାଳେ ଟାଟା ପ୍ଲାଣ୍ଟକୁ କାମ କରିବାକୁ ଯାଇଥିଲାବେଳେ ନଳଚନ୍ଦ୍ରପୁର ଶ୍ମଶାନ ପାଖରେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ହାତୀ ପ୍ରଫୁଲଙ୍କୁ ଧରି କଚାଡ଼ି ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣହାନି ହୋଇଥିଲା। କିଛି ଦିନ ହେବ ଏହି ଦନ୍ତା ଗାଁ ଗାଁ ବୁଲି ଆତଙ୍କ ଖେଲାଇଥିଲା। ବନ ବିଭାଗ ଦନ୍ତାକୁ ଟ୍ରାକ କରିବାରେ ଅସଫଳ।ଚଳିତ ବର୍ଷ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୩୦ ଟପିଲାଣି । ଗତ ଏପ୍ରିଲ୍ ୧ରୁ ଏପର୍ଯ୍ୟନ୍ତ ଜିଲ୍ଲାରେ ହାତୀ ୧୮ ଜଣଙ୍କ ଜୀବନ ନେଇଥିବା ବେଳେ ଏଥିରେ ଅନେକ ଆହତ ହୋଇଛନ୍ତି।

ବର୍ଷେରୁ ଅଧିକ ସମୟ ହେଲା ହାତୀ-ମଣିଷ ଲଢ଼େଇରେ ଥରହର ହେଉଛି ବନ୍ତଳା ବନାଞ୍ଚଳ। ଏହି ଲଢ଼େଇରେ ପାଖାପାଖି ୩୦ ଜଣଙ୍କ ମୃତ୍ୟୁ ହେଲାଣି। ହାତୀ ବି ମରୁଛନ୍ତି। ଏହାକୁ ନେଇ ବନ୍ତଳା ଅଞ୍ଚଳରେ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହେବା ପରେ ସରକାରଙ୍କ ନିଦ ଭାଙ୍ଗିଥିଲା। ହାତୀ-ମଣିଷ ସଂଘର୍ଷ ରୋକିବାକୁ ରାଜ୍ୟ ସରକାର ବନ୍ତଳା ଅଞ୍ଚଳ ପାଇଁ ୪.୬୫ କୋଟି ଟଙ୍କା ମଂଜୁର କରିଥିଲେ। ବନ୍ତଳା ବନାଞ୍ଚଳର ବିଭିନ୍ନ ଗାଁରେ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ହାତୀ ଉପଦ୍ରବରୁ ଲୋକଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କୁ ଜଙ୍ଗଲ ମୁହାଁ କରିବାରେ ଏହି ପାଣ୍ଠି ସହାୟକ ହେବ ବୋଲି ବିଜେଡି ନେତାମାନେ ସାମ୍ବାଦିକ ସମ୍ମିଳନୀ ଡାକି କହିଥିଲେ। ତେଣୁ ସାଧାରଣ ଲୋକଙ୍କ ମନରେ ଭରସା ଜାଗିଥିଲା ଯେ ଏଥର ହାତୀ ଦୁଃଖ ଯିବ। ହାତୀ ଭୟରେ ବର୍ଷେ ହେଲା ସନ୍ଧ୍ୟାରୁ ତାଟି କବାଟ ପଡ଼ୁଥିବା ଗାଁରେ ଖୁସି ଫେରିବ। ବେଳ, ଅବେଳରେ ଲୋକେ ଏ ଗାଁରୁ ସେ ଗାଁକୁ ଯାଇପାରିବେ। କାହାର ମୃତ୍ୟୁ ହେଲେ ରାତିରେ ମଶାଣିକୁ ନେଉ ନଥିବା ଲୋକମାନେ ଆଶ୍ବସ୍ତ ହେବେ। ଭୟରେ କଲବଲ ହେଉଥିବା ବନ୍ତଳା ଅଞ୍ଚଳରେ ସାଧାରଣ ଜୀବନ ସ୍ବାଭାବିକ ହେବ।

କିନ୍ତୁ ହାତୀ-ମଣିଷ ଲଢ଼େଇ କମିନି, ବରଂ ଅଧିକ ତୀବ୍ର ହୋଇଛି। ଏ ଭିତରେ ବନ୍ତଳା ଅଞ୍ଚଳର ହାତୀ ପାଦତଳେ ୪ ଜଣଙ୍କ ଜୀବନ ଯାଇଛି। ଗତ ଅଗଷ୍ଟ ୨୪ରେ ବନ୍ତଳା ନିକଟସ୍ଥ ପାତେଳି ଗାଁର ଝିଲ୍ଲୀ ମାଝୀ ଓ ଶଙ୍କର ବିଶ୍ବାଳଙ୍କ ମୃତ୍ୟୁ ହୋଇଥିଲା। ସେହି ମାସ ୨୯ରେ ତଳଗଡ଼ ଗାଁର ସୁଲୋଚନା ବିଶ୍ବାଳଙ୍କ ଜୀବନ ହାତୀ ପାଦ ତଳେ ଯାଇଥିଲା। ଆଉ ଗତ ସପ୍ତାହରେ ବସଲାର ଭାବଗ୍ରାହୀ ‌ଜେନାଙ୍କୁ ହାତୀ ଦଳି ମାଟିରେ ପୋତି ପକାଇଛି। କେବଳ ଏତିକି ନୁହେଁ, ଏ ଭିତରେ ହାତୀ ହାବୁଡ଼ରେ ପଡ଼ି ଅଧା ଡଜନ ଲୋକ ଆହତ ହୋଇଛନ୍ତି। ହାତୀ ପାଦ ତଳେ ଶହ ଶହ ହେକ୍ଟର ଚାଷ ଜମି ଉଜୁଡ଼ି ଯାଇଛି। ଗାଁ ଗାଁରେ ହାତୀ ବୁଲୁଛନ୍ତି। ଘରେ ପଶି ଖାଦ୍ୟଶସ୍ୟ ଖାଉଛନ୍ତି। ଏହାକୁ ନେଇ ବନ୍ତଳା ଅଞ୍ଚଳରେ ଆତଙ୍କର ବାତାବରଣ ଲାଗି ରହିଛି। ସଂଜ ହେଲେ ଘରୁ ବାହାରିବାକୁ ଲୋକେ ଡରୁଛନ୍ତି। ସହର ତଳି ଅଞ୍ଚଳରେ ମଧ୍ୟ ହାତୀ ପଶିଲେଣି। ତେଣୁ ଲୋକମାନେ ବନ ବିଭାଗ କର୍ମଚାରୀଙ୍କ ଉପରେ ରାଗ ସୁଝାଉଛନ୍ତି। ସେମାନଙ୍କୁ ଅଟକ ରଖିବା ସହ ଗାଳିମନ୍ଦ କରୁଛନ୍ତି। କିନ୍ତୁ ସେମାନେ ହାତ ଟେକି ଦେଉଛନ୍ତି।