ବନ୍ତଳା: ରଙ୍ଗ୍ ନମ୍ବରରୁ ପ୍ରେମ। ଫେସ୍ବୁକ୍ରେ ପୀରତି। ସ୍ବଳ୍ପ ସମୟରେ ଅନ୍ତରଙ୍ଗ ବନ୍ଧୁତା ହେବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଭିଡ଼ିଓ ଚାଟିଂକୁ ପ୍ରେମିକା କରିଦେଲା ଭାଇରାଲ। ପରିସ୍ଥିତି ଏତେ ସାଙ୍ଘାତିକ ମୋଡ଼ ନେଲା ଯେ ଶେଷରେ ପ୍ରେମିକା ହାରିଲା ଜୀବନ। ଧାରାବାହିକ ଏମିତି ପ୍ରେମ-ଭିଡ଼ିଓ ଚାଟିଂ-ଆତ୍ମହତ୍ୟା ଘଟଣା ଆଜି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ନନ୍ଦପୁର ପଞ୍ଚାୟତରେ ଆଲୋଡ଼ନ ଖେଳାଇ ଦେଇଛି। ଏହି ଯୁବତୀ ଜଣକ ୧୯ବର୍ଷ ବୟସ୍କା। ଯୁବତୀଙ୍କ ବିଶ୍ବାସରେ ବିଷ ଦେଇଥିବା ଯୁବକ ଜଣକ ତାଳଚେର ଅଞ୍ଚଳର ବୋଲି ଜଣାପଡ଼ିଛି। ଝିଅର ଆତ୍ମହତ୍ୟା ପରେ ଯୁବତୀଙ୍କ ବାପା ଥାନାରେ ନିଜେ ଲିଖିତ ଅଭିଯୋଗ କରିଛନ୍ତି। ବନ୍ତଳା ଥାନା ପୁଲିସ ଏକ ମାମଲା ରୁଜୁ କରି ତନାଘନା ଆରମ୍ଭ କରି ଦେଇଛି।
ଗାଁ ଲୋକଙ୍କ କହିବା ମୁତାବକ, ରଙ୍ଗ୍ ନମ୍ବରରୁ ଯୁବକଙ୍କ ସହ ଯୁବତୀ ଜଣକ ସିଧାସଳଖ ସମ୍ପର୍କରେ ଆସିଥିଲେ। ଫେସ୍ବୁକରେ ଉଭୟଙ୍କ ବନ୍ଧୁତା ନିବିଡ଼ତା ଆଡ଼କୁ ଗତି କରିଥିଲା। ଫେସ୍ବୁକ୍ ଚାଟିଂରୁ ଦେଖା ସାକ୍ଷାତ୍ ପର୍ଯ୍ୟନ୍ତ କଥା ଯାଇଥିଲା। ଯୁବକ ଜଣକ ଯୁବତୀଙ୍କ ଗାଁକୁ ଯାଇ ଭେଟୁଥିଲେ। ପ୍ରେମର ଦ୍ବାହି ଦେଇ ଯୁୁବତୀଙ୍କୁ ଫସାଥିଲେ ଯୁବକ। ତାଙ୍କ ସହ ଅନ୍ତରଙ୍ଗ ସମୟ କାଟିଥିଲେ। ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ଚାଟିଂ କରୁଥିଲେ। ବିଶ୍ବାସରେ ଯୁବତୀ ଜଣକ ଯୁବକଙ୍କ ସାଥ୍ ଦେଉଥିବା ବେଳେ ମୌକା ଦେଖି ଯୁବକ ଜଣକ କିନ୍ତୁ ୪ମିନିଟ୍ର ଭିଡ଼ିଓ କରିଥିଲା। ଏତେ ଚାଲାକ୍ରେ ସେ ଭିଡ଼ିଓ କରିଥିଲା ଯେ ନିଜର ସମ୍ପୃକ୍ତି ସେଥିରେ ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ। ସମୟ କ୍ରମେ ଯୁବକ ଜଣକ ଯୁବତୀଙ୍କ ଗାଁର କିଛି ଯୁବକଙ୍କ ସହିତ ବନ୍ଧୁତା ବଢ଼ାଇଥିଲା। କିଛି ଦିନ ତଳେ ଯୁବତୀଙ୍କ ଗାଁର ପିଲାଙ୍କ ପାଖକୁ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓକୁ ଭାଇରାଲ କରି ଦେଇଥିଲେ। ଆଜି ପରିବାର ଲୋକଙ୍କ କାନକୁ କଥା ଆସିବା ପରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପରିବାର ଲୋକେ ଝିଅକୁ ଆକଟ କରିଥିଲେ। ଏତିକିରେ ଯୁବତୀ ଜଣକ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଘଟଣା ଜଣାପଡ଼ିବା ପରେ ତୁରନ୍ତ ଯୁବତୀଙ୍କୁ ଅନୁଗୁଳ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସନ୍ଧ୍ୟାରେ ଯୁବତୀଙ୍କ ବାପା ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏତଲା କ୍ରମେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ବୋଲି ଥାନା ଆଇଆଇସି ସବ୍ୟସାଚୀ ରାଉତ ‘ସମ୍ବାଦ’କୁ କହିଛନ୍ତି। ଯୁବତୀଙ୍କ ସହିତ ଖେଳ ଖେଳିଥିବା ଏହି ଯୁବକ ଜଣକ କିଏ ତାହା ପୁଲିସ ସ୍ପଷ୍ଟ କରି ନାହିଁ।
ରଙ୍ଗ୍ ନମ୍ବରରୁ ଫେସବୁକ୍ ପୀରତି:ପ୍ରେମ-ଭିଡିଓ-ଆତ୍ମହତ୍ୟା
ଅଶ୍ଳୀଳ ଚାଟିଂ ଭିଡିଓ ଭାଇରାଲ୍ କରିଦେଲା ପ୍ରେମିକ ପରିବାରଠୁ ଗାଳି ପରେ ବିଷ ପିଇଲେ ଯୁବତୀ ଥାନାରେ ବାପାଙ୍କ ଏତଲା, ଚାଲିଲା ପୁଲିସ ତଦନ୍ତ
/sambad/media/post_attachments/wp-content/uploads/2019/02/angfeb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)