ବାନ୍ଧି ରଖିପାରିଲେନି ବାପ-ମା, ଅଟକାଇ ପାରିଲାନି ଆଇନକାନୁନ: କିନ୍ନର ସମାଜରେ ମିଶିଲେ ଡିପ୍ଲୋମା ଛାତ୍ର

ଅନୁଗୁଳ: ଦୀର୍ଘ ୧୭ବର୍ଷ କାଳ ନିଜ ଇଚ୍ଛାକୁ ଲୁଚାଇ ରଖିଥିଲେ। ଝିଅଟିଏ ଭଳି କୁର୍ତା ପିନ୍ଧିବାର ଅକୁଣ୍ଠ ଇଚ୍ଛା, ଓଠରେ ଲିପ୍‌ଷ୍ଟିକ୍‌ ଓ ଚୁଟି ସଜାଇବାର ବଡ଼ ସଉକ ଥିଲେ ବି ଚାକିରିଆ ବାପାଙ୍କ ଇଜ୍ଜତ ପାଇଁ ମନ ମାରି ଦେଇଥିଲେ କିନ୍ନର ନାବାଳକ। ଦୁନିଆଁ ଆଖିରେ ପୁଅଟିଏ ଭଳି ବଞ୍ଚୁଥିଲେ। କିନ୍ତୁ, ପରିବାର ଚାପରେ ପୁଅ ଭଳି ବଞ୍ଚିବାର ଯନ୍ତ୍ରଣା ଆଉ ସହ୍ୟ ହେଲାନି। ତେ‌ଣୁ ନାବାଳକ କିନ୍ନର କେବଳ ଘର ଛାଡ଼ିଲେ ନାହିଁ, ବରଂ ସମାଜର କୁ-ଦୃଷ୍ଟିଭଙ୍ଗୀ ପାଇଁ କେମିତି ପରିବାର ଲୋକ ଚାପରେ ସେ ନିର୍ଯାତନା ଭୋଗୁଛନ୍ତି ତାହା ବି ବଖାଣିଲେ। ଅନୁଗୁଳ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ତାଳଚେର କୋଲିୟରୀ ଥାନା ଅଞ୍ଚଳର ଜଣେ ଏମ୍‌ସିଏଲ୍ ଚାକିରିଆଙ୍କ ପରିବାରରେ ଜନ୍ମିତ କିନ୍ନର ନାବାଳକଙ୍କ ବିଚାର ଚାଲିଥିବା ବେଳେ ପରିବାର ଭିତରେ କିନ୍ନରଟିଏ କେମିତି ବଞ୍ଚୁଛି ସେ କଥା ପଦାକୁ ଆସିଛି। ନାବାଳକ ଇଚ୍ଛା କ୍ରମେ ବାପାଙ୍କ ପାଖକୁ ପିଲାକୁ ସିଡବ୍ଲୁସି ଛାଡ଼ି ଦେବା ପରେ ଶିଶୁଟିକୁ କିନ୍ନର ସଂଗଠନ ସହ ରହିବାକୁ ବାପା ଛାଡ଼ି ଦେଇଥିବା ଜଣାପଡ଼ିଛି। ଏଭଳି ଘଟଣା ଅନୁଗୁଳ ଜିଲ୍ଲାରେ ପ୍ରଥମ ଓ ରାଜ୍ୟରେ ବିରଳ ବୋଲି କୁହାଯାଉଛି।


ସୂଚନା ମୁତାବକ, ଏହି କିନ୍ନର ନାବାଳକ ଜଣକ ହେଉଛନ୍ତି ଜଣେ ମେଧାବୀ ଓ ଶିକ୍ଷିତ। ବାପା ଏମ୍‌ସିଏଲ୍ ଚାକିରିଆ। ଇଲେକ୍ଟ୍ରିକାଲ୍‌ରେ ସେ ଡିପ୍ଲୋମା କରୁଛନ୍ତି। ପିଲାଟି ବେଳୁ ଯଦିଓ ତାଙ୍କ ପାଖରେ କିନ୍ନର ସ୍ବଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା, କିନ୍ତୁ ଲୋକଲଜ୍ଜା ଭୟରେ ପରିବାର ତାକୁ ଲୁଚାଇବାକୁ ଚାହୁଁଥିଲେ। ପୁଅ ଭଳି ବଞ୍ଚିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା। ଏହି ବାଧ୍ୟବାଧକତା ଦୀର୍ଘ ୧୭ବର୍ଷ ପର୍ଯ୍ୟନ୍ତ ଚାଲିଲା। ଆଉ ୬ଟା ମାସ ପରେ କିନ୍ନରଜଣକ ସାବାଳକ ହୋଇଥାନ୍ତେ। ତା’ ପୂର୍ବରୁ ଗତ ୨୪ତାରିଖ ଦିନ ସେ ଘରୁ ଗୋଡ଼ କାଢ଼ି ପଳାଇଥିଲେ। ଅଲ୍‌ ଓଡ଼ିଶା କିନ୍ନର ଆସୋସିଏସନ୍‌ର ସମ୍ପାଦିକା ମେଘନା ସାହୁଙ୍କ ପାଖକୁ ଯାଇ ନିଜର ଅକୁହା କଥା ବଖାଣିଥିଲେ।
ଅନ୍ୟପକ୍ଷରେ ନାବାଳକ ନିଖୋଜ ନେଇ ପରିବାର ଲୋକେ କୋଲିୟରୀ ଥାନାରେ ଅଭିଯୋଗ କରିବା ପରେ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳରୁ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ଆଣିବା ବାଟରେ ତାଙ୍କୁ କୁଆଡ଼େ ଜୋର୍‌ ଜବରଦସ୍ତ ପୁଅ ପୋଷାକ ପିନ୍ଧିବାକୁ ପୁଲିସ ବାଧ୍ୟ କରିଥିଲା। ଗତକାଲି ପୁଲିସ ନାବାଳକଙ୍କୁ ତାଳଚେର କୋର୍ଟରେ ହାଜର କରାଇଥିଲା। କୋର୍ଟ ଆଗତ ଅଭିଯୋଗର ଅନୁଧ୍ୟାନ କରି ସିଡବ୍ଲୁସି ପାଖକୁ ପଠାଇ ଦେଇଥିଲେ। ଯେହେତୁ ସେ ନାବାଳକ ତେଣୁ କେଉଁଠି ସ୍ବାଧୀନତାର ସହିତ ଖୁସିରେ କିନ୍ନରଜଣକ ବଞ୍ଚିବେ ସେ‌ ନେଇ ସିଡବ୍ଲୁସିରେ କିନ୍ନର ସଂଗଠନ, ସିଡବ୍ଲୁସି ଏବଂ ପରିବାର ମଧ୍ୟରେ କସରତ ଚାଲିଥିଲା। ଢେର୍‌ କିଛି ସମୟ ଧରି ଆଲୋଚନା ପରେ ନିୟମ ମୁତାବକ ବାପା, ମା କିମ୍ବା ଶିଶୁ ଯତ୍ନ ଗୃହକୁ ଯିବାକୁ ସିଡବ୍ଲୁସି ଚେୟାର୍‌ମ୍ୟାନ୍‌ ଦେବାଶିଷ ପଟ୍ଟନାୟକ ଶିଶୁକୁ କହିଥିଲେ। ପୁଅ ବେଶରେ ରହିଲେ ନାବାଳକଙ୍କୁ ଘରକୁ ନେବାକୁ ବାପା କହିଥିବା ବେଳେ ଝିଅ ବେଶରେ ରହିବାକୁ ନାବାଳକ ଜିଦ୍‌ କରିଥିଲେ। ପରିଶେଷରେ ନାବାଳକଜଣକ ବାପାଙ୍କ ସହ ଯିବାକୁ ଲେଖି କରି ଦେବା ପରେ ଶିଶୁକୁ ସିଡବ୍ଲୁସି ଶିଶୁଙ୍କୁ ବାପାଙ୍କ ଜିମା ଦେଇଛି। ସିଡବ୍ଲୁସି ବିଚାର ସରିବା ପରେ ନାବାଳକଙ୍କୁ ତାଙ୍କ ବାପା କିନ୍ନର ସଂଗଠନ ସହିତ ଖୁସିରେ ରହିବାକୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର