ଅନୁଗୁଳ (ପ୍ରଭାତ କୁମାର ବେହେରା): ‘ବାପା’ ତାଙ୍କୁ କୁହାଯାଏ, ଯିଏ ଦିନସାରା କାମ କରି ଥକି ପଡ଼ିଥିଲେ ମଧ୍ୟ ନିଜ ପିଲାଙ୍କୁ ଦେଖିଦେଲେ ସବୁ ଭୁଲିଯାଏ। ପିଲା ମୁହଁରେ ହସ ଦେଖିଲେ, ଦେହରେ ପୁଣି ଶକ୍ତି ଜାଗ୍ରତ ହୋଇ ଉଠେ। କିନ୍ତୁ ଆମ ସମାଜରେ ଏଭଳି କିଛି ବାପା ଅଛନ୍ତି, ଯେଉଁମାନେ ସନ୍ତାନକୁ ହତ୍ୟା କରିବାକୁ ମଧ୍ୟ ପଛାନ୍ତି ନାହିଁ। ଅନୁଗୁଳ ଜିଲ୍ଲାରେ ଆଜି ଏକ ଏହିଭଳି ଅଭାବନୀୟ ଘଟଣା ଘଟିଛି। ଜଣେ ବାପା ନିଜର ଦୁଇ ନାବାଳକ ପୁଅଙ୍କୁ ବିଷ ପିଆଇ ହତ୍ୟା କରିବାକୁ ଉଦ୍ୟମ କରିଛି। ବିଷପାନ କରିଥିବା ଦୁଇଭାଇଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବାପାକୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି।
ପୁଲିସ କହିଛି, ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅଧୀନ ତୁବେ ଗାଁର ବାସିନ୍ଦା ହେଉଛନ୍ତି କାଳୀଚରଣ ପ୍ରଧାନ। ପାରିବାରିକ ସମସ୍ୟା ନେଇ ସେ ପ୍ରାୟତଃ ନିଜ ସ୍ତ୍ରୀଙ୍କର ଝଗଡ଼ା ଲାଗିଥାନ୍ତି। ଏହି ପାରିପାରିକ କଳହ ଆଜି ଉଗ୍ରରୂପ ନେଇଥିଲା। କାଳୀଚରଣ ଆଜି ସ୍ତ୍ରୀଙ୍କ ସହିତ ଝଗଡ଼ା ଲାଗିଥିଲେ। ଏଥିରେ ସେ ଭୟଙ୍କର ରୂପ ଦେଖାଇଥିଲେ। ସ୍ତ୍ରୀଙ୍କ ସହିତ କଳି ଲାଗିବା ପରେ ନାବାଳକ ପୁଅ ନୀଳମାଧବ ପ୍ରଧାନ (୧୪) ଓ ଜିଜ୍ଞାସୁ ପ୍ରଧାନ (୮)ଙ୍କୁ ବାଇକ୍ରେ ବୁଲାଇ ନେବାକୁ କହିଥିଲା। ବନ୍ତଳା ଥାନା ଅଧୀନ ନୂଆଖେତା ଅଞ୍ଚଳରେ ପହଞ୍ଚି ଥିଲା। ସେଠାରେ ସେ ଛେନାପୋଡ଼ରେ ବିଷ ମିଶାଇ ଖାଇବାକୁ ଦେଇଥିଲା। ବିଷଯୁକ୍ତ ଛେନାପୋଡ଼ ଖାଇ ଦୁଇଭାଇ ଗୁରୁତର ହୋଇଥିଲେ। ସେମାନେ ଛଟପଟ ହେଉଥିଲେ।
ଦୁଇ ପିଲାଙ୍କୁ ବିଷ ଦେଲା ପରେ କାଳୀଚରଣ ମଧ୍ୟ ବିଷପାନ କରିଥିଲା। ପୁଲିସର ଅକ୍ତିଆରକୁ ଗଲା ପରେ କାଳୀଚରଣ ଆହୁରି ଅଧିକ ହ୍ରିଂସ ହୋଇଯାଇଥିଲା। ଥାନାରେ ସେ ଆଇଆଇସିଙ୍କ ସହିତ ୭ ଜଣ ପୁଲିସ କର୍ମଚାରୀଙ୍କୁ କାମୁଡ଼ି ଦେଇଥିଲା। କାଳୀଳଚରଣର କାମୁଡ଼ାରେ ବନ୍ତଳା ଥାନା ଅଧିକାରୀ ରକ୍ତାକ୍ତ ହୋଇଛନ୍ତି। ପୁଲିସ ଅନ୍ୟ ଉପାୟ ନପାଇ କାଳୀଚରଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି।
ସ୍ତ୍ରୀଙ୍କ ସହିତ କଳି ଲାଗିବା ପରେ କାଳୀଚରଣ ନିଜ ନାବାଳକ ପୁଅ ନୀଳମାଧବ ପ୍ରଧାନ (୧୪) ଓ ଜିଜ୍ଞାସୁ ପ୍ରଧାନ (୮)ଙ୍କୁ ବାଇକ୍ରେ ନେଇ ବନ୍ତଳା ଥାନା ଅଧୀନ ନୂଆଖେତା ଅଞ୍ଚଳରେ ପହଞ୍ଚି ଥିଲା।
ତେବେ ସ୍ଥାନୀୟ ଲୋକେ କାଳୀଚରଣଙ୍କ ଏଭଳି ଖରାପ କାମକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ କୌଣସି ପ୍ରକାରରେ କାଳୀଚରଣକୁ କାବୁ କରି ପୁଲିସ ନିକଟରେ ଜିମା ଦେଇଥିଲେ। ଏଥି ସହିତ ଦୁଇ ନାବାଳକଙ୍କୁ ପ୍ରଥମେ ବନ୍ତଳାସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ନାବାଳକ ଦୁଇ ଭାଇଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତରିତ କରାଯାଇଛି। ଏହି ଘଟଣାକୁ ନେଇ ତୁବେ ଗାଁରେ ଚର୍ଚ୍ଚା ହେଉଛି। ନୃଶଂସ ବାପାର କାର୍ଯ୍ୟକଳାପକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଉଛି।
angul