ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଦୁଇ ଦୁଇଟି କଲରାପତରିଆ ବାଘ ମୃତ୍ୟୁ ହୋଇଥିଲା ବେଳେ ଆଜି କୁଲାଙ୍ଗୀ ଗ୍ରାମକୁ ଶିକାରୀମାନଙ୍କୁ ଗିରଫ କରିବାକୁ ଯାଇଥିବା ବନ ବିଭାଗ ଅଧିକାରୀ ଓ ପୁଲିସ ଗ୍ରାମବାସୀଙ୍କ ଦ୍ଵାରା ଅଟକ ଅଛନ୍ତି।

Advertisment

ସୂଚନା ମୁତାବକ ସାତକୋଶିଆ ଅଭୟାରଣ୍ୟ ପମ୍ପାସର ବନାଞ୍ଚଳ କୁଲାଙ୍ଗୀ ଗ୍ରାମରେ ଗତ ୨୭ତାରିଖ ଦିନ ଦୁଇଟି ବାଘର ଗଳିତ ମୃତଦେହ ଠାବ ହୋଇଥିଲା। ଏହି ଘଟଣାରେ ଆଜି ବନ ବିଭାଗ ପୁରୁଣାକୋଟ ପୁଲିସକୁ ନେଇ କୁଲାଙ୍ଗୀ ଗ୍ରାମରେ ପହଞ୍ଚିଥିଲା। ଦୁଇଜଣ ଯୁବକଙ୍କୁ ଗିରଫ କରିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମର ଲୋକମାନେ ଗିରଫଦାରୀକୁ ବିରୋଧ କରିଥିଲେ। ଏନେଇ ଗ୍ରାମବାସୀ ମାନେ ରାସ୍ତା ଅବରୋଧ କରିଥିଲେ। ଫଳରେ ସାତକୋଶିଆ ଏସିଏଫ ଶୁଭେନ୍ଦୁ ବେହେରା, ରେଞ୍ଜ ଅଧିକାରୀଙ୍କ ସମେତ ପୁରୁଣାକୋଟ ପୁଲିସ ଗ୍ରାମରେ ଅଟକ ଅଛନ୍ତି।

ଏବେ ଗ୍ରାମରେ ଉତ୍ତେଜନା ଲାଗିରହିଥିବା ବେଳେ ଘଟଣାସ୍ଥଳରେ ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା , ପୁରୁଣାକୋଟ ଥାନା ଆଇଆଇସି ଆଶିଷ ଜେନା ସେଠାରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ସକାଳ ୬ଟାରୁ ଏପର୍ଯ୍ୟନ୍ତ କୁଲାଙ୍ଗୀ ଗ୍ରାମରେ ଉତ୍ତେଜନା ଲାଗି ରହିଛି।