ପୂର୍ବ ସରପଞ୍ଚ-ସମିତି ସଭ୍ୟଙ୍କୁ ଜେଲ୍

ଅନୁଗୁଳ: ରାସ୍ତା ନିର୍ମାଣରେ ଆର୍ଥିକ ଅନିୟମିତା ମାମଲାର ବିଚାର କରି ଅନୁଗୁଳ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ସହକାରୀ ଦୌରା ଜଜ୍‌ ସୌମ୍ୟକ ପାତ୍ର ବଡ଼କେରା ପଞ୍ଚାୟତର ପୂର୍ବତନ ସରପଞ୍ଚ ହେମନ୍ତ ବେହେରା ଓ ପୂର୍ବତନ ସଂପାଦକ ପ୍ରାଣବନ୍ଧୁ ଦାଶଙ୍କୁ ୩ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗତ ୨୦୦୩ ମସିହାରେ ଜିଜେଏସ୍‌ୱାଇ ରାସ୍ତା ନିର୍ମାଣରେ ଦୁର୍ନୀତି ହୋଇଥିଲା। ବିଭାଗୀୟ ଅଡିଟ୍ ବେଳେ ଏହି ଅନିୟମିତତା ଧରାପଡ଼ିଥିଲା। ଅଡିଟରେ ହେମନ୍ତ ୧ ଲକ୍ଷ ୩୨ ହଜାର ୬୫୮ ଟଙ୍କା ଓ ପ୍ରାଣବନ୍ଧୁ ୧ ଲକ୍ଷ ୨୨ ହଜାର ୬୯୮ ଟଙ୍କା ଆତ୍ମସାତ କରିଥିବା ଜଣାପଡ଼ିଥିଲା। ସେହିପରି ପଞ୍ଚାୟତର ଗୋଦାମରେ ଥିବା ମହଜୁତ ଥିବା ୫୨.୫୦ କୁଇଣ୍ଟାଲ ଖାଦ୍ୟଶସ୍ୟ ମଧ୍ୟ ତତ୍କାଳୀନ ସଂପାଦକ ପ୍ରାଣବନ୍ଧୁ ହେର୍‌ଫେର କରିଥିବା ଜଣାପଡ଼ିଥିଲା। ଏ ସଂକ୍ରାନ୍ତରେ ଅନୁଗୁଳ ବିଡିଓ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଉଭୟଙ୍କ ବିରୋଧରେ ଅଲଗା ଅଲଗା ମାମଲା ରୁଜୁ ହୋଇଥିଲା। ୧୦ ଓ ୧୧ ଏପ୍ରିଲରେ ଏହି ଦୁଇ ମାମଲାର ରାୟ ପ୍ରକାଶ ପାଇଛି। ପୂର୍ବତନ ସରପଞ୍ଚ ହେମନ୍ତ ବେହେରା ଓ ପୂର୍ବତନ ସଂପାଦକ ପ୍ରାଣବନ୍ଧୁ ଦାଶଙ୍କ ଏହି ଦୁଇ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦେୟ ଆହୁରି ୬ ମାସ ସଶ୍ରମ କାରାଦଣ୍ଡାଦେଶ ହୋଇଛି। ସରକାରଙ୍କ ପକ୍ଷରୁ ଏପିପି ଧ୍ରୁବଚରଣ ସାହୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର