ଗଂଜେଇ କରିଡରରେ ଚାଲିଛି ମାଫିଆରାଜ

ସୂଚନା ଦେବାକୁ ଅବକାରୀ ଅଧୀକ୍ଷକ କୁନ୍ଥୁ କୁନ୍ଥୁ

ଅନୁଗୁଳ,: ରାଜ୍ୟର ୮ଟି ଜିଲ୍ଲାରେ ବ୍ୟାପିଛି ଗଂଜେଇ ଚାଷ। ଏହି ଗଂଜେଇ କରିଡରରେ ଚାଲିଛି ଏବେ ମାଫିଆରାଜ। ସରକାର ଗଂଜେଇ ଚାଷ ଉପରେ ଅଂକୁଶ ଲଗାଇବା ପାଇଁ ପଦକ୍ଷେପ ନେଉଥିବା ବେଳେ ସହଯୋଗର ହାତ ବଢ଼ାଉ ନାହାନ୍ତି ଅବକାରୀ ଅଧୀକ୍ଷକ। ଗଂଜେଇ ଚାଷ ସଂକ୍ରାନ୍ତରେ ସୂଚନା ମାଗିବାର ୮ ମାସ ପରେ ବି ସରକାରଙ୍କୁ ମିଳିପାରି ନାହିଁ ଆବଶ୍ୟକ ତଥ୍ୟ। ଏଭଳି ସ୍ଥିତିିରେ ଅନୁଗୁଳ, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଂଜାମ ଓ ଗଜପତି ଜିଲ୍ଲାର ଅବକାରୀ ଅଧୀକ୍ଷକଙ୍କୁ କଡ଼ା ଚିଠି ଲେଖିଛନ୍ତି ରାଜ୍ୟ ସରକାରଙ୍କ ଅବକାରୀ ବିଭାଗର ଅନୁସଚିବ ମୁରଲୀଧର ଜେନା। ଶୀଘ୍ର ଗଂଜେଇ ଚାଷ ସଂକ୍ରାନ୍ତରେ ‘ଗ୍ରାଉଣ୍ଡ ଜିରୋ’ ରିପୋର୍ଟ ଦେବାକୁ ଶ୍ରୀ ଜେନା (ପତ୍ର ସଂଖ୍ୟା୪୭୪୯) ଅବକାରୀ ଅଧୀକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି।
ଓଡ଼ିଶାରେ ମୁଖ୍ୟତଃ ୮ଟି ଜିଲ୍ଲାରେ ବ୍ୟାପକ ଗଂଜେଇ ଚାଷ ହେଉଛି। ଅନୁଗୁଳ ଜିଲ୍ଲାର ବଣପାହାଡ଼ ଘେରା ଅଂଚଳରେ ଗତ ୧୩ ବର୍ଷ ହେଲା କ୍ରମାଗତ ଭାବେ ଗଂଜେଇ ଚାଷ ଚାଲି ଆସିଛି। ୨୦୧୭-୧୮ ବର୍ଷରେ ପୁଲିସ ଓ ବନ ବିଭାଗର ସହାୟତା ନେଇ ଅବକାରୀ ବିଭାଗ ପକ୍ଷରୁ ୧୪ ଥର ଚଢ଼ଉ କରି ୫୫ ଏକର ଜାଗାରେ ଚାଷ ହୋଇଥିବା ୨ ଲକ୍ଷ ୨୦ ହଜାର ଟଙ୍କାର ଗଞ୍ଜେଇ ନଷ୍ଟ କରିଥିଲା। ଜିଲ୍ଲାରେ ବର୍ଷକୁ ବର୍ଷ ଗଂଜେଇ ଚାଷର ପରିମାଣ ବଢ଼ିବାରେ ଲାଗିଛି। ଅନୁଗୁଳର ଦୁଇ ପଡ଼ୋଶୀ ଜିଲ୍ଲା ସମ୍ବଲପୁର ଓ ଦେବଗଡ଼ର ସୀମାନ୍ତ ଜଂଗଲ ଅଂଚଳରେ ବି ଗଂଜେଇ ଚାଷର ପରିମାଣ ବହୁତ ବେଶି। ଗଂଜେଇ ଚାଷରେ ଲାଭ ଅଧିକ ଥିବାରୁ ସେଠାରେ ମାଫିଆମାନଙ୍କ ରାଜୁତି ଚାଲିଛି। ପାହାଡ଼ ଘେରି ରହିଥିବା ସମତଳ ଅଂଚଳରେ ମୁଖ୍ୟତଃ ଗଂଜେଇ ଚାଷ ହେଉଛି। ଏହି ଚାଷ ପାଇଁ ହଜାର ହଜାର ସଂଖ୍ୟାରେ ମୂଲ୍ୟବାନ ଗଛଲତା ମଧ୍ୟ କାଟି ଦିଆଯାଉଛି। ମାଫିଆମାନେ ଜଂଗଲ ପାଖ ଅଂଚଳର କେତେକ ଗରିବ ଚାଷୀମାନଙ୍କୁ ମଧ୍ୟ ଗଂଜେଇ ଚାଷ କରିବାକୁ ପ୍ରବର୍ତ୍ତାଉ ଥିବା ଜଣାପଡ଼ିଛି। ଏହି ଅଂଚଳରୁ ଛତିଶଗଡ଼, ମଧ୍ୟପ୍ର‌େଦଶକୁ ଗଂଜେଇ ଚାଲାଣ ହେଉଛି। ଏହି ଦୁଇ ରାଜ୍ୟର କେତେକ ମାଫିଆ ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ଏଠାରେ ଗଂଜେଇ ଚାଷ କରୁଥିବା ଜଣାପଡ଼ିଛି। ଯେଉଁ ଲୋକମାନେ ନିଜେ ଗଂଜେଇ ଚାଷ କରୁଛନ୍ତି, ସେମାନଙ୍କୁ ଚାଷ କାମ ସହିିତ ବିବାହ,ବ୍ରତ ଭଳି ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ବି ଟଙ୍କା ଅଗ୍ରୀମ ଦେଉଛନ୍ତି।
ଗଂଜେଇ ଚାଷ ହେଉଥିବା ଅଂଚଳଗୁଡ଼ିକ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଦେବା ପାଇଁ ଗତ ଫେବ୍ରୁଆରି ୩ ତାରିଖରେ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ଅନୁଗୁଳ, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଂଜାମ ଓ ଗଜପତି ଜିଲ୍ଲାର ଅବକାରୀ ଅଧୀକ୍ଷକଙ୍କୁ ପତ୍ର ଦିଆଯାଇଥିଲା। ଓଡ଼ିଶା ସ୍ପେସ୍ ଆପ୍ଲିକେସନ ସେଣ୍ଟର(ଓଆର୍ଏସ୍ଏସି)ର ମୁଖ୍ୟ ନିର୍ବାହୀଙ୍କୁ ଏହି ତଥ୍ୟ ଦାଖଲ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ହ୍ରାଇଦ୍ରାବାଦସ୍ଥିତ ‘ଏଡିଆର୍ଆଇଏନ୍’କୁ ଦିଆଯିବ। କିନ୍ତୁ ଅବକାରୀ ଅଧୀକ୍ଷକମାନେ ଏପର୍ଯ୍ୟନ୍ତ ତଥ୍ୟ ଦେଇନଥିବାରୁ ଅବକାରୀ ଅନୁସଚିବ ଶ୍ରୀ ଜେନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ବାସ୍ତବିକ ତଥ୍ୟ ପ୍ରଦାନ କରିବାକୁ ବିଭାଗୀୟ ଅନୁସଚିବ ଶ୍ରୀ ଜେନା ଏସବୁ ଜିଲ୍ଲାର ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଂଜେଇ ଚାଷ ଉପରେ ଅଂକୁଶ ଲଗାଇବା ପାଇଁ ନିୟମିତ ଏସବୁ ବିଭାଗ ମଧ୍ୟରେ ସମନ୍ବୟ ବୈଠକ ବି କରାଯାଉଛି। ଏସବୁ ସତ୍ତ୍ବେ ତଥ୍ୟ ପ୍ରଦାନରେ ଅସୁବିଧା କେଉଁଠି ତାହା ବୁଝି ହେଉ ନାହିଁ। ମାଫିଆଙ୍କ ସହିତ ଅସାଧୁ ଅଧିକାରୀ,କର୍ମଚାରୀଙ୍କ ଘନିଷ୍ଠ ସଂପର୍କ ରହିଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର