ଅନୁଗୁଳ: କହୁଣି ପାଖରୁ ହାତଟି ସଂପୂର୍ଣ୍ଣ ଭାବେ ଶରୀରରୁ ଅଲଗା ହୋଇଯାଇଛି। କଟା ହାତକୁ ଧରି ଜଣେ ରୋଗୀ ଡାକ୍ତରଖାନାରେ ଘଣ୍ଟାଏ ଚକ୍କର କାଟିଲେ। ହାତକୁ ଯୋଡ଼ି ଦେବା ପାଇଁ ରୋଗୀଙ୍କ ସଂପର୍କୀୟ ହାତଯୋଡ଼ି ନେହୁରା ହେଲେ। କିନ୍ତୁ ଫଳ ଶୂନ। ଏଠାରେ ଚିକିତ୍ସା ହୋଇପାରିବନି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ ନାସ୍ତିବାଣୀ ଶୁଣାଇ ଦେଲେ। ରୋଗୀ ଜଣକ ବାଧ୍ୟ ହୋଇ କଟା ହାତ ସହ ଏଠାରୁ ୧୨୦ କିଲୋମିଟର ଦୂର କଟକ ଯାଇଛନ୍ତି। କେବଳ ଏହି ଘଟଣା ନୁହେଁ, ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହୋଇ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ଚିକିତ୍ସା ସୁବିଧା ପାଉ ନଥିବା ଅଭିଯୋଗ ହୋଇଛି। ବିଶେଷ କରି ଏଠାରେ ଟ୍ରମା କେୟାର୍‌ ଗୃହ ଥିଲେ ମଧ୍ୟ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇ ନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି।

Advertisment

ମିଳିଲାନି ଚିକିତ୍ସା
କାର୍ଯ୍ୟକ୍ଷମ ହେଉନି ଟ୍ରମା କେୟାର୍‌
ଦୁର୍ଘଟଣା ହେଲେ ୧୨୦ କିମି ଦୌଡ଼

ଅନୁଗୁଳ ଦେଇ ଯାଇଛି ଜାତୀୟ ରାଜପଥ ୫୩ ଓ ୧୪୯। ଏକାଧିକ କାରଖାନା, ଖଣି ମଧ୍ୟ ରହିଛି। ଫଳରେ ବିଭିନ୍ନ ସମୟରେ ଏଠାରେ ଦୁର୍ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରିବାକୁ ଦାବି ହେଉଛି। ମାତ୍ର ଏଥିପ୍ରତି କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହେଉଛି। ଘଟଣାରୁ ପ୍ରକାଶ ଯେ ଅନୁଗୁଳ ସଦର ଥାନା ଜାମୁନାଳୀ ଗାଁର ବିମ୍ବାଧର ପ୍ରଧାନ(୪୫)ଙ୍କ ହାତ କହୁଣିଠାରୁ ଅଲଗା ହୋଇଯାଇଥିଲା। ରେଳ ଧାରଣାରେ ପଡ଼ିଯିବାରୁ ଟ୍ରେନ୍‌ରେ କଟି ତାଙ୍କ ହାତଟି ଶରୀରରୁ ଅଲଗା ହୋଇଯାଇଥିଲା। ହେଲେ ଅଳ୍ପକେ ବିମ୍ବାଧର ବଞ୍ଚି ଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କଟା ହାତ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଆଶା ଥିଲା ପୁଣି ଥରେ କଟା ହାତ ଯୋଡ଼ି ହେବ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସେପରି କୌଣସି ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ନଥିଲା। ଫଳରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। 

ଅନ୍ୟପକ୍ଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବହୁ ଦିନ ହେଲା ନିର୍ମାଣ ହୋଇଥିବା ଟ୍ରମା କେୟାର ଖୋଲୁନାହିଁ। ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ପ୍ରାୟ ୭୧ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଟ୍ରମା କେୟାର ମେ’ ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଥିଲା। କିନ୍ତୁ ମେ’ ମାସ ସରିବାକୁ ବସିଥିଲେ ମଧ୍ୟ ଟ୍ରମା କେୟାର୍‌ କାର୍ଯ୍ୟକ୍ଷମ ନେଇ ସେଭଳି କୌଣସି ସଙ୍କେତ ମିଳୁନାହିଁ। ଫଳରେ ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଉଛି।