ପାଇକସାହି: ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ କେଞ୍ଚିଧବଳା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ନାୟକଙ୍କୁ ବଦଳି କରିବା ଦାବିରେ ସୋମବାର ଗ୍ରାମବାସୀମାନେ ଆନ୍ଦୋଳନ କରି ବିଦ୍ୟାଳୟ ଫାଟକରେ ତାଲା ପକାଇଛନ୍ତି। ଗ୍ରାମବାସୀମାନେ ଅଭିଯୋଗ ଆଣି କହିଛନ୍ତି ଯେ ଶନିବାର ଦିନ ପ୍ରଧାନ ଶିକ୍ଷକ ସ୍କୁଲ୍ ବାରଣ୍ଡାରେ ବସି ମଦ୍ୟପାନ କରୁଥିଲେ। ଏହି କାରଣରୁ ରବିବାର ଦିନ ଗ୍ରାମବାସୀମାନେ ରୁଣ୍ଡ ହୋଇ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ମାତ୍ର ଶିକ୍ଷା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ସେମାନେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପ୍ରଧାନ ଶିକ୍ଷକ ସ୍କୁଲ୍ ବାରଣ୍ଡାରେ ବସି ମଦ ପିଉଥିବାର ଏକ ଭିଡିଓ ବି ଭାଇରାଲ୍ ହୋଇଥିଲା। ଏହି ଭିଡିଓ ଭାଇରାଲ୍ ହେବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।
ଗ୍ରାମବାସୀମାନେ ସୋମବାର ପିଲାମାନେ ପଢୁଥିବା ବେଳେ ସେମାନଙ୍କୁ ସ୍କୁଲ୍ ବାହାରକୁ ବାହାରି କରି ସ୍କୁଲ୍ ଫାଟକରେ ତାଲା ପକାଇଛନ୍ତି। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାନଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଫାଟକରେ ତାଲା ଝୁଲିବ ବୋଲି ଗ୍ରାମ ଶିକ୍ଷା କମିଟିର ସଭାପତି ଗୁରୁଚରଣ ପ୍ରଧାନ, ବାବାଜୀ ବେହେରା, ସତ୍ୟ ପ୍ରକାଶ ସାହୁ, ସୁମନ୍ତ ଦେହୁରୀ, ସୁଶାନ୍ତ ଦେହୁରୀ ବିପିନ ଭୋଇ ପ୍ରମୁଖ ଦାବି କରି କହିଛନ୍ତି।