ଅନୁଗୁଳ : ପଥରଗଡ଼ରେ ବିଷାକ୍ତ ମଦ ମୃତ୍ୟୁ ସନ୍ଦେହ, ୩ ଶ୍ରମିକ ମୃତ, ୧ ଗୁରୁତର

ବନ୍ତଳା ( ପ୍ରଭାତ କୁମାର ବେହେରା) : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ପଥରଗଡ଼ ଗାଁରେ  ବିଷାକ୍ତ ମଦ ପିଇ ତିନିଜଣ ଯୁବକ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି । ଗତ କାଲି ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣକର  ମୃତ୍ୟୁ ହୋଇଛି । ମୃତକମାନେ ହେଲେ କାଇରା ପଧାନ ( ୨୦ ବର୍ଷ), ଟୁକୁନା ପଧାନ ( ୩୦ବର୍ଷ) ଓ ଶଶିଭୂଷଣ ଦେହୁରୀ ( ୩୨ବର୍ଷ) ।

ପ୍ରାପ୍ତ ସୂଚନା ମୁତାବକ, ମୃତ ଓ ଗୁରୁତର ଯୁବକମାନେ  ଆଦିବାସୀ ସମ୍ପ୍ରଦାୟର। ସେମାନେ ମୂଲମଜୁରୀ କରି ଚଳନ୍ତି। ଗତକାଲି ଏକ ଘର ଛାତ ପକାଇବା କାମରେ ସେମାନେ ଶ୍ରମିକ ଭାବେ ନିୟୋଜିତ ଥିଲେ। କାମରୁ ଫେରି ଗାଁରେ ମହୁଲି ମଦ ପିଇ ଥିଲେ। ସଂଧ୍ୟାରେ ପ୍ରଥମେ କାଇରାଙ୍କର ଦେହ ଅସୁସ୍ଥ ହୋଇଥିଲା। ଗାଁରେ ତାଙ୍କର ମୃତ୍ୟୁ ହୋଇଥିଲା। ବିଳମ୍ବିତ ରାତିରେ ଟୁକୁନା ଆଖି ବୁଜିଥିଲେ । ଆଜି ଶଶିଭୂଷଣ ଅନୁଗୁଳ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି ।

ଘଟଣା ପ୍ରଚାରିତ ହେବା ଭୟରେ ଗତ ରାତିରେ କାଇରା ପଧାନ ଓ  ଟୁକୁନା ପଧାନଙ୍କ ଶବକୁ ଗାଁରେ ପୋଡି ଦିଆଯାଇଛି । ମଦ ପିଇଥିବା ବାସୁଦେବ ପଧାନଙ୍କ ଅବସ୍ଥା  ଗୁରୁତର ରହିଛି। ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯେହେତୁ ଏହି ଯୁବକମାନେ ଗାଁରେ ମହୁଲୀ ମଦ ପିଇଥିଲେ। ତେଣୁ ବିଷାକ୍ତ ମଦ କ୍ରିୟାରୁ ସେମାନଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର