ବେଆଇନ ଡିନାମାଇଟ୍ କାରବାର:‌ବି‌ସ୍ଫୋରଣରେ ଥରୁଛି ଗାଁ

ଅନୁଗୁଳ: ରାଜ୍ୟର ଶିଳ୍ପାଂଚଳ ଭାବେ ପରିଗଣିତ ଅନୁଗୁଳ ଜିଲ୍ଲାରେ ପଥର ମାଫିଆଙ୍କ ଦୌରାତ୍ମ୍ୟରେ ଜିଲ୍ଲାର ଅନେକ ପାହାଡ଼ ଧ୍ବଂସ ହେବାରେ ଲାଗିଛି। ବେଆଇନ ଡିନାମାଇଟ ବିସ୍ଫୋରଣରେ ଥରୁଛି ଏବେ ଅନେକ ଗାଁ। ଲୋକଙ୍କ ଜୀବନଜୀବିକା ପ୍ରତି ଏହା ବିପଦ ସୃଷ୍ଟି କରୁଥିବା ବେଳେ ପ୍ରଶାସନ କିନ୍ତୁ ଏକଦମ୍ ବେପରୁଆ ରହିଛି।
ଅନୁଗୁଳ ଜିଲ୍ଲା ବଣଜଂଗଲ ସାଂଗକୁ ଖଣିଜ ସଂପଦରେ ପରିପୂର୍ଣ୍ଣ। ଜିଲ୍ଲାର ବିଭିନ୍ନ ଅଂଚଳରେ ବହୁ ସଂଖ୍ୟାରେ ପଥର ଖାଦାନ ରହିଛି। ତହସିଲ କାର୍ଯ୍ୟାଳୟ ଜରିଆରେ ପଥର ଖାଦାନଗୁଡ଼ିକ ନିଲାମ ଦିଆଯାଇଛି। ନିଲାମ ଜରିଆରେ ରାଜ୍ୟ ସରକାର ବେଶ୍ ରାଜସ୍ବ ସଂଗ୍ରହ କରୁଛନ୍ତି। ଜିଲ୍ଲାରେ କିନ୍ତୁ ଅନେକଗୁଡ଼ିଏ ବେଆଇନ ପଥର ଖାଦାନ ରହିଛି। ଏହି ପଥର ଖାଦାନଗୁଡ଼ିକ ଯୋଗୁଁ ସରକାରଙ୍କ ରାଜସ୍ବ ହାନି ଘଟୁଛି। ଅନୁଗୁଳ ବ୍ଲକର ଜରାସିଂହା, ବେଣାଗାଡ଼ିଅା ଅଂଚଳ ସହିତ କଣିହଁା ବ୍ଲକର ଟାଂଗିଆଶିଳା ପାହାଡ଼ରେ ବେଆଇନ ଭାବେ ଡିନାମାଇଟ ବିସ୍ଫୋରଣ କରି ପଥର ଉତ୍ତୋଳନ କରାଯାଉଛି। ଜରାସିଂହା ଅଂଚଳରେ ଅନୁମତିପ୍ରାପ୍ତ ଗୋଟିଏ ପଥର ଖାଦାନ ପରିଚାଳିତ ହେଉଥିବା କୁହାଯାଉଛି। ତେବେ ଏହା ବ୍ୟତୀତ ଅନ୍ୟ କେତେକ ପଥର ମାଫିଆ ମଧ୍ୟ ଏହି ଅଂଚଳରେ ସକ୍ରିୟ ରହିଛନ୍ତି। ରେଂଗାଲି-କୁଲୁମା ରାସ୍ତାରେ ଥିବା ଏକ ବେଆଇନ ପଥର ଖାଦାନ ଗୋଟିଏ ଗୋଷ୍ଠୀର କବ୍‌ଜାରେ ରହିଛି। ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖିବା, ବ୍ୟବହାର କରିବା ଆଦି ପାଇଁ ଜିଲ୍ଲା ପ୍ରଶାସନଠାରୁ ବିଧିବଦ୍ଧ ଭାବେ ଅନୁମତି ନେବାକୁ ପଡ଼ିଥାଏ। ତେବେ ଅନୁଗୁଳ ଜିଲ୍ଲାରେ ଚାଲିଥିବା ବେଆଇନ ପଥର ଖାଦାନଗୁଡ଼ିକରେ ଡିନାମାଇଟ ବିସ୍ଫୋରଣ ପାଇଁ ରାୟପୁରରୁ କେତେକ ବ୍ୟକ୍ତି ଆସୁଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏମାନଙ୍କ ପାଖରେ ବିଧିବଦ୍ଧ ଲାଇସେନସ୍‌ ନଥିଲେ ହେଁ ବହୁ ଦିନରୁ ଜଡ଼ିତ ରହିଥିବାରୁ ଏହି କାମରେ ସେମାନେ ଏବେ ସିଦ୍ଧହସ୍ତ ‌ହୋଇଯାଇଛନ୍ତି। ମାସକୁ ୨/୩ ଥର ଏଠାକୁ ଆସୁଥିବା ବେଳେ ‌ପ୍ରାୟତଃ ସନ୍ଧ୍ୟା ପରେ ପଥର ପଠାଇବା ପାଇଁ ଡିନାମାଇଟ ବ୍ୟବହାର କରାଯାଉଛି। ସରକାରଙ୍କ ନିୟମ ଅନୁଯାୟୀ, ୫୦୦ ମିଟର ଦୂରତାରେ ସ୍କୁଲ, ଜନବସତି ଆଦି ଥିଲେ ଆଇନଗତ ଭାବେ ପଥର ଖାଦାନ ପରିଚାଳିତ ହେଉଥିଲେ ହେଁ ଡିନାମାଇଟ କିମ୍ବା ଅନ୍ୟ ‌କୌଣସି ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇପାରିବ ନାହିଁ।

ଖିଣ୍ଡୋ, ନିଲାପଶି ଆଦି ଗାଁ ପାଖରେ କିନ୍ତୁ ଉଚ୍ଚକ୍ଷମତାଶାଳୀ ଡିନାମାଇଟ ବିସ୍ଫୋରଣ ହେଉଥିବାରୁ ନିକଟ ଅତୀତରେ ପ୍ରଶାସନର ବି ଦୃଷ୍ଟି ଆକର୍ଷଣ କରାଯାଇଛି। ସେହିପରି ରେଂଗାଲି ବାସିଆପଶି ସାହି ପାଖରେ ଥିବା ପଥର ଖାଦାନରେ ବି ଉଚ୍ଚ କ୍ଷମତାଶାଳୀ ଡିନାମାଇଟ୍ ବ୍ୟବହାର କରାଯାଉଥିବା ଗାଁ ଲୋକେ ଅଭିଯୋଗ କରୁଛନ୍ତି। ଜିଲ୍ଲାର ଅନ୍ୟ ବ୍ଲକ ଅଂଚଳରେ ଏଭଳି ବେଆଇନ କାମ ଚାଲିଛି। ବିସ୍ଫୋରଣ ଯୋଗୁଁ ଘରଦ୍ବାର ଫାଟି ଆଁ ହୋଇ ଯାଉଛି। କେବଳ ସେତିକି ନୁହେଁ, ଏହ‌ା ଯୋଗୁଁ ଜଂଗଲ ମଧ୍ୟ ନଷ୍ଟ ହେଉଛି। ଜୀବନ ଜୀବିକା ପାଇଁ ଜଂଗଲ ଉପରେ ନିର୍ଭର କରୁଥିବା ଗରିବ ଆଦିବାସୀମାନଙ୍କୁ ବି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଅନେକ ଜାଗାରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଜ୍ଞାତସାରରେ ଚାଲିଥିବା କୁହାଯାଉଛି। ଖଣି ନିଲାମ ନେଇଥିବା କେତେକ ବ୍ୟକ୍ତି ପୁଣି ନିଜ ଲିଜ୍ ଅଂଚଳ ମଧ୍ୟରେ ସୀମିତ ରହୁ ନାହାନ୍ତି। ଲିଜ୍ ଅଂଚଳ ବାହାରକୁ ପଥର ଉତ୍ତୋଳନ କରୁଥିବାରୁ ସରକାରଙ୍କ ରାଜସ୍ବ ହାନି ହେଉଛି। ରାଜସ୍ବ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏସବୁ ଜାଣିବା ସତ୍ତ୍ବେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ନିରବ ରହୁଛନ୍ତି। ‘ସରକାର କା ମାଲ୍… ’ ନୀତିରେ ଜିଲ୍ଲାରେ କାମ ଚାଲିଥିବା ଅଭିଯୋଗ ହେଉଛି। ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀଙ୍କ ପଚାରିବାରୁ ସେ କହିଲେ, ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଚାଲିଛି। ପ୍ରକଳ୍ପ ସହିତ ଜଡ଼ିତ ଥିବା ପଥର ଖାଦାନଗୁଡ଼ିକରେ କେବଳ ବିସ୍ଫୋରକ ସାମଗ୍ରୀ ବ୍ୟବହାର ପାଇଁ ଲାଇସେନ୍ସ ଦିଆଯାଇଛି। ତେବେ ଯେତେବେଳେ‌ କୌଣସି ଜାଗାରେ ଏଭଳି ବେଆଇନ କାମ ଚାଲିଥିବା ଅଭିଯୋଗ ଆସୁଛି କିମ୍ବା ସୂଚନା ମିଳୁଛି, ସ୍ଥାନୀୟ ତହସିଲଦାର ଓ ଅନ୍ୟ ଅଧିକାରୀମାନେ ଚଢ଼ଉ କରୁଛନ୍ତି ବୋଲି ଶ୍ରୀ ଶତପଥୀ କହିଛନ୍ତି।

ସମ୍ବନ୍ଧିତ ଖବର