ମନ୍ଦିରରେ ଅଘଟଣ: ରଶି ଦେଇ ଭକ୍ତଙ୍କ ଆତ୍ମହତ୍ୟା

ରାସୋଳ: ରାସୋଳ ଥାନା ଚିତଲପୁର ଗାଁର ପ୍ରସିଦ୍ଧ ଉଗ୍ରେଶ୍ୱର ମହାଦେବ ମନ୍ଦିରରେ ଏକ ଅଘଟଣ ଘଟିଛି। ମାନସିକ ପୂରଣ ପାଇଁ ଅଧିଆ ପଡ଼ିଥିବା ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଆଜି ପୁଲିସ ମନ୍ଦିର ଗର୍ଭଗୃହରୁ ଜବତ କରିଛି। ଏହି ଅଭାବନୀୟ କାଣ୍ଡ ଯୋଗୁ ମନ୍ଦିରରେ ଦେବନୀତି ବନ୍ଦ ରହିଛି। ଆବଶ୍ୟକ ଶୋଧନ ପରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲାଯିବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ, ନୂଆପାଟଣା ଗାଁର ନିରଞ୍ଜନ ସାହୁ(୨୮) ଗତ ୨୧ ଦିନ ହେଲା ମାନସିକ ପୂରଣ ପାଇଁ ମନ୍ଦିରରେ ଅଧିଆ ପଡ଼ିଥିଲେ। ମନ୍ଦିରରେ ମହାଦେବ ଓ ଶକ୍ତି ପୂଜା ପାଉଛନ୍ତି। ଆଜି ଭୋର ପ୍ରାୟ ୫ଟାବେଳେ ପୂଜକ କେଶବ ମହାପାତ୍ର ମନ୍ଦିରକୁ ଆସି ନିରଂଜନଙ୍କ ଶବ ଗର୍ଭଗୃହରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଠାକୁରାଣୀଙ୍କ ପଟ୍ଟବସ୍ତ୍ର ବେକରେ ଲଗାଇ ସେ ଆତ୍ମହତ୍ୟା କରିଥିବା ଦେଖାଯାଇଥିଲା। ବିଜୁଳି ବେଗରେ ଏ ଘଟଣା ପ୍ରଚାରିତ ହୋଇଥିଲା। ଥାନାଧିକାରୀ ସନ୍ତୋଷ ପ୍ରଧାନ, ଏସ୍‌ଆଇ ବୈକୁଣ୍ଠ ଘଡ଼େଇ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛନ୍ତିି। ଗ୍ରାମବାସୀଙ୍କ କହିବା ଅନୁସାରେ ନିରଂଜନ ୨ ବର୍ଷ ହେଲା ବିବାହ କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନସନ୍ତତିି ହୋଇନଥିଲେ। ମୂଲ ମଜୁରି ଲାଗି ସେ ପରିବାର ଚଳାଉଥିଲେ। ମାନସିକ ନେଇ ସେ ମନ୍ଦିରରେ ଅଧିଆ ପଡ଼ିଥିଲେ। କୌଣସି ଶ୍ରଦ୍ଧାଳୁ ଠାକୁରଙ୍କ ପାଖରେ ଆତ୍ମହତ୍ୟା କରିବା ମନ୍ଦିର ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ଏଭଳି ଅଘଟଣ ଯୋଗୁଁ ଆଜି ଦେବନୀତି ହୋଇପାରିନଥିବା ସେବାୟତ ସଂଘ ସଭାପତି ଧର୍ମାନନ୍ଦ ମହାପାତ୍ର କହିଛନ୍ତି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ଥାନୀୟ ଅଞ୍ଚଳର ୨୨ ପଲ୍ଲୀ ବ୍ରାହ୍ମଣ ସମାଜର ଏକ ସଭା ଆଜି ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ସଭାର ନିଷ୍ପତ୍ତି ଅନୁଯାୟୀ, ଆଜି କ୍ଷେତ୍ର ଶୋଧ, ମନ୍ଦିର ଶୋଧ ଆଦି କରାଯାଇଛି। ଆସନ୍ତାକାଲି ଶ୍ରୀଜିଉଙ୍କ ମହାସ୍ନାନ, ଯଜ୍ଞ ଅନୁଷ୍ଠିତ ହେବ। ଆସନ୍ତା ଶୁକ୍ରବାର ଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ ପରେ ଦେବନୀତି ପୂର୍ବବତ୍‌ ଚାଲିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର