ବିଜ୍ଞାନ ପର୍ଯ୍ୟବେକ୍ଷକ ପଦରୁ ହଟିଲେ କେଦାର, ଦାୟିତ୍ବ ନେଲେ ଲକ୍ଷ୍ମଣ

ଅନୁଗୁଳ: ଶେଷରେ ଅନୁଗୁଳ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପଦରୁ ହଟିଲେ କେଦାର ବେହେରା। ଗତ ପ୍ରାୟ ଛଅ ବର୍ଷ ହେଲା ଏହି ଗାଦିରେ ବସିଥିଲେ। ଏମିତିକି, ପ୍ରଧାନଶିକ୍ଷକ ଭାବେ ପଦୋନ୍ନତି ତାଙ୍କୁ ମିଳିବା ପରେ ବି ବିଜ୍ଞାନ ପଯ୍ୟବେକ୍ଷକ ଦାୟିତ୍ୱ ତାଙ୍କ ମୁଣ୍ଡରୁ କଢା ଯାଇ ନ ଥିଲା। ବରଂ, ଜିଲ୍ଲାରେ ତାଙ୍କ ଭଳି ଯୋଗ୍ୟ ବିଜ୍ଞାନ ପର୍ଯ୍ୟବେକ୍ଷକ ନାହାଁନ୍ତି ଦର୍ଶାଇ ତାଙ୍କୁ ଦୁଇଟି ଗୁରୁ ଦାୟିତ୍ୱ ଦିଆଯାଇଥିଲା। ଯାହାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ଜିଲ୍ଲା ବିଜ୍ଞାନ ପଯ୍ୟବେକ୍ଷକ ଭଳି ଗୁରୁ ଦାୟିତ୍ୱ କିଭଳି କାମ ଚଳାଙ୍କ କାନ୍ଧରେ ଚାଲିଛି ସେନେଇ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। ବିଳମ୍ବରେ ହେଲେ ବି ଶ୍ରୀ ବେହେରାଙ୍କୁ ବିଜ୍ଞାନ ପର୍ଯ୍ୟବେକ୍ଷକ ପଦରୁ ହଟେଇ ଦିଆଯାଇଛି। ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ନେହରୁ ହାଇସ୍କୁଲର ସହକାରୀ ଶିକ୍ଷକ ଲକ୍ଷ୍ମଣ କୁମାର ବେହେରାଙ୍କୁ ନୂଆ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ନିଯୁକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାରୁ ଅନୁଗୁଳ ଜିଲ୍ଲା ବିଭକ୍ତ ହେବାର କିଛି ବର୍ଷ ପରେ ୨୦୧୪ମସିହାରେ ଅନୁଗୁଳ ଜିଲ୍ଲାରେ ଖୋଲିଥିଲା ଶିକ୍ଷା କାର୍ଯ୍ୟାଳୟ। ସେତେବେଳେ ଅନୁଗୁଳ ବ୍ଲକ୍‌ ବେଡାଶାସନ ସ୍କୁଲର ସହକାରୀ ଶିକ୍ଷକ ଶ୍ରୀ ବେହେରା ଅନୁଗୁଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ବିଜ୍ଞାନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିଲେ। ବିଜ୍ଞାନ ଯେମିତି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ, ବିଜ୍ଞାନ ପର୍ଯ୍ୟବେକ୍ଷକ ପଦ ବି ତଦନୁସାରେ ବେଶ୍ ଗୁରୁତ୍ବ ବହନ କରେ। ବିଜ୍ଞାନ ମେଳାଠାରୁ ଆରମ୍ଭ କରି ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି, ବିଜ୍ଞାନ ତାଲିମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ତଥା ରାଜ୍ୟ ଓ ଦେଶରେ ଏହାର ସଫଳ ପ୍ରତିଫଳନ ବିଜ୍ଞାନ ପର୍ଯ୍ୟବେକ୍ଷକଙ୍କ କାର୍ଯ୍ୟଦକ୍ଷତା ଉପରେ ନିର୍ଭର କରେ।
ଶ୍ରୀ ବେହେରାଙ୍କୁ ଏହି ପଦବୀରେ ନିଯୁକ୍ତି କରିବାରେ ଇତିମଧ୍ୟରେ ଦୀର୍ଘ ଛଅ ବର୍ଷ ବିତି ଯାଇଥିଲେ ହେଁ ତାଙ୍କର ବଦଳି ହେଉନଥିଲା। ତାଙ୍କ ନେତୃତ୍ବରେ ଅନୁଗୁଳ ଜିଲ୍ଲାର ଛାତ୍ରଛାତ୍ରୀମାନେ ବିଜ୍ଞାନରେ ଏମିତି କି’ ଅଗ୍ରସର କରିଛନ୍ତି ଯେ ଜିଲ୍ଲାରେ ଶହ ଶହ ବିଜ୍ଞାନ ଶିକ୍ଷକ ଥାଉ ଥାଉ ମୁଖ୍ୟାଳୟର ଏହି ଗୁରୁତ୍ବପୂର୍ଣ୍ଣ ପଦବୀରେ ଗତ ଛଅ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ତାଙ୍କୁ ଆସୀନ କରାଯାଇଛି ବୋଲି ପ୍ରଶ୍ନ ଉଠିଥିଲା।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ବେଳେ ସରକାର ତାଙ୍କର ପଦୋନ୍ନତି କରିଥିଲେ। ଅନ୍ୟାନ୍ୟ ସହକାରୀ ଶିକ୍ଷକଙ୍କ ଭଳି ଶ୍ରୀ ବେହେରା ଅନୁଗୁଳ ପିଟିସି ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ପାଇଥିଲେ। ପଦୋନ୍ନତିର କେଇଟା ଦିନ ମଧ୍ୟରେ ହାଇସ୍କୁଲରେ ସଂଗେ ସଂଗେ ଯୋଗ ବି ଦେଇ ଥିଲେ। କିନ୍ତୁ, ପୁରୁଣା ବିଜ୍ଞାନ ପର୍ଯ୍ୟବେକ୍ଷକ ଭାର ତାଙ୍କ କାନ୍ଧରୁ ହଟା ଗଲା ନାହିଁ। ବରଂ ତାଙ୍କ ମୁଣ୍ଡରେ ପ୍ରଧାନ ଶିକ୍ଷକ ସହିତ ବିଜ୍ଞାନ ପର୍ଯ୍ୟବେକ୍ଷକର ଅତିରିକ୍ତ ଦାୟିତ୍ବ ଜିଲ୍ଲା ଶିକ୍ଷା ବିଭାଗ ମୁଣ୍ଡାଇ ଥିଲା।
ପ୍ରଧାନ ଶିକ୍ଷକ ପଦ ଗୋଟିଏ ସ୍କୁଲ ପାଇଁ ଯେତିକି ଗୁରୁତ୍ବପୂର୍ଣ୍ଣ, ବିଜ୍ଞାନ ପର୍ଯ୍ୟବେକ୍ଷକ ଦାୟିତ୍ବ ଜିଲ୍ଲା ପାଇଁ ତା’ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଜିଲ୍ଲାରେ ଶହ ଶହ ବିଜ୍ଞାନ ଶିକ୍ଷକ ଥାଉ ଥାଉ ଜିଲ୍ଲା ଶିକ୍ଷା ବିଭାଗ କେଉଁ କାରଣରୁ ଜଣେ ଅଧିକାରୀଙ୍କ ମୁଣ୍ଡରେ ଦୁଇଟି ଗୁରୁ ଦାୟିତ୍ବ ଦେଇଛି ବୋଲି ପ୍ରଶ୍ନ ହେବାରୁ ସେତେବେଳ ଅନୁଗୁଳ ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା ବିବାଦୀୟ ବୟାନ ଦେଇଥିଲେ। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପଦ ପାଇଁ କେଦାର ବାବୁଙ୍କ ଭଳି ଯୋଗ୍ୟ ଲୋକ ନାହାଁନ୍ତି ବୋଲି ସେ କହିଥିଲେ।
ଯାହାକୁ ନେଇ ଶିକ୍ଷକ ମହଲରେ ଜୋର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବେହେରାଙ୍କ ଚାକିରି କାଳ ଏହି ମାସରେ ସରିବାକୁ ଯାଉଥିବା ବେଳେ ବିଜ୍ଞାନ ପର୍ଯ୍ୟବେକ୍ଷକ ପଦରୁ କେଦାରଙ୍କୁ ହଟେଇ ଲକ୍ଷ୍ମଣଙ୍କୁ ନିୟୋଜିତ ଦିଆଯାଇଛି। ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ପଦବି ପାଇଁ କେଦାରଙ୍କ ଛଡା ଆଉ କେହି ଯୋଗ୍ୟ ନାହାଁନ୍ତି ବୋଲି ବୟାନ ଦେଉଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ବେହେରା ନିଜ ଚାକିରି କାଳ ସରିବାର ପ୍ରାୟ ସପ୍ତାହେ ପୂର୍ବରୁ ଲକ୍ଷ୍ମଣଙ୍କୁ କେଦାରଙ୍କ ଭଳି ଯୋଗ୍ୟ ବିଚାର କଲେ ତାହାକୁ ନେଇ ଶିକ୍ଷକ ମହଲରେ ପ୍ରଶ୍ନ ହୋଇଛି।

 

ସମ୍ବନ୍ଧିତ ଖବର