ହତ୍ୟାକାରୀ ଶଳା-ଭିଣୋଇ ଗିରଫ, କଟୁରୀ, ବାଇକ୍‌ ଜବତ୍‌

Advertisment

ଅନୁଗୁଳ/କିଶୋରନଗର/ପାଇକସାହି : ଯାହା ସନ୍ଦେହ କରାଯାଉଥିଲା ଶେଷରେ ତାହା ହିଁ ସତ ହେଲା। ପରିଚିତ ଲୋକ ସାଜିଲେ ହତ୍ୟାକାରୀ। ଟଙ୍କା ପାଇଁ ଭୁଲିଗଲେ ସଂପର୍କ। ଲୋଭରେ ଅନ୍ଧ ହୋଇ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମର ବିରଞ୍ଚି ନାୟକ, ପତ୍ନୀ ତରଣୀ ଏବଂ ନାବାଳକ ପୁଅ ଏକଲବ୍ୟକୁ ହତ୍ୟା କଲା ସଂପର୍କୀୟ ମାମୁ। ପୁଲିସ ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗମ୍ଭାରୀମଳିହା ଗ୍ରାମର ସଂପର୍କୀୟ ମାମୁ ରଂଜା ଓରଫ୍‌ ନନ୍ଦକିଶୋର ସେଠୀ (୩୦) ଏବଂ ସହଯୋଗୀ ଠାକୁରଗଡ଼ ଥାନା କଳାପାଟନାଳୀ ଗ୍ରାମର ବାବୁଲି ଓରଫ୍‌ ପ୍ରକାଶ ବେହେରା (୪୦)ଙ୍କୁ ଗିରଫ କରିଛି। ହତ୍ୟାକାରୀ ଦ୍ୱୟ ସଂପର୍କରେ ଶଳା-ଭିଣୋଇ ହୋଇଥିବା ବେଳେ ହତ୍ୟାର ଶିକାର ହୋଇଥିବା ବିରଞ୍ଚି ଏବଂ ମୁଖ୍ୟ ଅଭିଯୁକ୍ତ ରଂଜା ସଂପର୍କୀୟ ମାମୁ-ଭଣଜା ବୋଲି ପୁଲିସ କହିଛି। ଅଭିଯୁକ୍ତଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ କଟୁରୀ, ଗୋଟିଏ ହିରୋହୋଣ୍ଡା ମଟର ସାଇକଲ୍‌ (ଓଡି୧୯କେ-୨୦୨୨), ରକ୍ତଭିଜା ଟାଓ୍ଵାଲ୍‌, ପ୍ୟାଣ୍ଟ୍‌-ସାର୍ଟ ଆଦି ପୁଲିସ ଜବତ୍‌ କରିଛି। ଆଜି ଅପରାହ୍ନଣରେ କିଶୋରନଗର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଏସ୍‌ପି ବ୍ରିଜେଶ କୁମାର ରାୟ ଏହି ଚର୍ଚ୍ଚିତ ତଥା ଭୟାନକ ହତ୍ୟା ରହସ୍ୟ ଉପରୁ ପରଦା ହଟାଇଛନ୍ତି।

ଏସ୍‌ପିଙ୍କ ସୂଚନାନୁଯାୟୀ, ବିରଞ୍ଚି ଓ ରଂଜା ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା। ୨୦୧୨ ପଞ୍ଚାୟତ ନିର୍ବାଚନରେ ରଂଜାର ମା’ ଦୁର୍ବଳା ସେଠୀ ସଂଜମୁରା ପଞ୍ଚାୟତର ୪ ନମ୍ବର ଓ୍ଵାର୍ଡସଭ୍ୟ ରୂପେ ନିର୍ବାଚିତ ହୋଇଥିଲେ। ୨୦୧୭ ପଞ୍ଚାୟତ ନିର୍ବାଚତରେ ରଂଜା ପୁଣି ଥରେ ତାଙ୍କ ମା’ଙ୍କୁ ଓ୍ଵାର୍ଡ ସଭ୍ୟ ଭାବେ ଛିଡ଼ା କରିଥିଲେ ହେଁ ନିର୍ବାଚନରେ ସେ ହାରି ଯାଇଥିଲେ। ବିରଞ୍ଚିଙ୍କ ବଂଧୁ ଦିଲ୍ଲୀପ ସେଠୀଙ୍କ ପତ୍ନୀ ପ୍ରଭାସିନୀ ବେହେରା ବିଜୟୀ ହୋଇଥିଲେ। ବିରଞ୍ଚିଙ୍କ ସହଯୋଗରେ ପ୍ରଭାସିନୀ ବିଜୟୀ ହୋଇଥିବାରୁ ଏହାକୁ ସହି ପାରିନଥିଲା ରଂଜା। ଉଭୟଙ୍କ ମଧ୍ୟରେ ଏହାକୁ ନେଇ ତିକ୍ତତା ସୃଷ୍ଟି ହେବା ସହ ରଂଜା ଏ ନେଇ ବିରଞ୍ଚି ଏବଂ ଗ୍ରାମର ୪ଟି ପରିବାରକୁ ହତ୍ୟା କରିବ ବୋଲି ଧମକ ଦେଇଥିଲା। ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଏ ନେଇ ବୁଝାମଣା ହୋଇଥିଲେ ବି ପ୍ରତିଶୋଧ ଜ୍ୱାଳାରେ କୁହୁଳୁଥିଲା ରଂଜା।

publive-imagepublive-image

ଗତ ୭ ତାରିଖରେ ବିରଞ୍ଚି ମା’ ସାହେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀର ୭ ସଦସ୍ୟାଙ୍କ ନାଁରେ ବଇଣ୍ଡାସ୍ଥିତ ଅନ୍ନପୂର୍ଣ୍ଣା ମାଇକ୍ରୋ ଫାଇନାନ୍‌ସରୁ ୧ ଲକ୍ଷ ୬୩ ହଜାର ଟଙ୍କା ଋଣ ଉଠାଇଥିଲେ। ନିଜର ମାଇକ୍‌-ସାଉଣ୍ଡ୍‌ ବେପାର ବଢ଼ାଇବା ପାଇଁ ସେ ଏହି ଟଙ୍କା ଋଣରେ ଆଣିଥିଲେ। ତେବେ ଏ ସଂକ୍ରାନ୍ତରେ ସୂଚନା ପାଇ ରଂଜା ଗତ ୭, ୮ ଏବଂ ୯ ତାରିଖ ସକାଳେ ବିରଞ୍ଚିଙ୍କ ଘରକୁ ଆସି ଭଣଜା ଋଣ ଟଙ୍କା ପାଇଲୁ କି’ ନାହିଁ ପଚରାଉଚରା କରିଥିଲା। କିନ୍ତୁ ଟଙ୍କା ଆଣିନଥିବା କହି ଏପଟେ ବିରଞ୍ଚି ଉକ୍ତ ଟଙ୍କାରୁ ୧ ଲକ୍ଷ ଟଙ୍କା ବଇଣ୍ଡାସ୍ଥିତ ନିଜ ଷ୍ଟେଟ୍‌ବ୍ୟାଙ୍କ୍‌ ଏକାଉଣ୍ଟ୍‌ରେ ୯ ତାରିଖରେ ଜମା କରିବା ସହ ବଳକା ୬୩ ହଜାର ଟଙ୍କା ଘରେ ରଖିଥିଲେ। ଅନ୍ୟପକ୍ଷରେ ରଂଜା କୌଣସି ସୂତ୍ରରୁ ବିରଞ୍ଚି ଟଙ୍କା ପାଇଥିବା ସୂଚନା ପାଇ ଲୁଟ୍‌ କରିବାକୁ ଯୋଜନା କରିଥିଲା ଏବଂ ଏଥି ପାଇଁ ସେ ଭିଣୋଇ ବାବୁଲିର ସହାୟତା ଲୋଡ଼ିଥିଲା ବୋଲି ଏସ୍‌ପି କହଛନ୍ତି।

ଯୋଜନାନୁଯାୟୀ, ଗତ ସୋମବାର ଶଳା-ଭିଣୋଇ ଦୁହେଁ ପୋକଣ୍ଡା ଗାଁ’ରେ ମେଲୋଡି ଦେଖିବା କହି ବିରଞ୍ଚିଙ୍କୁ ଘରୁ ଡାକି ନେଇଥିଲେ। ପୋକଣ୍ଡା ଗାଁ ନନ୍ଦତଇଳା ପୋଲ ନିକଟରେ ସମସ୍ତ ମଦ ପିଇବା ପରେ ବାବୁଲି ପାଖରେ ଲୁଚାଇ ରଖିଥିବା କଟୁରୀରେ ବିରଞ୍ଚିଙ୍କ ବେକ ପଛପଟକୁ ଏକ ଚୋଟ ପକାଇଥିଲା। ପରେ ଅଭିଯୁକ୍ତଦ୍ୱୟ ବିରଞ୍ଚିଙ୍କ ତଣ୍ଟି କାଟି ତାଙ୍କୁ ପୋଲ ତଳେ ପକାଇ ଦେବା ପରେ ବିରଞ୍ଚିଙ୍କ ଘରକୁ ଆସିଥିଲେ। ପତ୍ନୀ ତରଣୀଙ୍କୁ ସ୍ୱାମୀ ଦୁର୍ଘଟଣାରେ ଗୁରୁତର ଏବଂ ଟଙ୍କା ନେଇ ଆସିିବାକୁ କହିଥିଲେ। କିନ୍ତୁ ତରଣୀ ତମେ ମୋ’ ସ୍ୱାମୀକୁ ମାରିଦେଇଛ ବୋଲି କହିବାରୁ ଦୁହେଁ ଘର ଭିତରେ ତାଙ୍କ ତଣ୍ଟି କାଟି ଅତି ବୀଭତ୍ସ ଭାବେ ହତ୍ୟା କରିବା ପରେ ଘର ପଛପାଖ ହରଡ଼ ବିଲରେ ଫିଙ୍ଗି ଦେଇଥିଲେ। ମା’ର ଚିତ୍କାର ଶୁଣି ନିଦରେ ଶୋଇଥିବା ପୁଅ ଲବ ଉଠି ପଡ଼ିବାରୁ ଅଭିଯୁକ୍ତଦ୍ୱୟ ବାପା ଦୁର୍ଘଟଣାରେ ପଡ଼ିଛି ଏବଂ ଦେଖିବୁ ଚାଲ କହି ତାକୁ ବାଇକ୍‌ରେ ବସାଇ ନେଇ ଆସିଥିଲେ। ବାଟରେ ଲବର ତଣ୍ଟି କାଟି ହତ୍ୟା କରିବା ପରେ ପୋକଣ୍ଡା-ମିଣ୍ଡୋଳ ରାସ୍ତାର ତଳସାହି ଗଛମୂଳେ ଶବ ଫିଙ୍ଗି ଦେଇଥିଲେ ଅଭିଯୁକ୍ତଦ୍ୱୟ।

ରାତି ପ୍ରାୟ ୨ଟା ବେଳେ ବାବୁଲି ଭିଣୋଇ ରଂଜାକୁ ଧରି କଳାପାଟନାଳୀସ୍ଥିତ ଘରକୁ ଚାଲି ଆସିଥିଲା ବୋଲି ଏସ୍‌ପି ଶ୍ରୀ ରାୟ ପ୍ରକାଶ କରିଛନ୍ତି। କିଶୋରନଗର ଥାନାରେ ଏ ସଂକ୍ରାନ୍ତରେ କେସ୍‌ ନମ୍ବର ୯୧/୨୦୧୭ ଏବଂ ଦଫା ୩୦୨ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ରଂଜା ଓ ବାବୁଲିକୁ ଆଠମଲ୍ଲିକ କୋର୍ଟଚାଲାଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ଯଦୁନାଥ ହାଁସଦା, ଆଠମଲ୍ଲିକ ଏସ୍‌ଡିପିଓ ଦୁଃଖବଂଧୁ ନାୟକ, କିଶୋନଗର ଥାନା ଆଇଆଇସି ପ୍ରେମାନନ୍ଦ ଲେଙ୍କା, ଠାକୁରଗଡ଼ ଥାନା ଆଇଆଇସି ବବାକ୍ଷ ନାୟକ, ଆଠମଲ୍ଲିକ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।