ରାତି ଅଧରେ ଝାଡଖଣ୍ଡ ଶ୍ରମିକଙ୍କୁ ତଡିଦେଲେ, ବିଳମ୍ବିତ ରାତିରେ ଉଦ୍ଧାର କଲା ପୁଲିସ

ଅନୁଗୁଳ: ନଭେମ୍ବର ମାସରୁ ଆସି ଗାଁରେ ଖଟୁଥିଲେ। ଠିକାଦାର ସଂଗେ ମିଶି ପାଇଖାନା କାମ କରୁଥିଲେ। ପେଟ ପାଇଁ ବାହାର ରାଜ୍ୟରୁ ଆସିଥିବା ବେଳେ ହଠାତ ଲାଗୁ ହେଲା ଲକଡାଉନ କଟକଣା। ଘରକୁ ଯିବାକୁ ଗାଡି ମିଳିଲାନି। ଗାଁ ରୁ ବାହାରି ପାରିଲେନି। ତେବେ ସୋମବାର ବିଳମ୍ବିତ ରାତିରେ ୨୨ଜଣ ଝାଡଖଣ୍ଡ ଶ୍ରମିକଙ୍କୁ ଗାଁରୁ ବାହାର କରି ଦେବା ଘଟଣା ଛେଣ୍ଡିପଦା ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଖବର ପାଇ ସ୍ଥାନୀୟ ପୁଲିସ ସମ୍ପୃକ୍ତ ଶ୍ରମିକଙ୍କୁ ଉଦ୍ଧାର କରିଛି | ସେମାନଙ୍କୁ ବ୍ଲକ ପ୍ରଶାସନ ନେଇ ସ୍କୁଲ ଘରେ ଥଇଥାନ କରିଥିବା ଜଣା ପଡ଼ିଛି।

ଏହି ଘଟଣା ଘଟିଛି ଛେଣ୍ଡିପଦା ବ୍ଲକ ପରଙ୍ଗ ଅଂଚଳରେ। ବିଡ଼ିଓ ସୁନିଲ କୁମାର କେର୍କେଟାଙ୍କ ସୂଚନା ମୁତାବକ, ଏହି ଶ୍ରମିକମାନେ ପାଇଖାନା କାମ କରିବା ପାଇଁ ଠିକାଦାର ଜରିଆରେ ନଭେମ୍ବର ମାସରେ ଆସିଥିଲେ। ସେତେବେଳକୁ କରୋନା ସମ୍ପର୍କିତ କୌଣସି କଟକଣା ନ ଥିଲା। ହଠାତ ଲକ ଡାଉନ ପରେ ସମସ୍ୟା ସେମାନଙ୍କର ବଢିଥିଲା। ଲୋକେ ସ୍ଥାନୀୟ ଅଞ୍ଚଳରେ ଥିଲେ।

ସୋମବାର ରାତିରେ ସେମାନଙ୍କୁ ଗାଁରୁ ବାହାର କରି ଦିଆଯାଇଥିବା ଖବର ମିଳିଥିଲା। ପୁଲିସ ସେମାନଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଆଣିଥିଲା। ଆମେ ସ୍ଥାନୀୟ କଲୋନୀ ସ୍କୁଲ ରେ ସେମାନଙ୍କ ପାଇଁ ରହିବା ବ୍ୟବସ୍ଥା କରିଛୁ। ଖାଇବାକୁ ମଧ୍ୟ ଦିଆଯାଇଛି। ଠିକାଦାର ସେମାନଙ୍କ ଖାଇବା ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ନ ହେଲେ ପ୍ରଶାସନ ପକ୍ଷରୁ ଖାଇବା ଦିଆଯିବ ବୋଲି ବିଡ଼ିଓ ଶ୍ରୀ କେର୍କେଟା କହିଛନ୍ତି। କରୋନା ପାଇଁ ଏ ବିବାଦ ନୁହେଁ, ଏହା ପଛରେ ପୂର୍ବର ଅନ୍ୟ କିଛି ବିବାଦ ଥାଇ ପାରେ ବୋଲି ସେ ଅନୁମାନ କରିଛନ୍ତି।

ସମ୍ବନ୍ଧିତ ଖବର