ଛେଣ୍ଡିପଦା: ଜମି କ୍ରେତାଙ୍କ ନିକଟକୁ ପଟ୍ଟା ଡାକଯୋଗେ ଯୋଗେଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଜମି ବିକ୍ରି କାରବାରରେ ସଂପୃକ୍ତ ଦଲାଲଙ୍କୁ ଝଟକା ଦେଇଛି।
ପ୍ରକାଶ ଯେ ଛେଣ୍ଡିପଦା ଅଞ୍ଚଳରେ ଖଣି ଖାଦାନ ସ୍ଥାପନ ଯୋଗୁଁ ଜମି କିଣାବିକା କାରବାର ଯଥେଷ୍ଟ ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପୁଞ୍ଜିପତିମାନେ ଜମିକିଣାରେ ପୁଞ୍ଜି ଖଟେଇ କମ୍ ଦିନରେ କଂପାନିମାନଙ୍କଠାରୁ ଜମି ଅଧିଗ୍ରହଣରେ ୪ ଗୁଣା ପର୍ଯ୍ୟନ୍ତ ଲାଭବାନ ହେଉଛନ୍ତି। ଏଥିପାଇଁ ଜମି କିଣାବିକା ଲାଗି ତହସିଲ କାର୍ଯ୍ୟାଳୟରେ ପ୍ରତିଦିନ ଜମି ଦଲାଲମାେନ ଘୂରି ବୁଲୁଛନ୍ତି। ଜମିକିଣା ପରେ କବଲାରୁ ମ୍ୟୁଟେସନ୍ କରି ପଟ୍ଟା କରେଇବା ବାହାନାରେ ଦଲାଲମାନେ କ୍ରେତାଙ୍କଠାରୁ ୩ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଶୋଷଣ କରୁଛନ୍ତି। ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, କ୍ରେତା ଜମି ରେଜିଷ୍ଟ୍ରି ସମୟରେ ଦଲିଲରୁ ମ୍ୟୁଟେସନ୍ ଓ ପଟ୍ଟା ପର୍ଯ୍ୟନ୍ତ ୨୦୦ ଟଙ୍କା ସରକାରଙ୍କୁ ଜମା କରିବାକୁ ପଡୁଛି। ଜମା କରିବାର ୬୦ ରୁ ୭୦ ଦିନ ମଧ୍ୟରେ କ୍ରେତାଙ୍କ ଘରେ ଡାକ ଯୋଗେ ପଟ୍ଟା ପଠାଇବାର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ପ୍ରତି ରେଜିଷ୍ଟ୍ରି କାର୍ଯ୍ୟାଳୟରେ ଡାକ ଯୋଗେ ପଟ୍ଟା ପଠାଇବାକୁ ନେଇ ୨୦୧୮ ଅଗଷ୍ଟ ୧ ତାରିଖରେ ନିର୍ଦେଶ ଦେଇଥିବା ବେଳେ ଗତ ଜାନୁଆରି ୧ ତାରିଖରୁ ଛେଣ୍ଡିପଦା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟକାରୀ କରିଛନ୍ତି । ଆଜି ପର୍ଯ୍ୟନ୍ତ ୧୬୦ ପଟ୍ଟା ଜମି କ୍ରେତାଙ୍କ ନିକଟକୁ ଡାକ ଯୋଗେ ପଠାଯାଇଛି। ଜମି ଦଲାଲଙ୍କ ଯୋଗୁଁ କ୍ରେତାଙ୍କ ଅଗୋଚରରେ କିଣାବିକା କାରବାରରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଛେଣ୍ଡିପଦା ତହସିଲରେ ପୂର୍ବରୁ ଅଭିଯୋଗ ହୋଇଆସୁଛି। ଏହାକୁ ରୋକିବାକୁ ତହସିଲଦାର ଡାନିଏଲ ଏକ୍କା ସମସ୍ତ ଅଂଶୀଦାରଙ୍କ ଉପସ୍ଥିତିକୁ ବାଧ୍ୟତାମୂଳକ କରିଛନ୍ତି। ଏଭଳି ପଦକ୍ଷେପ ଜମି କିଣାବିକାରେ ସଂପୃକ୍ତ ଦଲାଲଙ୍କୁ ଝଟକା ଦେଇଛି।
ଡାକ ଯୋଗେ କ୍ରେତାଙ୍କୁ ଜମି ପଟ୍ଟା ଯୋଗାଣ
ଦଲାଲ୍ଙ୍କୁ ଝଟକା
/sambad/media/post_attachments/wp-content/uploads/2019/06/Indian-Post-Office-Recruitment-1024x474.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)