ବିଲରୁ ଫେରୁଥିଲେ, ଅଧ କିଲୋମିଟର ପରେ ଘରକୁ ପହଞ୍ଚି ଥାନ୍ତେ, ବଜ୍ରପାତ ନେଲା ଖୁଡ଼ି-ଝିଆରୀଙ୍କ ଜୀବନ

ଅନୁଗୁଳ: ବଜ୍ରପାତରେ ବୁଧବାର ଅପରାହ୍ନରେ ଖୁଡ଼ି-ଝିଆରୀଙ୍କର ମୃତ୍ୟୁ ଘଟିଛି। ଅନୁଗୁଳ ବ୍ଲକ ଅନ୍ତର୍ଗତ ଡେରଜାଙ୍ଗ୍‌ ଗାଁର ଅପରାହ୍ନ ପ୍ରାୟ ୪ଟାରେ ଏହି ଅଭାବନୀୟ ଘଟଣା ଘଟିଛି। ବିଲରୁ ଘରକୁ ଫେରୁଥିବା ଖୁଡ଼ି ଶାନ୍ତି ପ୍ରଧାନ ଓ ଝିଆରୀ ବୈଶାଖୀ ପ୍ରଧାନଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ନିଜ ଗାଁ ଠାରୁ ଅଳ୍ପ ଦୂରରେ ଥିବା ବିଲରୁ ଧାନ ରୋଇ ଶାନ୍ତି ଓ ବୈଶାଖୀ ଘରକୁ ଫେରୁଥିଲେ। ଗାଁ ମୁଣ୍ଡରେ ପହଞ୍ଚିବା ବେଳକୁ ସେମାନେ ବଜ୍ରପାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ସେମାନେ ତଳେ ପଡ଼ିଯିବା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଶାନ୍ତି ଓ ବୈଶାଖୀଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହସ୍ପିଟାଲରେ ପହଞ୍ଚିବା ପରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ଏକ ସପ୍ତାହ ମଧ୍ୟରେ ଅନୁଗୁଳରେ ଏହା ହେଉଛି ୪ର୍ଥ ବଜ୍ରପାତ ଘଟଣା। ପୂର୍ବରୁ ମଧ୍ୟ ଜିଲ୍ଲାର ଛେଣ୍ଡିପଦା ଓ କିଶୋରନଗର ବ୍ଲକ ଅଞ୍ଚଳରେ ବଜ୍ରପାତ ଯୋଗୁଁ ୩ଜଣଙ୍କର ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର